‘କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ରର ଆଖି’

‘କୋଟିଆ ଗ୍ରାମପୁଞ୍ଜକୁ ଆନ୍ଧ୍ରର ଆଖି’ ଏକଥା ଅନେକ ବର୍ଷ ତଳୁ ଆମେ ଶୁଣି ଆସୁଛୁ। ଆମ ସମସ୍ତଙ୍କର ଜାଣିବାରେ କୋଟିଆ ଆମ ରାଜ୍ୟର। କିନ୍ତୁ ଯଦି ଏ ଅଞ୍ଚଳରେ ଥିବା ବିଭବ ହେଉ ବା ଆନ୍ଧ୍ର (ତେଲେଙ୍ଗାନା) ରାଜ୍ୟର ସୀମା ବୃଦ୍ଧି ଲାଳସା, କୋଟିଆକୁ ଅଧିକାର କରିବାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ୧୯୬୮ ମସିହାରୁ ଏ ବିବାଦ ସୁପ୍ରିମକୋର୍ଟରେ ଅଛି ଓ କୋର୍ଟ ୨୦୦୭ ମସିହାରେ ସ୍ଥିତାବସ୍ଥା ଜାରି କରିଥିବା ଜଣାଯାଇଛି। ଏହା ମଧ୍ୟରେ ଦୀର୍ଘ ୫୪ ବର୍ଷ ବିତିଗଲାଣି। ଯଦି କୋଟିଆ ରେଭିନ୍ୟୁ ରେକର୍ଡ଼ ଅନୁସାରେ ଆମର, ତେବେ ସରକାର ସେଠାକାର ଅଧିବାସୀମାନଙ୍କ ମନ ଜିତିବା ପାଇଁ ସେ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଇତ୍ୟାଦିର ସାମଗ୍ରିକ ବିକାଶ ଓ ଓଡ଼ିଆ ଭାଷାର ପ୍ରସାର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନେବା ଆବଶ୍ୟକ। ସୁପ୍ରିମକୋର୍ଟରେ ପୁରୁଣା କେସକୁ ଉଠାଇ ଏକ ନିଷ୍ପତ୍ତି ନେବାର ପ୍ରୟାସ ଦରକାର। ସେ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ତରଫରୁ ବିକାଶ କାର୍ଯ୍ୟକ୍ରମକୁ କାହିଁକି ଓଡ଼ିଶା ସରକାର ବିରୋଧ କରିବା ଉଚିତ। କୋଟିଆ ଆମ ରାଜ୍ୟର। ଏଣୁ ସେ ଅଞ୍ଚଳର ଅଧିବାସୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା କଥା। କିନ୍ତୁ ସେମାନଙ୍କ ଭିତରୁ ଅଧିକାଂଶ ଅଶିକ୍ଷିତ ହେତୁ ଏହା କରିବାରେ ସକ୍ଷମ ହେଉନାହାଁନ୍ତି କିମ୍ବା ୨ଟି ରାଜ୍ୟର ସହାୟତା ଉପଭୋଗ କରୁଥିବାରୁ ଏହି ସମ୍ପ୍ରଦାୟର ଲୋକେ ପାଟି ଖୋଲୁନଥିବା ଅନୁମାନ କରାଯାଉଛି। ଯଦି କୋଟିଆ ଆମର ତେବେ ସେ ଅଞ୍ଚଳର ଅଧିବାସୀମାନେ ଓଡ଼ିଶାର ବୋଲି ନିଷ୍ପତ୍ତି ନିଅନ୍ତୁ ଓ ତାଙ୍କୁ ଆମ ସରକାର ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଅନ୍ତୁ। ସୀମାରେ ରାଜସ୍ବ ସୀମା ସଙ୍କେତମାନ ନିର୍ଦ୍ଧାରିତ କରି ସୁରକ୍ଷା ବଳ ଓ ଚେକ୍ଗେଟମାନ ନିର୍ମାଣ କରି ଅନୁପ୍ରବେଶ ରୋକିବା ଉଚିତ। ଏସବୁ ସତ୍ତ୍ବେ ଯଦି ଉକ୍ତ ଅଞ୍ଚଳର ଅଧିବାସୀମାନେ ଚାହାଁନ୍ତି ସେମାନେ କୋଟିଆ ଛାଡ଼ି ପଡ଼ୋଶୀ ରାଜ୍ୟକୁ ଚାଲିଯାଆନ୍ତୁ ଓ କୋଟିଆରେ ଓଡ଼ିଶାର ଅନ୍ୟ ଇଚ୍ଛୁକ ନାଗରିକମାନେ ବାସ କରନ୍ତୁ।
