ଅଜଣା ଗାଡି ଧକ୍କାରେ ଯୁବକ ମୃତ, ଉତ୍ୟକ୍ତ ଅଧିବାସୀଙ୍କ ରାସ୍ତାରୋକ

କୁଚିଣ୍ଡା: କୁଚିଣ୍ଡା ଉପଖଣ୍ଡୀୟ ମହୁକୁମାରେ ପ୍ରବେଶ ପାଇଁ ରହିଥିବା ବ୍ରିଟିସ ଅମଳର ପୋଲ ଭାଙ୍ଗି ଯିବା ପରେ ନୂତନ ଭାବେ ନିର୍ମାଣ ହୋଇଥିବା ବାଇପାସ ରାସ୍ତା ଏକ ମାତ୍ର ଭରସା ହୋଇଛି। ସଂପୃକ୍ତ ରାସ୍ତା ଦେଇ ପ୍ରତିିଦିନ ଶହ ଶହ ଗାଡି ଯାତାୟାତ କରୁଥିବା ବେଳେ ଚର୍ଚ୍ଚପଡା ନିକଟ ଘୋଷା ଛକ ଏବେ ବିପଦ ସଂକୁଳ ଛକ ହୋଇଛି। ଆଜି ରାତ୍ର ପ୍ରାୟ ୯ଟା ୩୦ମିନିଟରେ ଏକ ସାଇକେଲ ଆରୋହୀଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ଯୁବକର ଶୋଚନୀୟ ମୃତୁ ଘଟିଥିବା ଜଣାଯାଇଛି। ଏହି ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ରାସ୍ତା ଅବରୋଧ କରିଛନ୍ତି।

କ୍ରମବର୍ଦ୍ଧିଷ୍ଣୁ କୁଚିଣ୍ଡା ସହରରେ ଝୋଲେନ ପୋଲର ବିକଳ୍ପ ରାସ୍ତା ସକାଶେ ସରକାର ବାଇପାସ ରାସ୍ତା କରିଥିଲେ। ମାତ୍ର ଗତ ଦୁଇ ମାସ ତଳେ ପୋଲ ଭାଙ୍ଗିଯିବା ପରେ ତୁରନ୍ତ ବାଇପାସ ରାସ୍ତାକୁ ଯାତାୟତ ଉପଯୋଗୀ କରାଯାଇଥିଲା। ମାତ୍ର ରାସ୍ତାର ମୂଖ୍ୟ ଛକରେ ପ୍ରଶାସନ କରିଥିବା ଯୋଜନା ମୁତାବକ ପଦକ୍ଷେପ ନେଇନଥିବା ଯୋଗୁଁ ସଂପୃକ୍ତ ଅଞ୍ଚଳଟି ଏବେ ଦୁର୍ଘଟଣା ପ୍ରବଣ ହୋଇଥିବା ଅଭିଯୋଗ ହୋଇଛି। ଆଜି ରାତ୍ର ପ୍ରାୟ ୯ଟା ୩୦ମିନିଟରେ ଘୋଷା ଗ୍ରାମର ବିଜୁ ସେଠି ନାମକ ଯୁବକ ନିକ କାମ ସାରି ସାଇକେଲ ଯୋଗେ ଘରକୁ ଫେରୁଥିଲେ। ମାତ୍ର ଘୋଷା ଛକରେ ଅଜଣା ଗାଡି ଧକ୍କା ଦେବାରୁ ସେଠାରେ ତାଙ୍କ ରକ୍ତ ଜୁଡୁବୁଡୁ ଶବ ପଡିରହିଥିବା ଲୋକେ ଦେଖିଥିଲେ। ଏହି ଘଟଣା ପ୍ରଚାର ହେବା ପରେ ସଂପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଅଧିବାସୀମାନେ ଉକ୍ତ ରାସ୍ତାକୁ ଅବରୋଧ କରି ରଖିବାରୁ ୪୯ନଂ ଜାତୀୟ ରାଜପଥ ଦେଇ ଆସୁଥିବା ଶତାଧିକ ଯାନବାହାନ ଉଭୟ ପାର୍ଶ୍ବରେ ଅଟକି ରହିଥିବା ଦେଖାଯାଉଛି। ରାତ୍ରିକାଳିନ ଦୂରଗାମୀ ଯାତ୍ରୀବାହୀ ବସଗୁଡିକ ଘଣ୍ଟା ଘଣ୍ଟା ଧରି ଅଟକି ରହିବାରୁ ଯାତ୍ରୀ ମାନେ ଘୋର ଅସୁବିଧା ପାଇଥିବା ଦେଖାଯାଇଥିଲା।

ଆନ୍ଦୋଳନକାରୀମାନେ ସଂପୃକ୍ତ ଛକକୁ ସଂପୂର୍ଣ୍ଣ ବିପଦ ମୁକ୍ତ କରବାକୁ ଦାବି କରିଥିଲେ। ଏପରିକି ପୂର୍ବରୁ ପ୍ରଶାସନ ଉକ୍ତ ରାସ୍ତା ଏବଂ ଛକକୁ ଆଲୋକ ବ୍ୟବସ୍ଥା କରିବା, ଗାଡିର ଗତି ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରିବାକୁ ସମ୍ମତି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉନଥିବାରୁ ଆନ୍ଦୋଳନକାରୀ ମାନେ ତୀବ୍ର ସମାଲୋଚନା କରିଥିଲେ। ମୃତ ଯୁବକ ଜଣକ ଏକ ଦୋକାନରେ କାମ କରୁଥିବା ଜଣାପଡିଛି। ମାତ୍ର ତାର ଅକାଳ ବିୟୋଗ ପରେ ତାର ପରିବାର ନିରାଶ୍ରୟ ହୋଇ ପଡିଥିବା ଅଭିଯୋଗ ହୋଇଛି। ଉକ୍ତ ପରିବାରକୁ କ୍ଷତିପୂରଣ ଦେବା ସହ ସଂପୃକ୍ତ ଅଞ୍ଚଳକୁ ଦୁର୍ଘଟଣା ନିୟନ୍ତ୍ରଣ ସକାଶେ ପଦକ୍ଷେପ ନେବାକୁ ଦାବି କରି ରାସ୍ତାରେ ଲୋକେ ବସି ରହିଥିବା ଦେଖାଯାଇଛି। ପୁଲିସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରୁଥିବା ଜଣାପଡିଛି।

Comments are closed.