ଧାନ ବିକ୍ରି ସମସ୍ୟା ସମାଧାନ କରିବାରେ ସରକାର ବିଫଳ, ରାଜରାସ୍ତାରେ ଶତାଧିକ ଚାଷୀ

କୁଚିଣ୍ଡା : ଆଦିବାସୀ ବହୁଳ କୁଚିଣ୍ଡା ଉପଖଣ୍ଡ ଅଣଜଳସେଚିତ ଅଞ୍ଚଳରେ ଚଳିତ ବର୍ଷ ଧାନ ବିକ୍ରି ଏକ ପ୍ରମୁଖ ସମସ୍ୟା ଭାବେ ମୁଣ୍ଟ ଟେକିଛି। ଟୋକନ ଅବଧି ସରିବା ଓ ଧାନ ବିକ୍ରୀ ପାଇଁ ବ୍ୟବସ୍ଥା ପାଉନଥିବା ଯୋଗୁଁ ସଂପ୍ରତି ଛୋଟ ଛୋଟ ଗାଁ ସ୍ତରରୁ ସହର ଯାଏଁ ଆନ୍ଦୋଳନ ମୁଣ୍ଡ ଟେକୁଥିବା ଦେଖାଯାଉଛି। ଗତ ଏକ ସପ୍ତାହ ଧରି ଚାଷୀ ସମସ୍ୟା ନେଇ ନିୟମିତ ବିଭିନ୍ନ ଅଞ୍ଚଳରେ ରାସ୍ତାରୋକ, ଧାରଣା ଚାଲୁଥିଲେ ମଧ୍ୟ ସରକାର ଏହାର ସମାଧାନ କରିପାରୁନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖାଯାଉଛି। ଆଜି ପୁଣି ବାଉରୀଗୋଡା, ଅର୍ଡାବାହାଲ ଅଞ୍ଚଳରେ ସନ୍ଧ୍ୟା ଯାଏ ଧାନ ବିକ୍ରୀ ପାଇଁ ଆନ୍ଦୋଳନ ଚାଲୁଥିବା ଦେଖାଯାଇଛି।

