ଚାଲାକି ଦେଖାଇଲା ଆନ୍ଧ୍ର; ଚୁପ୍ ରହିଗଲା ଓଡ଼ିଶା

ସୁପ୍ରିମକୋର୍ଟରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା, ଦସ୍ତାବିଜ୍ ପ୍ରସ୍ତୁତ ଲାଗି ଜିଲାପାଳଙ୍କୁ ନିର୍ଦେଶ

ପଟାଙ୍ଗି: କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ପଟାଙ୍ଗି ବ୍ଲକ ଅଧିନରେ ଥିବା ବିବାଦୀୟ କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରି ପଞ୍ଚାୟତ ନିର୍ବାଚନ କରିବା ସହ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ଭୋଟ ନେଇ ଚାଲିଗଲା ଆନ୍ଧ୍ର। ପ୍ରଶାସନିକ ଅପାରଗତା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହା ସଫଳ ହେଲା ବୋଲି ଚର୍ଚ୍ଚା ଜୋର ଧରିଛି। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଆଜି କେବଳ କୋରାପୁଟ ନୁହେଁ; ସମଗ୍ର ରାଜ୍ୟବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଓଡ଼ିଶାକୁ ଆନ୍ଧ୍ର ଚ୍ୟାଲେଞ୍ଜ କରି ନିର୍ବିଘ୍ନରେ ନିର୍ବାଚନ କରାଇଥିବାବେଳେ ଓଡ଼ିଶା ସରକାର, ବିରୋଧୀ ଓ ବିଭିନ୍ନ ରାଜନୈତିକ ଦଳ ସମେତ କୋରାପୁଟ ଜିଲା ପ୍ରଶାସନ ନିର୍ବାଚନ ପରବର୍ତ୍ତୀ ଆତ୍ମସମୀକ୍ଷାରେ ବ୍ୟସ୍ତ ଅଛନ୍ତି ା ୨୦୦୬ ମସିହାରୁ ସ୍ଥିତାବସ୍ଥା ଜାରି ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ଉଭୟ ରାଜ୍ୟ ପାଇଁ ରହିଛି। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ଜାରି ନିର୍ଦେଶ ସତ୍ତ୍ବେ ଆନ୍ଧ୍ର କିଭଳି ନିୟମକୁ ଉଲ୍ଲଙ୍ଘନ କରି ବିବାଦୀୟ ସ୍ଥଳରେ ନିର୍ବାଚନୀ ବିଜ୍ଞପ୍ତି ପ୍ରକାଶ କରି ନିଜର ପ୍ରଶାସନିକ କଳ ମାଧ୍ୟମରେ ଓଡ଼ିଶା ମଧ୍ୟରେ ପଶି ଶାନ୍ତିଶୃଙ୍ଖଳାର ସହ ଓଡ଼ିଶା ଭୋଟରକୁ ମତାଇ ନିଜ ସପକ୍ଷରେ ଭୋଟ ନେଇପାରିଲା ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ଆନ୍ଧ୍ରର ଏଭଳି କାର୍ଯ୍ୟଶୈଳୀକୁ ଓଡ଼ିଶାବାସୀ କେବଳ କୁମ୍ଭୀରକାନ୍ଦଣା ସଦୃଶ ଆନ୍ଧ୍ରର ଦାଦାଗିରି ଓ ଷଡ଼ଯନ୍ତ୍ର କହି ଚୁପ ରହିବା ସାର ହୋଇଥିବା ଚର୍ଚ୍ଚା ହେଉଛି। ଆନ୍ଧ୍ର ନିଜର ସାହସ ବଳରେ ବିବାଦୀୟ ଅଞ୍ଚଳକୁ ନିଜର କରିବା ପାଇଁ ରାଜନୈତିକ ଏବଂ ପ୍ରଶାସନିକ କଳକୁ ଏକତ୍ର କରି ନିଜର ଦବଦବା ଜାହିର କରି ଆନ୍ଧ୍ରର ସ୍ୱାଭିମାନକୁ ବଢ଼ାଇବାରେ ସଫଳ ହୋଇପାରିଲା ତାହା ଓଡ଼ିଶାବାସୀ ଶିକ୍ଷାଲାଭ କରିବାର ବେଳ ଆସିଛି ବୋଲି ମତପ୍ରକାଶ ପାଉଛି।

ଓଡ଼ିଶା ପାଖରେ କୋଟିଆ ପଞ୍ଚାୟତ ଓଡ଼ିଶା ମାଟିର ବୋଲି ଆଇନ ସାଙ୍ଗକୁ ସମସ୍ତ ତଥ୍ୟଭିତ୍ତିକ ପ୍ରମାଣ ରହିଛି। କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଯେଉଁଭଳି କାର୍ଯ୍ୟ କରି ଚାଲିଛନ୍ତି ତାର ନିଛକ ନିଦର୍ଶନ ଯେ କୋଟିଆ ଓଡ଼ିଶାର। ସମସ୍ତ ବଳିଷ୍ଠ ପ୍ରମାଣ ସତ୍ତ୍ବେ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅପାରଗତା ସାଙ୍ଗକୁ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ ପଡୋଶୀ ଆନ୍ଧ୍ର ଓଡ଼ିଶା ମଧ୍ୟରେ ପଶି ବିବାଦୀୟ ୨୧ ଖଣ୍ଡ ଗ୍ରାମକୁ ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ନିଜର ବୋଲି ସାବ୍ୟସ୍ତ କରିବାରେ ଆଗରେ ରହିଥିବା ଅନୁମାନ କରି ହେଉଛି। