କୋଟିଆ କୋରାପୁଟିଆ ହିପହପ ଗୀତକୁ ନେଇ ଚର୍ଚ୍ଚା

କୋରାପୁଟ: କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଚରମ ସୀମାରେ ପହଞ୍ଚିଥିବାବେଳେ କୋଟିଆର ଗାଥାକୁ ନେଇ ଏକ ନୂତନଶୈଳୀର ସଙ୍ଗୀତ କୋରାପୁଟରେ ଚର୍ଚ୍ଚାର ବିଷୟ ହୋଇଛି। କୋରାପୁଟ ମାଟିର ଜଣେ ଇଞ୍ଜିନିୟରିଂ ଛାତ୍ର କୋଟିଆକୁ ନେଇ ଏକ ହିପହପ ଗୀତ ଲେଖି ନିଜେ ଉକ୍ତ ଗୀତ ବୋଲି ନିଆରା ଅଭିନୟ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରେ ଏହି ଗୀତ ଏବେ ବେଶ ପ୍ରଶଂସା ସାଉଁଟିଛି। ଯୁବକଙ୍କର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବାବେଳେ ରାପ ସଙ୍ଗୀତକୁ ନିଶା ଭାବେ ଗ୍ରହଣ କରିଥିବା ଏହି ଯୁବକଙ୍କୁ ନେଇ ଏବେ ଚର୍ଚ୍ଚା।
କୋରାପୁଟ ଜିଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳ ସେମିଳିଗୁଡ଼ା ନନ୍ଦପୁର ରୋଡରେ ବାସ କରନ୍ତି ବିଜୟଚନ୍ଦ୍ର ଏପୁଡ଼ୁ ଓ ଭାନୁମତୀ। ଏହି ଦମ୍ପତିଙ୍କ ସୁପୁତ୍ର ଏ.ରମନକୁମାର ସେମିଳିଗୁଡ଼ାସ୍ଥିତ ସୀତମ ଇଞ୍ଜିନିୟରିଂ କଲେଜରୁ ଇଞ୍ଜିନିୟରିଂ ଉତ୍ତୀର୍ଣ୍ଣ ହୋଇଛନ୍ତି। ରମନ କେବଳ କୋଟିଆ ନୁହେଁ ପୂର୍ବରୁ ଓଡ଼ିଶାର ସଂସ୍କୃତି, ଐତିହ୍ୟ ସାଙ୍ଗକୁ କୋରାପୁଟର ସଂସ୍କୃତି, ଐତିହ୍ୟ ଓ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ହିପହପ ସଙ୍ଗୀତ ଲେଖି ଚର୍ଚ୍ଚିତ ହୋଇଥିଲେ। ଏବେ କୋଟିଆ ଉପରେ ଏକ ନିଆରା ଶୈଳୀରେ ପୁଣି ଏକ ହିପହପ ସଙ୍ଗୀତ ଲେଖିବା, ଗାଇବା ଓ ଅଭିନୟ କରି ପୁଣି ପ୍ରଶଂସା ସାଉଁଟିଛନ୍ତି ରମନ। ଏହି ସଙ୍ଗୀତର ନାଁ କୋଟିଆ କୋରାପୁଟିଆ ରଖାଯାଇଥିବାବେଳେ ଏହା ଏବେ ବେଶ ଭାଇରାଲ୍ ହେବାରେ ଲାଗିଛି।
କୋଟିଆ କୋରାପୁଟିଆଙ୍କ ଗୌରବ। ଗୁଣ୍ଡୁଚି ମୂଷାର ଅବଦାନ ଭଳି କୋଟିଆବାସୀଙ୍କ ମନ ଜିଣିବା ତଥା ସମଗ୍ର ରାଜ୍ୟବାସୀଙ୍କୁ କୋଟିଆର ଗାଥାକୁ ହିପହପ ସଙ୍ଗୀତ ମାଧ୍ୟମରେ ଅବଗତ କରାଇବାକୁ ଲକ୍ଷ୍ୟ ରଖିଥିବା କହନ୍ତି ରମନ। କୋଟିଆରେ ଯେଭଳି ଆନ୍ଧ୍ରର ଅନୁପ୍ରବେଶକୁ ରୋକାଯାଇପାରିବ, ଓଡ଼ିଶା ସରକାର ସେ ଦିଗରେ ଯତ୍ନବାନ ହେବାକୁ ସେ ନିବେଦନ କରିବା ସହ କୋରାପୁଟର ଯୁବପିଢ଼ି କୋଟିଆକୁ ବଞ୍ଚାଇ ରଖିବା ପାଇଁ ଆଗକୁ ଆସିବାକୁ ଆହ୍ବାନ ଦେଇଛନ୍ତି।