କଂଗ୍ରେସ ଛାଡି ବିଜେଡିକୁ ଯାଇଥିବା ନେତା କୋଣଠେସା; ନାଁ କିଛି କହି ପାରୁଛନ୍ତି, ନାଁ ସହି ପାରୁଛନ୍ତି

ଭବାନୀପାଟଣା- ବିଜୁ ଜନତା ଦଳର ଗତ ୧୫ ବର୍ଷ ଶାସନର ମୋହମାୟା ଓ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉ ବା’ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ମନମୁଖୀ କାର୍ୟ୍ୟ ଅଣନିଶ୍ୱାସୀ ହୋଇ  କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଥିବା ନେତାଙ୍କ ଦୁଃଖ କହିଲେ ନ ସରେ । ନାଁ ସେମାନେ କିଛି କହି ପାରୁଛନ୍ତି ନା ସହି ପାରୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ବିଜୟ ଲାଗି ଯେଉଁ ଆମଦାନୀ ନେତାଙ୍କୁ  ବିଜେଡ଼ି ଗ୍ରହଣ କରିଥିଲା, ଏବେ ସେହି ନେତାମାନେ ହିନମାନ ହେୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ବିଜୟ ପରେ ସେମାନଙ୍କୁ କେହି ଲୋଡ଼ୁ ନାହାନ୍ତି କିମ୍ବା ବିଜେଡି ଯେଉଁପରି ଭାବରେ ଗୁରୁତ୍ୱ ଦେବା କଥା ତାହା ଦେଉନଥିବା ଦେଖିବାକୁ ମିଳୁଛି। 

୪ ଥର ବିଜୁ ଜନତାଦଳ  ଜିତି ଓଡିଶାରେ ଲୋକଙ୍କ ମଧ୍ୟରେ ବିଜେଡି ଦଳ ଏକ ସ୍ୱତନ୍ତ୍ରସ୍ଥାନ ଅଧିକାର କରିସାରିଛି। ସାଧାରଣ ନିର୍ବାଚନ ହେଉ କିମ୍ବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେଉ ବା ପୌରପରିଷଦ ନିର୍ବାଚନ ହେଉ ଓଡିଶାର କଂଗ୍ରେସ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତାମାନେ ନିଜର ସ୍ୱାର୍ଥ ହାସଲ କରିବା ପାଇଁ ଦୀର୍ଘ ବର୍ଷ ଧରି ଯେଉଁ ଦଳରେ ଥିଲେ ଓ ଦଳ ସେମାନଙ୍କୁ ମନ୍ତ୍ରୀ, ବିରୋଧି ଦଳ ନେତା, ସାଂସଦ, ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ ଓ କେନ୍ଦ୍ର ବିଭିନ୍ନ ପଦପଦବୀ ଦେଇଛି। ବିଶେଷ କରି କଂଗ୍ରେସ ଦଳର ନେତାମାନେ ଦଳର ନେତୃମଣ୍ଡଳୀଙ୍କ କାର୍ୟ୍ୟକଳାପ ହେଉ ବା ସାଙ୍ଗଠନିକ ଦୁର୍ବଳତା ହେଉ ବା ଦଳରେ ସେମାନଙ୍କୁ ଗୁରୁତ୍ୱ ଦିଆନଯିବା ହେଉ ବା ଦଳ ସେମାନଙ୍କୁ କୌଣସି ପଦପଦବୀ ନଦେବା ଆଦି କାରଣକୁ ନେଇ ସେହି ଦଳକୁ ମୁହଁ ମୋଡ଼ି ଦେଇ ବିଜୁଜନତାଦଳରେ ଯୋଗ ଦେଇଥିଲେ। ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କଂଗ୍ରେସ ଓ ଅନ୍ୟ ଦଳରୁ ଆସିଥିବା ନେତା ମାନଙ୍କୁ ଚତୁରତା ସହିତ କ୍ଷଣସ୍ଥାୟୀ କିଛି ପଦପଦବୀ ଦେଇ ଖୁସିକରିବା ପରେ ସେମାନଙ୍କୁ ପରବର୍ତ୍ତୀ ସମୟରେ କୌଣସି ପଦପଦବୀ ନଦେଇ କେବଳ ଦଳର ବିଭିନ୍ନ କାର୍ୟ୍ୟକ୍ରମକୁ ସଫଳ କରିବା ସହିତ ଦଳର ସାଙ୍ଗଠନିକ କାର୍ୟ୍ୟରେ ବିଜେଡିର ଏକ ସାଧାରଣ କର୍ମୀ ଭାବେ ବ୍ୟବହାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲଭାବରେ ଜାଣିଛନ୍ତି ଯେ, ଯେଉଁ ଦଳ ସେମାନଙ୍କୁ ମାନସମ୍ମାନ ଓ ବହୁ ପଦପଦବୀ ଦେଇଛି, କୌଣସି କାରଣକୁ ନେଇ ସେହିଦଳର ହାତ ଛାଡି ସେମାନେ ବିଜେଡିରେ ମିଶିଛନ୍ତି। ସେମାନେ ବିଜେଡି ଦଳପ୍ରତି କେତେଦୂର ମନଭିତରେ ଆନ୍ତରିକତା ଅଛି ତାହା ଶ୍ରୀ ପଟ୍ଟନାୟକ ଭଲ ଭାବରେ ହୃଦ୍‌ଗମ୍‌ କରୁଛନ୍ତି।