କୋଟିଆ କଥା ବିଚାର କରାଗଲାବେଳେ ଆମର ୧୯୫୬ର ସୀମା ଆନ୍ଦୋଳନ କଥା ବିଚାରକୁ ନିଆଯାଇପାରେ। ସେତେବେଳେ ବିହାରର ଅନେକ ନେତାଙ୍କ ପ୍ରତିପତ୍ତି ଯୋଗୁ ଓ ଆମ ସରକାରଙ୍କ ଅକ୍ଷମତା ଯୋଗୁ, ଷଢେଇକଳା, ଖରସୁଆଁ, ପଶ୍ଚିମ ସିହଭୂମି, ମେଦିନାପୁର ଇତ୍ୟାଦି ଓଡ଼ସିଶାରୁ ବିଖଣ୍ଡିତ ହେଲା। ଉକ୍ତ ଅଞ୍ଚଳରେ ୧ କୋଟିରୁ ଅଧିକ ଓଡ଼ିଆ, ଏପରିକି କେତେକ ଅଞ୍ଚଳରେ ଶତକଡ଼ା ୯୦%ରୁ ଅଧିକ ଓଡ଼ିଆ ବସତି ଥାଇ ମଧ୍ୟ ସେସବୁ ଅଞ୍ଚଳ ବିହାର, ବେଙ୍ଗଲ, ମଧ୍ୟପ୍ରଦେଶ ଇତ୍ୟାଦିକୁ ଚାଲି ଯାଇଥିଲା। ଏବେ ସେସବୁ ଅଞ୍ଚଳ ସ୍କୁଲମାନଙ୍କରେ ହିନ୍ଦି, ବେଙ୍ଗଲି କିମ୍ବା ତେଲୁଗୁ ମାଧ୍ୟମରେ ଓଡ଼ିଆ ପିଲା ପାଠ ପଢୁଛନ୍ତି। ଏସବୁ ସତ୍ତ୍ବେ ଅନ୍ୟ ରାଜ୍ୟର ସୀମାକୁ ଲାଗିଥିବା ଆମ ରାଜ୍ୟ ସୀମାର ସୁରକ୍ଷା ଆମ ସରକାର ଦେଇପାରିଲେନି। ପୂର୍ବରୁ ସୀମାନ୍ତ ଅଞ୍ଚଳ ସୁରକ୍ଷା ଓ ଅନୁପ୍ରବେଶ ରୋକିବା ପାଇଁ ସୀମାନ୍ତ ଜିଲାମାନଙ୍କରେ ଓଡ଼ିଆ ଜିଲାପାଳଙ୍କୁ ନିଯୁକ୍ତି ଦେବାର ପ୍ରଥା ଥିଲା। କିନ୍ତୁ ବର୍ତ୍ତମାନ ସରକାର ସୀମାନ୍ତ ଜିଲାମାନଙ୍କରେ ଅଣଓଡ଼ିଆ ଜିଲାପାଳଙ୍କୁ ନିଯୁକ୍ତ କରୁଛନ୍ତି। କୋଟିଆ ପରି ଘଟଣା ଘଟୁଥିଲେ ମଧ୍ୟ ସରକାରଙ୍କର ନିଦ ଭାଙ୍ଗୁନାହିଁ। ବର୍ତ୍ତମାନ କୋଟିଆ ବିଷୟଟି ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଓ ସବୁଦଳର ରାଜନୈତିକ ସ୍ୱାର୍ଥ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଯୋଗୁଁ ସରକାର ସବୁ ରାଜନୈତିକ ଦଳ ସହ ମିଶି କୋଟିଆକୁ ପ୍ରଥମେ ଆନ୍ଧ୍ରର ପଞ୍ଝାରୁ ମୁକ୍ତ କରନ୍ତୁ ଓ ତତ୍ ସଙ୍ଗେ ସଙ୍ଗେ, ବିଚ୍ଛିନ୍ନାଞ୍ଚଳ ଓଡ଼ିଆମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସେମାନଙ୍କ ଶିକ୍ଷା, ସଂସ୍କୃତିର ସୁରକ୍ଷା ପାଇଁ ସୀମା ପାର ରାଜ୍ୟ ସରକାରଙ୍କ ସହ ଏକ କମିଟି ମାଧ୍ୟମରେ ନିୟମିତ ସମ୍ପର୍କ ରକ୍ଷା ସହ ପିଲାମାନଙ୍କୁ ତଥା ଓଡ଼ିଆଙ୍କୁ ସହଯୋଗର ହାତ ବଢାନ୍ତୁ।
ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ସମଗ୍ର କୋଟିଆ ପଞ୍ଚାୟତକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କଲେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା
