ସ୍ମାର୍ଟସିଟିବାସୀଙ୍କ ଜଳ ସମସ୍ୟା ଦୂର ହେବ, କୁଆଖାଇରେ ହେବ ଆନିକଟ

ଉତ୍ତରଭୁବନେଶ୍ୱର: ଖରାଦିନେ ଭୁବନେଶ୍ବର ମହାନଗରରେ ସୃଷ୍ଟି ହେଉଥିବା ଜଳ ସମସ୍ୟା ସମାଧାନ ହେବ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। କୁଆଖାଇରେ ଆନିକଟ କରାଯାଇ ଜଳ ସଂରକ୍ଷଣ କରାଯିବ। ଏହାଦ୍ବାରା ଭୂତଳ ଜଳସ୍ତର ବୃଦ୍ଧି ଘଟିବ ଓ ଖରାଦିନେ ସଂରକ୍ଷିତ ଜଳକୁ ବିଶୋଧନ କରାଯାଇ ମହାନଗର ବାସିନ୍ଦାଙ୍କୁ ଯୋଗାଇ ଦିଆଯିବ। ଏଥିପାଇଁ ଯନ୍ତ୍ରୀ ସମୂହ କୁଆଖାଇରେ ପ୍ରସ୍ତାବିତ ଆନିକଟ ସ୍ଥାନ ପରିଦର୍ଶନ କରିଛନ୍ତି । ଖୁବ୍ ଶୀଘ୍ର ମୃତ୍ତିକା ପରୀକ୍ଷା ପରି ଆନୁଷଙ୍ଗିକ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ପ୍ରତି ବର୍ଷ ଖରାଦିନ ଆସିଲେ କୁଆଖାଇ ଶୁଖି ଯାଇଥାଏ। ଶୁଷ୍କ ନଦୀ ଶଯ୍ୟାରୁ ଗଭୀର ନଳକୂପ ଜରିଆରେ ଜଳ ସଂଗ୍ରହ କଷ୍ଟକର ହୋଇଥାଏ। ଫଳରେ ସୃଷ୍ଟି ହୋଇଥାଏ ଜଳସଙ୍କଟ। ବିଗତ ଏକ ଦଶନ୍ଧିରୁ ଅଧିକ ହେବ ଅକ୍ଟୋବର ମାସ ପରଠାରୁ ଜୁନ୍‌ ପର୍ଯ୍ୟନ୍ତ ଏହି ନଦୀ ଅଧିକ ଶୁଷ୍କ ହେଇ ପଡୁଛି। ଜଳ ସଂରକ୍ଷଣ ପାଇଁ ପ୍ରତିବର୍ଷ ମୁଣ୍ଡୁଳି ବ୍ୟାରେଜ ଉପରେ ନିର୍ଭର କରିବାକୁ ପଡୁଥିବା ବେଳେ ବାଲି ବନ୍ଧରେ ଜଳଧାରକୁ ଅଟକାଯାଉଛି। ତେବେ ରାଜଧାନୀ ଏବଂ ଉପକଣ୍ଠ ବାସୀଙ୍କ ଆବଶ୍ୟକତା ଅନୁସାରେ ପାନୀୟଜଳ ଯୋଗାଇବା କ୍ଷେତ୍ରରେ ଦୀର୍ଘ କିଛି ବର୍ଷ ଧରି ସମସ୍ୟା ଲାଗି ରହିଛି। ୪ ମାସରୁ ଊର୍ଦ୍ଧ୍ବ ଜଳକଷ୍ଟରେ ଘାଣ୍ଟି ହେଉଛନ୍ତି ଲୋକେ। ଭୂତଳ ଜଳସ୍ତର ହ୍ରାସ ଯୋଗୁଁ କୂପ ଏବଂ ନଳକୂପରୁ ପାଣି ବି ବାହାରୁ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ବିଗତ ୨୦୧୭ରୁ କୁଆଖାଇ ଜଳ ସଂକଟ ଦୂର ତଥା ବାଲିଅନ୍ତାଠାରୁ ବାହାରିଥିବା କୁଶଭଦ୍ରା ନଦୀକୁ ଚିରସ୍ରୋତା କରିବା ପାଇଁ ବିଭିନ୍ନ ସମୟରେ ଜନସାଧାରଣଙ୍କ ଦାବିକୁ ଗୁରୁତ୍ୱ ଦେଇ ସମ୍ପୃକ୍ତ ଜଳସମ୍ପଦ ବିଭାଗ ପକ୍ଷରୁ ଘନ ଘନ ଘଟଣାସ୍ଥଳ ପରିଦର୍ଶନ ଏବଂ ସ୍ଥିତି ଅନୁଧ୍ୟାନ ଚାଲିଥିଲେ ମଧ୍ୟ ଅଦ୍ୟାବଧି କୌଣସି ନିର୍ଦିଷ୍ଟ ନିଷ୍ପତ୍ତି ହୋଇପାରି ନାହିଁ। ତେବେ ୨ବର୍ଷ ଧରି ଲଗାତର ସ୍ଥିତି ଅନୁଧ୍ୟାନ ଓ ସର୍ଭେ କରାଯାଉଥିବାବେଳେ ୨୦୧୮ ଡିସେମ୍ବର ମାସରେ ଦିଲ୍ଲୀର ଏକ ଏକ୍ସପର୍ଟ ଟିମ୍‍ କୁଆଖାଇ ଓ କୁଶଭଦ୍ରା ସଂଯୋଗସ୍ଥଳ ପରିଦର୍ଶନରେ ଆସି ସ୍ଥିତି ପରଖି ଯାଇଥିଲେ। ତା’ର କିଛି ଦିନ ବ୍ୟବଧାନରେ ୨୦୧୯ ଜାନୁଆରୀ ମାସରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନେଇ ଏ ସଂକ୍ରାନ୍ତରେ ପୁଣି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ଅଦ୍ୟାବଧି କୌଣସି ଉନ୍ନତିମୂଳକ ନିଷ୍ପତ୍ତି ହୋଇନଥିବା ବେଳେ ଅଚାନକ ଏକ ୧୦ଜଣିଆ ଯନ୍ତ୍ରୀ ଟିମ୍‍ କୁଆଖାଇ ଓ କୁଶଭଦ୍ରା ନଦୀ ଶଯ୍ୟାର ଲେବଲିଂ ଦେଖିବା ସହ ଦୁଇଟି ସ୍ଥାନରେ ନାଲି ପତାକା ଲଗାଇଛନ୍ତି।
ଏହି ଟିମ୍‍ର ନେତୃତ୍ୱ ନେଇଥିଲେ ପ୍ରାଚୀ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏବଂ ଏଥିରେ ସାମିଲ ହୋଇଥିଲେ ମହାନଦୀ ନିମ୍ନ ଅବବାହିକା ମୁଖ୍ୟ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ଡିଜାଇନିଂ, ମୁଖ୍ୟ ଯନ୍ତ୍ରୀ ଯୋଜନା, ମୁଖ୍ୟ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସମେତ ବହୁ କନିଷ୍ଠ ଯନ୍ତ୍ରୀ। ତେବେ ଏହି ସର୍ଭେ ଓ ସ୍ଥିତି ଅନୁଧ୍ୟାନ ପୂର୍ଣ୍ଣାଙ୍ଗ ଓ ସଫଳତା ଲାଭ କରିଛି ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଖୁବ୍‍ଶୀଘ୍ର କୁଶଭଦ୍ରା ଓ କୁଆଖାଇ ତଳର ସଏଲ ଟେଷ୍ଟ କରାଯିବା ସହ ବୈଷୟିକ କମିଟି ଦ୍ୱାରା ଡିପିଆର ଆପ୍ରୁଭ ହୋଇ ବ୍ୟୟ ଅଟକଳ କରାଯିବା ପରେ ଆନିକଟ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏକପ୍ରକାର ନିଶ୍ଚିତ ହେବାକୁ ଯାଉଥିବା ଆନିକଟ ନିର୍ମାଣ ନେଇ ସ୍ଥାନୀୟ ଅଞ୍ଚଳରେ ଆଶା ସଞ୍ଚାର ହୋଇଛି।

Comments are closed.