କରୋନା ମାଡ଼ରେ ପରିଚାଳନା ବାଟବଣା : ଭୋକ ମେଣ୍ଟୁନି, ପାଠ ରୁଚୁନି

୫୦ହଜାରରୁ ୫ହଜାରରୁ କମ୍‍ ପିଲାଙ୍କ ପାଖରେ ରହିଛି ଫୋନ ସୁବିଧା

କୋରାପୁଟ : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର କଦ୍ରୁପ ରୂପ ଦେଖିବାକୁ ମିଳୁଛି। ମହାମାରୀ କରୋନା ମାଡ଼ରେ କିଛି ସରକାରୀ ବ୍ୟବସ୍ଥାଗତ ତ୍ରୁଟିର ଶିକାର ହୋଇଛନ୍ତି ଲକ୍ଷଲକ୍ଷ ବିଦ୍ୟାର୍ଥି। କରୋନା କଟକଣା ଭିତରେ ଆଜକୁ ଦୀର୍ଘମାସ ହେଲା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଭଳି ଏହିସବୁ ଶିକ୍ଷାନୁଷ୍ଠାନରେ ଉପସ୍ଥାନ ଶୂନ। ସରକାରୀ ନିର୍ଦେଶ ଅନୁସାରେ ଚାଲିଥିବା ଅନଲାଇନ ପାଠପଢ଼ା ସମ୍ପୂର୍ଣ୍ଣ ବିଫଳ ହୋଇଥିବାବେଳେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ଲକ୍ଷାଧିକ ବିଦ୍ୟାର୍ଥି। ପାଖାପାଖି ୫୦ହଜାର ପିଲାଙ୍କ ମଧ୍ୟରୁ ୫ହଜାରରୁ କମ୍‍ ପିଲାଙ୍କ ପରିବାରରେ ସ୍ମାର୍ଟ ଫୋନ ଥିବା ଯୋଗୁଁ ଏହି ଯୋଜନା ସମ୍ପୂର୍ଣ୍ଣ ବିଫଳ।

କୋରାପୁଟ ଜିଲାରେ ମଙ୍ଗଳ ବିଭାଗ ଅଧିନରେ ଗୋଟିଏ ଏକଲବ୍ୟ ମଡେଲ ବିଦ୍ୟାଳୟ, ୨୧ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ୧୭ଟି ଏସଏସଡି (ଅନୁସୂଚିତ ଜାତି ଓ ଜନଜାତି) ଉଚ୍ଚବିଦ୍ୟାଳୟ, ୧୮ଟି ଏସଏସଡି ବାଳିକା ବିଦ୍ୟାଳୟ, ୪୭ଟି ଆଶ୍ରମ ବିଦ୍ୟାଳୟ( ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ), ୭୨ଟି ସେବାଶ୍ରମ (ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ), ଏପରି ମୋଟ ୧୫୬ଟି ଶିକ୍ଷାନୁଷ୍ଠାନ ପରିଚାଳିତ। କରୋନା କଟକଣା ଭିତରେ ବିଦ୍ୟାଳୟ ବନ୍ଦ ହୋଇଯିବା ପରେ ପିଲାଙ୍କ ଶିକ୍ଷାର ବିକାଶ ଦୃଷ୍ଟିରୁ ମଙ୍ଗଳ ଅଧିକାରୀ ନିଜେ ମଙ୍ଗ ଧରି ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ନିଜ ନିଜ ଶିକ୍ଷାନୁଷ୍ଠାନ ନିକଟବର୍ତ୍ତୀ ଗାଁରେ ସପ୍ତାହକୁ ପାଞ୍ଚଦିନ ପାଠ ପଢ଼ାଇବା ପାଇଁ ନିର୍ଦେଶ ଜାରି କରିଥିଲେ। ପ୍ରାୟ ଦେଢ଼ମାସ ପର୍ଯ୍ୟନ୍ତ ଅର୍ଥାତ ସାତ ସପ୍ତାହ ଏଭଳି ପାଠପଢ଼ା ଚାଲିଲା। ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ପାଠ ପଢ଼ାଇଲେ, କିଛି ଠକ ମାରିଲେ। କରୋନା ସଂକ୍ରମଣ ବ୍ୟାପିବା ପରେ ଏହି ବ୍ୟବସ୍ଥା ମଧ୍ୟ ବନ୍ଦ। ଫଳରେ ଉପାନ୍ତ ଓ ଅବହେଳିତ ଅଞ୍ଚଳର ପିଲାଙ୍କ ବସ୍ତାନୀରେ ଡୋରି ବନ୍ଧା ହୋଇଗଲା। ନାଁ ସେମାନେ ଅନଲାଇନ ପଢ଼ିପାରିଲେ, ନାଁ ଚାଟଶାଳୀ ଢାଞ୍ଚାରେ ଚାଲିଥିବା ପାଠପଢ଼ାର ସୁବିଧା ପାଇପାରିଲେ। ଅଭାବୀ ସଂସାରରେ ଅଭିଭାବକ ମଧ୍ୟ ସେମାନଙ୍କୁ ପାଠପଢ଼ା ପାଇଁ ବାଧ୍ୟ କରିବା ପରିବର୍ତ୍ତେ ନିଜେ କରୁଥିବା କାମରେ ସେମାନଙ୍କୁ ନିୟୋଜିତ କରାଇଲେ। ପାଠପଢ଼ା ଶୂନ। ପାଠରୁ ବଞ୍ଚିତ ଏହି ପିଲାଙ୍କୁ ସରକାରୀ ଯୋଜନାର ତ୍ରୁଟି ଭୋକିଲା କରିଛି। ଅଭାବ ଅନଟନରେ ବୁଡ଼ି ରହିଥିବା ଅନେକ ପରିବାର ନିଜେ ଦୁଇ ଓଳି ଖାଇବାକୁ ପାଉ ନ ଥିବାବେଳେ ପିଲାଙ୍କ ପେଟ ନେଇ ଚିନ୍ତିତ।