ଯେଉଁଦଳରେ ସେମାନଙ୍କୁ ମାନସମ୍ମାନ, ପରିଚୟ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବି ଦେଇଥିଲା, ସେହି ଦଳକୁ ଛାଡ଼ି ଆସିଥିବା ନେତା ବିଜେଡ଼ିରେ କିପରି ବିଶ୍ବସନୀୟ ହୋଇପାରିବେ ? ତାହା ସବୁଠାରୁ ବଡ଼ ପ୍ରଶ୍ନ ।  କଳାହାଣ୍ଡି ଜିଲ୍ଲାର ପୂର୍ବତନ ସାଂସଦ ସୁବାସ ଚନ୍ଦ୍ର ନାଏକ, ପୂର୍ବତନ ବିରୋଧି ଦଳ ନେତା ତଥା ବର୍ତ୍ତମାନ ବିଜେଡିର ନର୍ଲା ବିଧାୟକ ଭୁପେନ୍ଦର ସିଂହ, ପୂର୍ବତନ ବିଧାୟକ ଅନାମ ନାଏକ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ପୂର୍ବତନ ବିଧାୟକ ଗୋବର୍ଦ୍ଧନା ଦାଶ ଗତ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ଲାଞ୍ଜିଗଡ ବିଧାନସଭା ପାଇଁ ପ୍ରାର୍ଥୀ ହୋଇଥିବା ତଥା ବର୍ତ୍ତମାନ ବିଜେଡି ଦଳର ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ଲଲିତା ନାଏକ, ତତ୍‌କାଳିନ ପିସିସି ସମ୍ପାଦକ ସାମନ୍ତ ଖମାରୀ, ପିସିସି ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ, କଂଗ୍ରେସ କମିଟିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ଚନ୍ଦ୍ର ନାଏକ, ଦେବିଦତ୍ତ ଶର୍ମା, ପୂର୍ବତନ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷ କ୍ଷିରାବ୍ଧି ସାହୁ ଓ ମନୋହର ହରପାଲ, ପିସିସିର ଏସି ସେଲରେ ପ୍ରଶାନ୍ତ ନାଏକ, ଉଦୟ ସୁନାନୀ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ତୁଲେଶ୍ୱର ନାୟକ, ଆୟୁବ ଅଲ୍ଲି ଖାଁ ଏବଂ କଂଗ୍ରେସ କୃଷକ ସେଲ ଜିଲ୍ଲା ଦାୟିତ୍ୱରେ ଥିବା ତଥା ଭବାନୀପାଟଣା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଚିତାନନ୍ଦ ମହାଖୁଡ ପ୍ରମୁଖ ନେତାମାନେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓ ପରେ କଂଗ୍ରେସ ଦଳକୁ ଛାଡି ବିଜୁ ଜନତା ଦଳରେ ସେମାନଙ୍କ ସମର୍ଥକ ମାନଙ୍କ ସହିତ ଯୋଗଦେଇଥିଲେ। ବିଜେଡି ଦଳରେ ସେମାନଙ୍କୁ ପ୍ରଥମେ କିଛି ପଦପଦବୀ କିମ୍ବା ସ୍ୱଳ୍ପକାଳିନ ରାଜ୍ୟସଭା, ବିଧାନସଭା କିମ୍ବା ଅନ୍ୟାନ୍ୟ ନିର୍ବାଚନରେ ଟିକେଟ ଦେଇଥାଏ। ପରେ ବିଜେଡି ଦଳ ସେମାନଙ୍କୁ ଅଯୋଗ୍ୟ ଓ ଅଦରକାରୀ ଭାବେ ଗୋଡରେ ଏଡେଇ ଦେଉଥିବା ଦେଖିବାକୁ ମିଳୁଛି। ସେମାନେ ବିଜେଡି ଦଳରେ ରହି କେବଳ ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ଦଳର ଗୁଣଗାନ କରିବା ଛଡା ଆଉକିଛି ସେମାନଙ୍କ ପାଖରେ ବିକଳ୍ପ ନଥିବା ଦେଖିବାକୁ ମିଳୁଛି। ଏପରିକି ଏହି ତତ୍‌କାଳିନ କଂଗ୍ରେସିଆ ନେତା ମାନଙ୍କୁ ଜିଲ୍ଲା ବିଜେଡି ନେତା ମାନେ କ୍ଷଣସ୍ଥାୟୀ କିଛି ଚରା ଦେଇ ବ୍ୟବହାର କରିବା ଛଡା ଆଉକିଛି କରୁନଥିବା ଦେଖିବାକୁ ମିଳିଛି। ସେମାନେ ଏକପକ୍ଷିୟା ହୋଇ ଏକପ୍ରକାର ଅସହାୟ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳୁଛି। ଏପରିକି ଏହି ନେତା ମାନଙ୍କ ବହୁ ନେତା ବିଜେଡି ଦଳରେ ଅଣନିଶ୍ୱାସୀ ହୋଇ ଜୀବନ କାଟୁଥିବା ଦେଖିବାକୁ ମିଳିଛି। ଆଗାମି ଦିନରେ ଏହି ନେତାମାନଙ୍କ ବିଜେଡି ଦଳରେ ସ୍ଥିତି କଣ ରହିବ ତାହା ଦେଖିବାର ଅଛି।

Comments are closed.