ସୀମାକୁ ନେଇ ଉଭୟ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଥିବା ଓ କୋଟିଆ ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ଥିବାବେଳେ ସମଗ୍ର କୋଟିଆ ପଞ୍ଚାୟତକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ଏ ନେଇ ସେ ଘୋଷଣା କରିବା ସହ ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ କୋଟିଆର ସର୍ବାଙ୍ଗୀନ ବିକାଶ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାରଙ୍କ ଅବହେଳା ଯୋଗୁଁ ସୀମାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ରାଜରାସ୍ତା, ମୋବାଇଲ୍ ସେବା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଗରେ ଓଡ଼ିଶା ସରକାର ସୀମାନ୍ତବାସୀଙ୍କୁ ଅବହେଳା କରି ଚାଲିଥିବାବେଳେ ଏସବୁର ସୁଯୋଗ ନେଇ ଆନ୍ଧ୍ର ସରକାର ଲୋଭ ଦେଖାଉଥିବା ଓ ସୁବିଧା ଖୋଜି ସୀମାନ୍ତବାସୀ ଆନ୍ଧ୍ର ମୁହାଁ ହେଉଥିବା, ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ପଡ଼ୋଶୀ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି। ଆମ ସରକାର ଭତ୍ତା କମ ଦେଉଥିବାବେଳେ ଆନ୍ଧ୍ର ସରକାର ଅଧିକ ଦେଉଛନ୍ତି, ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରତି ଆମ ସରକାର ଅଣଦେଖା କରୁଥିବାବେଳେ ସେପଟୁ ଦ୍ୱାର ମୁହଁରେ ପହଞ୍ଚୁଛି ବିକାଶ, ଧାନ ବିକ୍ରି ପାଇଁ ଆମ ଚାଷୀଙ୍କୁ ଘାଣ୍ଟି ହେବାକୁ ପଡ଼ୁଥିବା ଓ ଟଙ୍କା ପାଇଁ ଅପେକ୍ଷା କରିବାକୁ ପଡ଼ୁଥିବାବେଳେ ସେପଟେ ବିକ୍ରି କଲେ ଚାଷୀ ଖୁବ ସହଜରେ ଟଙ୍କା ପାଇପାରୁଛନ୍ତି। ଏପରି ଅନେକ ସମସ୍ୟା ରହିଛି ଯେଉଁଥିପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବା ଦରକାର। ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ତେଣୁ ତୁରନ୍ତ ଓଡ଼ିଶା ସରକାର ଆନ୍ଧ୍ର ସରକାରଙ୍କ ସହ କଥାବାର୍ତ୍ତା ହୋଇ ଉଭୟ ଜିଲା ପ୍ରଶାସନ ସହାୟତାରେ ଆଲୋଚନା ମାଧ୍ୟମରେ ସୀମା ବିବାଦର ସମାଧାନ କରିବାକୁ ସେ ଆହ୍ୱାନ କରିଛନ୍ତି।
୧୫ଦିନରେ ଥରେ ହେବ କୋଟିଆ ବିକାଶର ସମୀକ୍ଷା
କୋଟିଆବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ୧୫୦କୋଟିର ବ୍ୟୟବରାଦ କରିଥିବାବେଳେ କୋରାପୁଟ ଜିଲା ପ୍ରଶାସନ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିଛି। କୋଟିଆ ପଞ୍ଚାୟତବାସୀଙ୍କ ନିକଟରେ ସମସ୍ତ ସରକାରୀ ସୁବିଧା ଓ ଯୋଜନା ପହଞ୍ଚାଇବା ପାଇଁ ଜିଲା ପ୍ରଶାସନ ଚେଷ୍ଟା ଜାରି ରଖିଛି। ଓଡ଼ିଶା ପଟର ବିକାଶ କାର୍ଯ୍ୟ ଦେଖି ଆନ୍ଧ୍ର ସହିପାରୁନାହିଁ। ତେଣୁ କୋଟିଆବାସୀଙ୍କୁ ପ୍ରଲୋଭିତ କରିବା ପାଇଁ ବିଭିନ୍ନ ସମୟରେ ସେମାନଙ୍କୁ ନାନା ପ୍ରଲୋଭନ ଦେଖାଇ ବାନ୍ଧି ରଖିବାକୁ ଚେଷ୍ଟା କରୁଛି। ଏପରିକି ଗତ କିଛିଦିନ ହେଲା ଛାତ୍ରଛାତ୍ରୀଙ୍କୁ ପ୍ରଲୋଭନ ଦେଖାଇବା, କୋଟିଆରେ ବନ୍ଧ ଆଦି ଖୋଳିବା କାର୍ଯ୍ୟ ଜାରି ରଖିଛି ଆନ୍ଧ୍ର। ଆନ୍ଧ୍ର ସରକାରଙ୍କ ଦ୍ବାରା କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସମୁଦାୟ ୭ଟି ବନ୍ଧ ଖୋଳାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗଞ୍ଜେଇପଦର ନିକଟରେ ଓଡ଼ିଶା ପକ୍ଷରୁ ଖୋଳାଯାଇଥିବା ବନ୍ଧ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ପାଇଁ ଦାବି ଉଠିଛି। ସରକାର ୧୫୦ କୋଟି ଟଙ୍କା ଖର୍ଚ୍ଚ କରି କୋଟିଆ ଅଞ୍ଚଳର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଥିବାବେଳେ ଜନଜୀବନକୁ ପ୍ରଭାବିତ କରୁଥିବା ଦିଗ ଗୁଡ଼ିକ ଉପରେ ପ୍ରଶାସନ ଦୃଷ୍ଟି ରଖିଛି। ସେମାନଙ୍କ ବିକାଶ ପାଇଁ ଆମେ ବଦ୍ଧପରିକର ବୋଲି ଜିଲାପାଳ ପ୍ରକାଶ କରିବା ସହ ପ୍ରତ୍ୟେକ ୧୫ଦିନରେ ଥରେ କୋଟିଆ ପଞ୍ଚାୟତରେ ବିକାଶ କେତେଦୂର ଆଗେଇଛି ସେ ନେଇ ସମୀକ୍ଷା କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
କୋଟିଆରେ ଆନ୍ଧ୍ର ଦାଦାଗିରି, ସୁପ୍ରିମ୍କୋର୍ଟରେ ରାଜ୍ୟ ସରକାର
କୋରାପୁଟ ଜିଲା ପଟାଙ୍ଗି ବ୍ଲକ୍ କୋଟିଆ ଗ୍ରାମପୁଞ୍ଜର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ; କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ କୋର୍ଟ ଅବମାନନା ଅଭିଯୋଗ ଉଠାଇ ଓଡ଼ିଶା ସରକାର ପିଟିସନ୍ ରୁଜୁ କରିଛନ୍ତି। ତେବେ ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାର ପିଟିସନ ଦାୟର ହୋଇଛି। ଅନ୍ୟପକ୍ଷରେ ୧୯୩୬ରେ ଓଡ଼ିଶା ସରକାର ଗଠନ କରାଗଲା, ସେତେବେଳେ ଜାଗା ବି