ସମ୍ପ୍ରତି ସରକାର ରାଜ୍ୟରେ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ୫୭ଦିନ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଅର୍ଥାତ ଜୁନ୍‍ ୧୪ରୁ ପୁଣି ଅଗଷ୍ଟ ୩୧ଯାଏଁ ମଧ୍ୟାହ୍ନ ଭୋଜନରେ ରାସନ ଦେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନୋଡାଲ ଅଫିସରଙ୍କୁ ଚିଠି କରାଯାଇଥିଲେ ହେଁ ଏହି ଯୋଜନାରୁ ଏହିସବୁ ପିଲାଙ୍କୁ ବାଦ ଦିଆଯାଇଛି। ପୂର୍ବରୁ ସରକାରୀ ନିର୍ଦେଶ ପ୍ରକାରେ କେବଳ ଅନ୍ତେବାସୀଙ୍କ ମଧ୍ୟରୁ ପୁଅ ପିଲାଙ୍କୁ ୭୫୦ଟଙ୍କା, ଝିଅ ପିଲାଙ୍କୁ ୮୦୦ଟଙ୍କା ତିନିମାସ ପାଇଁ ପ୍ରଦାନ କରାଯାଇଥିଲେ ହେଁ ଦିବାଧ୍ୟାୟୀଙ୍କୁ ଏହି ଯୋଜନାରେ ଟଙ୍କାଟିଏ ଅନୁଦାନ ମିଳି ନ ଥିଲା। ତେବେ ଦିବାଧ୍ୟାୟୀ ଓ ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନାରୁ ବାଦ ଦିଆଯାଇଛି। ସାମ୍ପ୍ରତିକ ପରିସ୍ଥିତିରେ ସେମାନେ ଆଉ କେବେ ବିଦ୍ୟାଳୟ ବାରଣ୍ଡା ମାଡ଼ିବେ ତାହା ଜଣା ନ ଥିଲେ ମଧ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି କରିଛି। ଅନ୍ୟପକ୍ଷରେ ଏ ନେଇ ଜିଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ସକାରାତ୍ମକ ପଦକ୍ଷେପ ନିଆଯାଇପାରେ ବୋଲି ଆଶା ରଖିଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଅନଲାଇନ ପାଠପଢ଼ା ଉପରେ ପ୍ରତିକ୍ରିୟା ଦେଇ ସାମ୍ପ୍ରତିକ ସ୍ଥିତିରେ ପୂର୍ବ ଭଳି ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ପଠାଯାଇପାରୁନାହିଁ, ତେବେ ଆଗାମୀ ଦିନର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ଭଳି ଗାଁ ଗାଁରେ ପିଲାଙ୍କୁ ପାଠ ପଢ଼ାଯିବା ନେଇ ଯୋଜନା ରହିଥିବା ସ୍ପଷ୍ଟ କରିଛନ୍ତି। ଅସୁବିଧା ଥାଇପାରେ, ତଥାପି ପିଲା ପାଠ ପ୍ରତି ଆଗ୍ରହ ଦେଖାଇବା ସହ ବିଦ୍ୟାଳୟ ପୁନଃ ଖୋଲିବା ପର୍ଯ୍ୟନ୍ତ ପାଠରେ ମନୋନିବେଶ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Comments are closed.