ଝାରସୁଗୁଡାରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ

- ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କଲେ ଉଦ୍‍ଘାଟନ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ମଙ୍ଗଳବଜାରଠାରେ ଥିବା ପୁରୁଣା ଜିଲା ସଦର ଡାକ୍ତରଖାନାରେ ନିର୍ମାଣ ହୋଇଥିବା କୋଭିଡ ହସ୍ପିଟାଲ ବୁଧବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଆଜି ଅପରାହ୍ଣ ୪:୩୦ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହାକୁ ଉଦ୍‍ଘାଟନ କରିଛନ୍ତି। ମଙ୍ଗଳବଜାର ସ୍ଥିତି ପ୍ରେକ୍ଷାଳୟରେ ଅନୁଷ୍ଠିତ ଉଦଘାଟନ ଉତ୍ସବ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲାରେ କୋଭିଡ ହସ୍ପିଟାଲ ସ୍ଥାପନ କରି ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଝାରସୁଗୁଡ଼ାରେ କୋଭିଡ଼ ହସ୍ପିଟାଲ ସ୍ଥାପନ ହେବା ଦ୍ୱାରା ଝାରସୁଗୁଡ଼ାବାସୀ ତଥା ସମ୍ବଲପୁର ଜିଲ୍ଲାର କିଛି ଲୋକ ମଧ୍ୟ ଏହାର ଲାଭ ପାଇ ପାରିବେ। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ କୋଭିଡ ମହାମାରୀ ବିରୁଦ୍ଧରେ ପ୍ରସ୍ତୁତିର ଏକ ବଳିଷ୍ଟ ନମୁନା ଅଟେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଛନ୍ତି।

ସେହିପରି ବରଗଡ ସଂସାଦସ ସୁରେଶ ପୂଜାରୀ କହିଛନ୍ତି କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେମାନେ ଲକ ଡାଉନ ଘୋଷଣା କରି ଲୋକଙ୍କୁ ଖାଦ୍ୟ ପାନୀୟ, ଆର୍ଥିକ ସହାୟତା ଆଦି ଯୋଗାଇ ଦେଇ ଘରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ତେଣୁ ସରକାରଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟକରୀ ଭାରତବାସୀ କରୋନାକୁ ପରାଜିତ କରିବାରେ ସହଯୋଗ କରନ୍ତୁ ବୋଲି ପୂଜାରୀ କହିଛନ୍ତି। ବ୍ରଜରାଜନଗର ବିଧାୟକ କିଶୋର ମାହାନ୍ତି କହିଛନ୍ତି କରୋନା ମହାମାରୀ ରୋକିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ତାଙ୍କ ଗାଇଡ ଲାଇନକୁ ପାଳନ କରି ଲୋକେ ସାମାଜିକ ଦୂରତା ଅବଳମ୍ବନ କରିବା ସହ ଲକ ଡାଉନ ସମୟରେ ଘରେ ରହି କୋରନା ସଂକ୍ରମଣ ରୋକିବାରେ ସାହାଯ୍ୟ କରନ୍ତୁ ବୋଲି କହିଛନ୍ତି। ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦା. ବରଗଡ ସାଂସଦ ସୁରେଶ ପୂଜାରୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ନିରଞ୍ଜନ ସାହୁ, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ, ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀ, ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦିଶ ଚନ୍ଦ୍ର ବାରିକ ପ୍ରମୁଖ ପରସ୍ପର ମଧ୍ୟରେ ସାମାଜିକ ଦୂରତା ଅବଳମ୍ବନ କରି ଉପସ୍ଥିତ ଥିଲେ। ସେମାନେ ସମେସ୍ତ କରୋନା ସଂକ୍ରମଣକୁ ରୋକିବା ତଥା ଲୋକଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ମେଡିକାଲଷ୍ଟାଫ, ପୁଲିସ, ସଫେଇ କର୍ମଚାରୀ ଆଦିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଝାରସୁଗୁଡ଼ାରେ ଲୋକାର୍ପିତ ହୋଇଥିବା କୋଭିଡ଼ ହସପିଟାଲ ପାଇଁ ଜିଲା ଖଣିଜ ପାଣ୍ଠୀରୁ ୧୦ କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇଥିବାବେଳେ ବେଦାନ୍ତ ପକ୍ଷରୁ ୨ କୋଟି ଟଙ୍କାର ଯନ୍ତ୍ରପାତି ଯୋଗାଇ ଦିଆଯାଇଛି।

ଝାରସୁଗୁଡ଼ାରେ ନିର୍ମିତ ଏହି କୋଭିଡ ହସ୍ପିଟାଲରେ ଆଇସୋଲେସନ ୱାର୍ଡ ୧୦୦ ଶଯ୍ୟା, ଆଇସିୟୁ ପାଇଁ ୧୦ଟି ଶଯ୍ୟା ଓ ଷ୍ଟେପ ଡାଉନ ପାଇଁ ୭ଟି ଶଯ୍ୟା ରହିଛି। ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ ଓ ବେଦାନ୍ତ କର୍ତ୍ତୁପକ୍ଷଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ହସ୍ପିଟାଲ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ଦ୍ୱାରା ପରିଚାଳିତ ହେବ। ଏଥିପାଇଁ ଆବଶ୍ୟକ ସଂଖ୍ୟକ ଚିକିତ୍ସକ, ପାର ଚିକିତ୍ସକ, ଷ୍ଟାଫ ନର୍ସ ପ୍ରଭୃତି ହାଇଟେକ କର୍ତ୍ତୁପକ୍ଷ ନିଯୁକ୍ତ କରିଛନ୍ତି। ଏହା ବ୍ୟତୀତ ବିଭିନ୍ନ ଗୋଷ୍ଠୀରେ ଜନ ସଂସାଧନର ଅତିରିକ୍ତ ଚାହିଦାପୂରଣ କରିବା ପାଇଁ ରାଜ୍ୟ ସରକାର ସାହାଯ୍ୟ କରୁଛନ୍ତି। କୋବିଡ଼ ହସପିଟାଲ ପାଇଁ ୨୭୦ ଜଣ ଡ଼ାକ୍ତର ଓ ନର୍ସଙ୍କୁ ହାଇଟେକ ନିଯୁକ୍ତି ପ୍ରଦାନ କରିଛି। ପ୍ରଥମ ପର୍ଯ୍ୟାୟରେ ୧୩୫ ଜଣ କାର୍ଯ୍ୟରେ ଯୋଗଦେବେ ପରେ ସେମାନେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବା ସମୟରେ ଆହୁରି ୧୩୫ କାର୍ଯ୍ୟରେ ଯୋଗଦେବେ। ସମସ୍ତଙ୍କ ରହିବା ପାଇଁ ଝାରସୁଗୁଡ଼ାରେ ଏକ ହୋଟେଲ ଓ ହଷ୍ଟେଲରେ ବ୍ୟବସ୍ଥା କରାଯାଇଛି। ସମସ୍ତଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଡ଼ାକ୍ତରଖାନାକୁ ନେବା ଆଣିବା ପାଇଁ ବ୍ୟବହର କରାଯିବ।

Comments are closed.