ଚିହ୍ନଟ ହୋଇଥିଲା। ୧୯୫୫ରେ ଯେତେବେଳେ ଆନ୍ଧ୍ର ପ୍ରଦେଶ ଗଠନ କରାଗଲା, ସେତେବେଳେ ବି ଏହାର ପରିସୀମା ଚିହ୍ନଟ ହୋଇଥିଲା। ୧୯୬୮ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବି ସୀମା ଚିହ୍ନଟ ହୋଇଥିଲା; ତଥାପି ଆନ୍ଧ୍ର ମାଡ଼ିଆସୁଛି। ଓଡ଼ିଶା ସରକାର କ’ଣ କରୁଛନ୍ତି। ଯେଉଁ ସମ୍ପତ୍ତି ଉପରେ ଆନ୍ଧ୍ର ମାଡ଼ି ଆସିଛି, ତାକୁ ତୁରନ୍ତ ସୁରକ୍ଷା ଦିଆଯାଉ ଓ ନିର୍ବାଚନକୁ ବନ୍ଦ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି କୋର୍ଟରେ ଜଣାଇଥିବା ବରିଷ୍ଠ ଆଇନଜୀବୀ ଗୋପାଳ ପ୍ରସାଦ ଜେନା କହିଛନ୍ତି।
ବର୍ତ୍ତମାନ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସହ ଓଡ଼ିଶାର ସୀମା ବିବାଦ ରହିଛି। ଏହି ରାଜ୍ୟଗୁଡ଼ିକର ସୀମାକୁ କୋରାପୁଟ, ବାଲେଶ୍ବର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ନୂଆପଡ଼ା ଆଦି ୧୪ ଜିଲାର ସୀମା ଲାଗି ରହିଛି। ଦୀର୍ଘଦିନ ଧରି ବିବାଦ ରହିଥିଲେ ହେଁ ଓଡ଼ିଶା ସରକାର ଏହାର ସମାଧାନ ପାଇଁ ସମୁଚିତ ଧ୍ୟାନ ନଦେବା ପରିତାପର ବିଷୟ। ଅତୀତରେ ଏ ସମ୍ପର୍କରେ ବିଧାନସଭାରେ ଅନେକ ଥର ଆଲୋଚନା ହୋଇଛି ଏବଂ ବିଧାନସଭା ଗୃହ କମିଟି ବୈଠକରେ ମଧ୍ୟ ଉଦ୍ବେଗ ପ୍ରକାଶ ପାଇଛି। ଦୁଃଖର କଥା ଯେ ଗୃହ କମିଟିର ବୈଠକରେ ଏ ନେଇ ଯେଉଁ କାର୍ଯ୍ୟପନ୍ଥା ସ୍ଥିର ହେଉଛି, ତାହା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହେଉନାହିଁ। ଫଳରେ ପଡ଼ୋଶୀ ରାଜ୍ୟଗୁଡ଼ିକ ସହ ସୀମା ବିବାଦ ତୁଟିବା ବଦଳରେ ନୂଆ ସମସ୍ୟା ସୃଷ୍ଟି ହେଉଛି। ଏଥିରେ ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକେ ବେଶି ହଇରାଣ ହେଉଛନ୍ତି। ଏଥିପ୍ରତି ରାଜନୈତିକ ଦଳଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଉଦାସୀନ। ଯୁଗଯୁଗ ଧରି ଅନୁନ୍ନତ ଅବସ୍ଥାରେ ରହିଥିବା ଉକ୍ତ ଅଞ୍ଚଳଗୁଡ଼ିକରେ ବିକାଶ କାର୍ଯ୍ୟ କରାଯାଇ ପ୍ରଶାସନ ପକ୍ଷରୁ ଲୋକଙ୍କ ସହ ଭାବଗତ ସମ୍ପର୍କ ବଢ଼ାଇବା ଆବଶ୍ୟକ। ସର୍ବୋପରି ପଡ଼ୋଶୀ ରାଜ୍ୟ ସରକାରମାନଙ୍କ ସଙ୍ଗେ ଅବିଳମ୍ବେ ଗଠନମୂଳକ ଆଲୋଚନା କରିବା ନିହାତି ଜରୁରୀ ହୋଇପଡ଼ିଛି। ଆନ୍ତରିକତାର ସହ ପଦକ୍ଷେପ ନେଲେ ଏହି ସମସ୍ୟାର ସମାଧାନ ଅବଶ୍ୟ ହୋଇପାରିବ।