ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ; ଚିଠିକୁ ନେଇ କୋଶିୟାରୀ-ଉଦ୍ଧବ ବାକ୍ଯୁଦ୍ଧ

ମୁମ୍ବଇ : ଧର୍ମପୀଠ ଖୋଲିବାକୁ କେନ୍ଦ୍ରକରି ମହାରାଷ୍ଟ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ତୀବ୍ର ବିବାଦ ସୃଷ୍ଟି ହୋଇଛି। ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଏକ ଚିଠିରେ ଲେଖିଛନ୍ତି ଯେ ‘ଆପଣ ଜଣେ ନୈଷ୍ଠିକ ହିନ୍ଦୁ। ଆପଣ ଭଗବାନ ଶ୍ରୀରାମଙ୍କ ପ୍ରତି ନିଜର ଭକ୍ତି ସର୍ବସାଧାରଣରେ ପ୍ରଦର୍ଶନ କରନ୍ତି। ଏକାଦଶୀରେ ଆପଣ ବିଠଲ ରୁକ୍ମିଣୀ ମନ୍ଦିର ଦର୍ଶନ କରନ୍ତି। ଏପରିସ୍ଥଳରେ ଦୀର୍ଘ କାଳ ଧରି ବନ୍ଦ ରହିଥିବା ମନ୍ଦିର ଖୋଲିବାକୁ କେବେ କ’ଣ କିଛି ଐଶ୍ବରିକ ପ୍ରେରଣା ପାଇ ନାହାନ୍ତି ? ଆପଣ ମହାରାଷ୍ଟ୍ରରେ ବାର୍ ଓ ରେସ୍ତୋରାଁ ଖୋଲିବାକୁ ଅନୁମତି ଦେଇଛନ୍ତି; କିନ୍ତୁ ଧର୍ମପୀଠ ଖୋଲିବା ପ୍ରସ୍ତାବକୁ ବାରମ୍ବାର ଟାଳିଚାଲିଛନ୍ତି। ଦେବଦେବୀଙ୍କୁ ଆପଣଙ୍କ ସରକାର ଅଦ୍ୟାବଧି ତାଲାବନ୍ଦରେ ରଖିଛନ୍ତି। ଏଥିନେଇ ଆପଣଙ୍କ ଉଦାସୀନତା ମୋତେ ଆଶ୍ଚର୍ଯ୍ୟ କରୁଛି। ଆପଣ କେମିତି ହଠାତ୍ ଏତେ ଧର୍ମନିରପେକ୍ଷ ପାଲଟିଗଲେ ? ରାଜଧାନୀ ଦିଲ୍ଲୀରେ ଜୁନ୍ରୁ ମନ୍ଦିର ଓ ପୂଜାପୀଠ ଖୋଲିଥିଲେ ମଧ୍ୟ କରୋନା ବ୍ୟାପୀ ନାହିଁ; ତେଣୁ ଆପଣ ସମସ୍ତ ଧାର୍ମିକ ପୀଠ ଖୋଲିବାକୁ ଅନୁମତି ଦେବା ପାଇଁ ମୁଁ ଅନୁରୋଧ କରୁଛି।’
ସାମାଜିକ ଗଣମାଧ୍ୟମରେ ରାଜ୍ୟପାଳଙ୍କର ଏହି ଚିଠି ଘୂରି ବୁଲିବା ପରେ ଏଥିନେଇ ଉଦ୍ଧବ ଉତ୍କ୍ଷିପ୍ତ ହୋଇପଡ଼ିଛନ୍ତି। ‘ଆପଣଙ୍କଠାରୁ ହିନ୍ଦୁତ୍ବ ବାବଦରେ କୌଣସି ପ୍ରମାଣପତ୍ର ମୋର ଆବଶ୍ୟକ ନାହିଁ’ ବୋଲି ସେ ଚିଠିର ଜବାବରେ ରୋକ୍ଠୋକ୍ ଜଣାଇ ଦେଇଛନ୍ତି। ‘ମୋର ହିନ୍ଦୁତ୍ବ ବାବଦରେ ଆପଣଙ୍କ ମତ ଠିକ୍; କିନ୍ତୁ ମୁମ୍ବଇକୁ ପିଓକେ କହୁଥିବା ବ୍ୟକ୍ତିଙ୍କ ସମର୍ଥକ ଭାବେ ଆପଣଙ୍କ ପ୍ରମାଣପତ୍ର ମୋର ଅନାବଶ୍ୟକ। କେବଳ ଧର୍ମାନୁଷ୍ଠାନ ଖୋଲିଦେଲେ ମୁଁ ହିନ୍ଦୁ ହୋଇଯିବି; ନଚେତ୍ ଧର୍ମନିରପେକ୍ଷ ହେବି ଏହା ଭୁଲ୍। ଧର୍ମନିରପେକ୍ଷତା ହେଉଛି ସମ୍ବିଧାନର ମୌଳିକତା; ଏହା ମୋତେ ଶିଖାଇବା ଦରକାର ନାହିଁ। ଐଶ୍ବରିକ ଅନୁଭୂତି ଆପଣ ପାଇଥିବେ; କିନ୍ତୁ ମୁଁ ସେତେ ମହାନ ନୁହେଁ। ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ଗଭୀର ଚିନ୍ତା କରୁଛନ୍ତି; ଆପଣଙ୍କ ଅନୁରୋଧକୁ ବିଚାର କରାଯିବ’ ବୋଲି ଉଦ୍ଧବ କହିଛନ୍ତି। ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ରାଜ୍ୟପାଳଙ୍କ ଚିଠି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବାକୁ ତୀବ୍ର ସମାଲୋଚନା କରିଛନ୍ତି। ଈଶ୍ବର ନୁେହଁ; ବରଂ ସମ୍ବିଧାନ ନାମରେ ରାଜ୍ୟପାଳ ଶପଥ ଗ୍ରହଣ କରିଥାଆନ୍ତି। ଏବେ କିନ୍ତୁ କ’ଣ ହୋଇଛି କେଜାଣି ସମ୍ବିଧାନ ତାଙ୍କ ପାଇଁ ଅଡ଼ୁଆ ହୋଇଛି। ସେ କ’ଣ ବିଜେପି ନେତା ଭାବେ ଏହି ଚିଠି ଲେଖିଛନ୍ତି ବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି। ରାଜ୍ୟପାଳଙ୍କୁ ବିଜେପି ମୁଖପାତ୍ର ଭଳି ନୁହେଁ; ବରଂ ତାଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ପ୍ରତି ସଚେତନ କରାଇବା ନେଇ ସେ ଭାରତର ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଦଳର ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତିି ସେ ରାଜ୍ୟ ସରକାର ଧର୍ମ ଆଧାରରେ ନୁହେଁ; ସାମ୍ବିଧାନିକ ବିଧି ବ୍ୟବସ୍ଥା ଆଧାରରେ କାମ କରୁଛନ୍ତି। କଂଗ୍ରେସ ମୁଖପାତ୍ର ଦିନେଶ ଗୁଣ୍ଡୁରାଓ ପ୍ରତିକ୍ରିୟାରେ କହିଛନ୍ତି ଯେ ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ହୋଇଥିବାରୁ ସମ୍ବିଧାନର ରକ୍ଷାକର୍ତ୍ତା ଭାବେ କାର୍ଯ୍ୟ କରିବା ଉଚିତ। ମୁଖ୍ୟମନ୍ତ୍ରୀଙ୍କୁ ସେ ଏଭଳି ଚିଠି ଲେଖିବା ଅନୁଚିତ। ଏନ୍ସିପି ମୁଖ୍ୟ ଶରଦ ପୱାର ମଧ୍ୟ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟପାଳ ଯେଉଁ ଭାଷାରେ ପତ୍ର ଲେଖିଛନ୍ତି ତାହା ଅପ୍ରାସଙ୍ଗିକ ଓ ଅନୁଚିତ ବୋଲି ସେ ଜଣାଇଛନ୍ତି। ତାଙ୍କର ଆଚରଣ ଆପତ୍ତିଜନକ ଏବଂ ରାଜ୍ୟପାଳ ପଦ ମର୍ଯ୍ୟାଦାର ଅବକ୍ଷୟ ବୋଲି ପୱାର ଲେଖିଛନ୍ତି।