ଶ୍ରାବଣର ଶେଷ ସୋମବାରରେ ଅଘଟଣ; ପାଣିରେ ବୁଡ଼ି ପ୍ରାଣ ହରାଇଲେ କାଉଡ଼ିଆ

କୁଆଁପାଳ: କଟକ ଜିଲ୍ଲା ମାହାଙ୍ଗା ଥାନା ଉଶୁମା ଗୋକର୍ଣ୍ଣେଶ୍ୱର ଶୈବ ମନ୍ଦିର ନିକଟରେ ସୋମବାର ଘଟିଛି ଏକ ଅଘଟଣ। ଜଳାଭିଷେକ କରିବାକୁ ଆସିଥିବା କାଉଡ଼ିଆ ଗାଧୋଇବାକୁ ଯାଇ ଗୋବରୀ ନଦୀରେ ବୁଡି ପ୍ରାଣ ହରାଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି। ରଘୁନାଥ ନଗର ଗ୍ରାମର ଗଜେନ୍ଦ୍ର ବାରିକଙ୍କ ପୁତ୍ର ସରୋଜ(୨୧) ଗାଁ ସାଙ୍ଗ ସାଥିଙ୍କ ସହ ସ୍ଥାନୀୟ ମାହାଙ୍ଗା ମାହେଶ୍ୱରୀ ପୀଠ ଜରିଆ ଝିଲ୍ଲିରୁ ଜଳ ଭାର ଧରି ଉଷୁମା ଗୋକର୍ଣ୍ଣେଶ୍ୱର ଶିବ ମନ୍ଦିରକୁ ଆସିଥିଲେ। ଜଳ ଭାର ମନ୍ଦିର ପରିସରରେ ରଖି ନିକଟସ୍ଥ ଗୋବରୀ ନଦୀକୁ ଗାଧେଇବାକୁ ଯାଇଥିଲେ। ଜଳ ଭରା ନଦୀ ସ୍ରୋତରେ ଭାସି ନିଖୋଜ ହୋଇଯାଇଥିଲେ ସରୋଜ। ସ୍ଥାନୀୟ ଗ୍ରାମବାସୀମାନେ ତୁରନ୍ତ ନଦୀରେ ଖୋଜାଖୋଜି କରିଥିଲେ। ଘଣ୍ଟାଏ ପରେ ସରୋଜଙ୍କୁ ଉଦ୍ଧାର କରି ମାହାଙ୍ଗା ମେଡିକାଲ ନେଇଥିଲେ। ହେଲେ ସେତେବେଳକୁ ସରୋଜଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପ୍ରଚାରିତ ହେବାପରେ ମେଡିକାଲ ପରିସର ଲୋକାରଣ୍ୟ ହେବା ସହ ଶୋକର ବାତାବରଣ ସୃଷ୍ଟି ହୋଇଛି।

Comments are closed.