ସୂଚନାଯୋଗ୍ୟଯେ କୁଚିଣ୍ଡା ଉପଖଣ୍ଡ ଏକ ଆଦିବାସୀ ବହୁଳ ଓ ବର୍ଷା ଜଳ ଉପରେ ନିର୍ଭରଶୀଳ ଅଞ୍ଚଳ ଅଟେ। ପ୍ରତିବର୍ଷ ଅନିୟମିତ ବର୍ଷା, ଅନାବୃଷ୍ଟି, ରୋଗ ପୋକ ଜନିତ ସମସ୍ୟା ଯୋଗୁଁ ଚାଷୀ ମାନେ କ୍ଷତି ସହିଥାନ୍ତି। ମାତ୍ର ଚଳିତବର୍ଷ ମହାମାରୀ ବର୍ଷରେ କୁଚିଣ୍ଡା ଉପଖଣ୍ଡରେ ଉତ୍ତମ ଫସଲ ହୋଇଥିବା ଦେଖାଯାଇଛି। ମାତ୍ର ଏଥର ସରକାର ଟୋକନ ବ୍ୟବସ୍ଥା ପ୍ରଚଳନ କରିବା ଏବଂ ଏହାକୁ ଏକକ ନିୟନ୍ତ୍ରଣ ରଖିବା ପରେ ମଧ୍ୟ ପ୍ରଶାସନ ଚାଷୀଙ୍କୁ ସୁବିଧା ଯୋଗାଇ ଦେଇନଥିବା ଅଭିଯୋଗ ହୋଇଛି। ଗତ ମାସ ୧୯ତାରିଖ ଠାରୁ ୪୮ଗୋଟି କେନ୍ଦ୍ରରେ ମଣ୍ଡି ବ୍ୟବସ୍ଥା କରିଥିଲେ ମଧ୍ୟ ବହୁ ଚାଷୀ ଏପର୍ଯ୍ୟନ୍ତ ଉତ୍ପାଦିତ ଧାନ ବିକ୍ରୀ କରିପାରିନଥିବା ଦେଖାଯାଉଛି। ଅନ୍ୟପଟେ ମିଲର ମାନଙ୍କୁ ଧାର୍ଯ୍ୟ ଟାରଗେଟ ପୂରଣ ହେବାରୁ ବହୁ ମିଲର ଧାନ ନେବାକୁ ଆଗଭର ହେଉନଥିବା କ୍ରେତା ମାନେ ସଫେଇ ଦେଉଥିବା ବେଳେ ଚଷୀ ମାନେ ଏହା ଏକ ଷଡଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି। ଅଧିକାଂଶ ମଣ୍ଡିରେ ଧାନ ସିଧାସଳଖ ମିଲହେଡକୁ ଯାଉଥିବାରୁ ଏଫଏକ୍ୟୁ ମାନ ନିର୍ଦ୍ଧାରଣ ପ୍ରହସନ ବୋଲି ଚର୍ଚ୍ଚା ହେଉଛି। ସଂପ୍ରତି କୁସୁମୀ ଲ୍ୟାମ୍ପ ଅଧିନସ୍ଥ ସାଲେଭାଡି ପଞ୍ଚାୟତ, କୁଟୁରାଚୁଆଁ ପଞ୍ଚାୟତ, ପାରୁଆଭାଡି ଲ୍ୟମ୍ପ ଅଧିନସ୍ଥ ପାରୁଆଭାଡି, କୁଚିଣ୍ଡା ଆରଏମସି ଅଞ୍ଚଳରେ ଚାଷୀ ମାନେ ବିକ୍ରୀ ସମସ୍ୟା ନେଇ ଆନ୍ଦୋଳନ କରିବା ସହ ରାସ୍ତା ଅବରୋଧ କରିଥିଲେ। ପରେ ପ୍ରଶାସନ ଆଶ୍ୱାସନା ଦବା ପରେ ପ୍ରତ୍ୟାହାର କରିଥିଲୋ।

ମାତ୍ର ପର ଦିନ ପୁଣି ସମାନ ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ଅର୍ଡାବାହାଲରେ ପୁଣି ଚାଷୀ ମାନେ ଆନ୍ଦୋଳନ କରିଥିବା ଦେଖାଯାଇଛି। ସଂଦ୍ଧ୍ୟାରେ ପ୍ରାୟ ୩ଘଣ୍ଟା ଧରି ରାସ୍ତା ଅବରୋଧ କରିବାରୁ ଯାତାୟତ ସଂପୂର୍ଣ୍ଣ ବ୍ୟାହତ ହୋଇଥିଲା। କୁଚିଣ୍ଡା ଉପଖଣ୍ଡ ପୁଲିସ ଅଧିକାରୀ ରାଜକିଶୋର ମିଶ୍ର, ମହୁଲପାଲି ଥାନା ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା, ତହସିଲଦାର ପ୍ରତିମା ପିଙ୍ଗ, ଅତିରିକ୍ତ ତହସିଲଦାର ମିତାଲି ମଧୁସ୍ମିତା ଦଳେଇ , ଏଆରସିଏସ, ଯୋଗାଣ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ ମଧ୍ୟ ଟାରଗେଟ ନଦେବା ଓ ଧାନ କ୍ରୟ ନକରିବା ଯାଏଁ ଏବଂ ଟୋକନର ମିଆଦ ବୃଦ୍ଧି ନକରିବା ଯାଏଁ ଆନ୍ଦୋଳନରଖିବାଗୁ ଚେତାବନୀ ଦେବା ପରେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଥିଲା। ପରେ ପ୍ରାୟ ୮ଟା୪୫ମିନିଟରେ ପ୍ରଶାସନ ୫ହଜାର କୁଇଣ୍ଟାଲ ଟାର୍ଗେଟ ଆସିଥିବା ସୂଚନା ଦେବା ପରେ ଚାଷୀ ମାନେ ଆନ୍ଦୋଳନରୁ ବିରତ ରହିଥିବା ଜଣାଯାଇଛି।

Comments are closed.