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ସତ୍ତ୍ବେ ଯଦି ଆନ୍ଧ୍ର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିପାରିଲା, ତେବେ ଓଡ଼ିଶା ପ୍ରଶାସନ କାହିଁକି ସୁପ୍ରିମକୋର୍ଟରୁ ନିର୍ବାଚନ ଉପରେ ରହିତାଦେଶ ଆଣିବାରେ ସକ୍ଷମ ହୋଇପାରିଲାନି ବୋଲି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆନ୍ଧ୍ରପ୍ରଦେଶର ସାଲୁରୁ ବିଧାୟକ ରାଜନ ଦୋରା ଖୋଲାଖୋଲି ଭାବେ ନିଜର ମନ୍ତବ୍ୟ ରଖି ନିର୍ବାଚନ ପରିଚାଳନାକୁ ଜୋର ଦେଇ ଆଗେଇ ଆସି ନିର୍ବାଚନ କରାଇବାରେ ସଫଳ ହେଲେ। ଏପରିକି ନିର୍ବାଚନ ପରେ ଗତକାଲି ସାଲୁରୁରେ ସମସ୍ତ ନବନିର୍ବାଚିତ ସରପଞ୍ଚଙ୍କୁ ଡକାଇ ସେଠାରେ ଶକ୍ତି ପ୍ରଦର୍ଶନ କରିଥିଲେ ଯେଉଁଥିରେ କୋଟିଆର ଏହି ତିନି ପଞ୍ଚାୟତର ନବନିର୍ବାଚିତ ସରପଞ୍ଚମାନେ ମଧ୍ୟ ଉପସ୍ଥିତ ଥିବା କୁହାଯାଉଛି ା ଓଡ଼ିଶାର ବିଜେଡ଼ି, କଂଗ୍ରେସ ଓ ବିଜେପି ନେତାଙ୍କ ସମ୍ମାନ ଏବଂ ସ୍ୱାଭିମାନ କୁଆଡ଼େ ଗଲା ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠାଯାଇଛି। ଆନ୍ଧ୍ର ପ୍ରଶାସନ ଯଦି ଆନ୍ଧ୍ର ସରକାରଙ୍କ ସମସ୍ତ କାର୍ଯ୍ୟକୁ ବଳପୂର୍ବକ ଓଡ଼ିଶା ମଧ୍ୟରେ ଅନୁପ୍ରବେଶ କରି ଫାଟୁସିନେରୀରେ ନିର୍ବାଚନ କରାଇପାରିଲେ ଓଡ଼ିଶା ପ୍ରଶାସନ ସବୁ ଦେଖି କାହିଁକି ଚୁପ୍‍ ବସିପଡ଼ିଲେ ଏଭଳି ପ୍ରଶ୍ନ ମଧ୍ୟ ମୁଣ୍ଡ ଟେକିଛି। ଦେଶର ଗଣତାନ୍ତ୍ରିକ ପଦ୍ଧତିରେ ଆଇନ ଏବଂ ନିୟମ ସମସ୍ତଙ୍କ ପାଇଁ ସମାନ। ମାତ୍ର ଆନ୍ଧ୍ର ପ୍ରଦେଶ ଆଇନ ଉଲ୍ଲଙ୍ଘନ କରି ନିର୍ବାଚନ କରାଇଲା ଏବଂ ଓଡ଼ିଶା ପ୍ରଶାସନ କେବଳ ଧର୍ମକୁ ଆଖିଠାର ନୀତିରେ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା କହି ଚୁପ୍‍ ବସିଥିବା ଚର୍ଚ୍ଚା ହେଉଛି। ଆନ୍ଧ୍ର ପ୍ରଶାସନର ଆଇନ ଉଲ୍ଲଙ୍ଘନକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଅବମାନନା ମାମଲା ରୁଜୁ କରି କାମ ସାରିଦେଲେ ସିନା; କିନ୍ତୁ ଜନ ସମର୍ଥନକୁ ରୋକିପାରିଲେ ନାହିଁ। ଫାଟୁସିନେରୀରେ ଆନ୍ଧ୍ର ପାର୍ଶ୍ବରୁ କୌଣସି ସରକାରୀ ଗୃହ ନ ଥିବାରୁ ଏକ ଧର୍ମୀୟ ଅନୁଷ୍ଠାନ ଗୃହରେ ଭୋଟ ଗ୍ରହଣ କରାଗଲା, ଯାହାକି ସମ୍ପୂର୍ଣ୍ଣ ବେଆଇନ। ସମସ୍ତ ପ୍ରକାର ଆଇନରୁ ଊର୍ଦ୍ଧ୍ବରେ ରହି ଆନ୍ଧ୍ର ଓଡ଼ିଶାରେ ପଶି ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କରିଥିବାବେଳେ ଓଡ଼ିଶା ପକ୍ଷରୁ ପୁଲିସ ପ୍ରଶାସନ, ଜିଲା ପ୍ରଶାସନ ଏବଂ ବିଭିନ୍ନ ରାଜନୈତିକ ନେତା ଘଟଣାସ୍ଥଳରେ ପହଞ୍ଚି କିଭଳି ନୀରବ ଦର୍ଶକ ସାଜିଲେ ବୋଲି ପ୍ରଶ୍ନ ଉଠୁଛି। ଆନ୍ଧ୍ରର ବଳପୂର୍ବକ ନିର୍ବାଚନ ଓ ଭୋଟ ଗ୍ରହଣ ବେଳେ ଓଡ଼ିଶାର ନୀରବତାକୁ ରାଜ୍ୟର ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ଅନ୍ୟପକ୍ଷରେ ଭୋଟ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବା ପରେ ଏବେ ରାସ୍ତାରୋକ, ଧର୍ମଘଟ, ମାମଲା ଆଦିର ମାନେକୁ ନେଇ ସାଧାରଣରେ ଚର୍ଚ୍ଚା । ଅନ୍ୟପକ୍ଷରେ ଏ ନେଇ ପଟାଙ୍ଗି ବିଡିଓ ଏବଂ କୋରାପୁଟ ଉପଜିଲାପାଳଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେମାନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ସୁପ୍ରିମକୋର୍ଟରେ ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା, ଦସ୍ତାବିଜ୍ ପ୍ରସ୍ତୁତ ଲାଗି ଜିଲାପାଳଙ୍କୁ ନିର୍ଦେଶ
ରାଜ୍ୟର ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ କୋଟିଆରେ ଆନ୍ଧ୍ରର ନିର୍ବାଚନ ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟର ଅବମାନନା ହୋଇଥିବା ରାଜ୍ୟ ସରକାର ହୃଦବୋଧ କରୁଛନ୍ତି। ତେଣୁ ଆନ୍ଧ୍ରର ଏହି ମନମାନି ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ କରିଥିବା ଅଦାଲତ ଅବମାନନା ପ୍ରସଙ୍ଗ ଯେଭଳି ଠିକଣା ଭାବେ ପରିଚାଳନା ହୁଏ, ତାକୁ ଦୃଷ୍ଟିରେ ରଖି ସବୁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାକୁ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।
ସୋମବାର ରାଜସ୍ବ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ଜିଲାପାଳଙ୍କୁ ଦିଆଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ ସୁପ୍ରିମକୋର୍ଟରେ ଆସନ୍ତା ୧୯ରେ କୋଟିଆ ପ୍ରସଙ୍ଗରେ ଅଦାଲତ ଅବମାନନାର ପରବର୍ତ୍ତୀ ଶୁଣାଣି ରହିଛି। ତେଣୁ ଏହି ପ୍ରସଙ୍ଗରେ ଆନ୍ଧ୍ର ସରକାର ଯେଉଁ ମନଇଚ୍ଛା କାର୍ଯ୍ୟ କରିଛନ୍ତି ତାହା ବିରୋଧରେ ଦସ୍ତାବିଜ୍ ପ୍ରସ୍ତୁତ କର। କୋଟିଆ ପଞ୍ଚାୟତର ଗଞ୍ଜେପଦର, ପାଟୁ ସିନେରୀ ଏବଂ ଫଗୁଣ ସିନେରୀ ଓଡ଼ିଶାର ବୋଲି ୧୯୬୯ରୁ ରେକର୍ଡପତ୍ର ରହିଛି। ଏସବୁକୁ ଏକାଠି କରି ସୁପ୍ରିମକୋର୍ଟରେ ମାମଲା ପରିଚାଳନା ଲାଗି ପ୍ରସ୍ତୁତ ହୁଅ। ଏଥିଲାଗି ସୁପ୍ରିମକୋର୍ଟ ‘ଏଓଆର’ଙ୍କ ସହିତ ଆସନ୍ତା ୧୭ରେ ଭିଡ଼ିଓ କନଫରେନ୍ସିଂ ରହିଛି। ଏଥିରେ ରାଜସ୍ବ ବିଭାଗ ପ୍ରମୁଖ ସଚିବଙ୍କ ସହ ଆଇନ ବିଭାଗ ଓ ରାଜସ୍ବ ବିଭାଗର ପଦସ୍ଥ ଅଧିକାରୀ ରହିବେ। ରାଜ୍ୟର ସ୍ବାର୍ଥ ଲାଗି ଯାହାସବୁ ପଦକ୍ଷେପ ଗ୍ରହଣ କରାଯାଇ ପାରିବ ତାକୁ ନିଅ। ଏଥିଲାଗି ସବୁପ୍ରକାର ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ ରାଜସ୍ବ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ଦର୍ଶାଯାଇଛି।

Comments are closed.