ଚା’ ଦୋକାନ ଉପରେ ଚଢ଼ିଗଲା ଟ୍ରକ୍‌ : ୩ ମୃତ, ୮ଗୁରୁତର

କଲକାତା : ଟାୟାର ଫାଟି ଦୁର୍ଘଟଣା, ଯାହାଦ୍ବାରା ଘଟଣାସ୍ଥଳରେ ଜଣେ ତୃଣମୂଳ କର୍ମୀଙ୍କ ସହ ତିନିଜଣଙ୍କ ପ୍ରାଣହାନୀ ଘଟିଥିବାବେଳେ ୮ଜଣ ଗୁରୁତର ଭାବେ ଗୁରୁତର ଭାବେ ଆହତ ହୋଇଛନ୍ତି।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଘଟଣାଟି କୋଟାସୁର-ଲୋକପଡ଼ା ରାସ୍ତାରେ ଘଟିଛି। ପୁଲିସ ପକ୍ଷରୁ ଆହୁରି କୁହାଯାଇଛି ଯେ ମୟୁରେଶ୍ବର ଥାନା ନିକଟ ବାସୁଦେବପୁର ବ୍ଲକ୍‌ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଦୁର୍ଘଟଣାଟି ଘଟିଛି। ସ୍ଥାନୀୟ ବାସିନ୍ଦା ଓ ପୁଲିସ ପକ୍ଷରୁ ଆହତଙ୍କୁ ଉଦ୍ଧାର କରି ଦୃତ ସିଉଡ଼ି ସଦର ହାସପାତାଳକୁ ପଠାଯାଇଛି। ଚାଳକ ସହ ଟ୍ରକ୍‌ଟିକୁ ପୁଲିସ ଅଟକ କରିଛି।

ପୁଲିସ ଓ ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି ଯେ ସକାଳେ ସ୍ଥାନୀୟ ଏକ ଚାହା ଦୋକାନରେ ବସି କେତେକ ଚାହା ପିଉଥିବାବେଳେ ସକାଳ ପ୍ରାୟ ୯ଟା ବେଳେ ଲୋକପଡ଼ାଗାମୀ ଏକ ସାର ବୋଝେଇ ଟ୍ରକ୍‌ର ଆଗ ଚକାଟି ହଠାତ୍‌ ଫାଟିଯିବାରୁ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଯାହାଦ୍ବାରା ଦୋକାନଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ତେବେ ଟ୍ରକ୍‌ଟି ହଠାତ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିବା ସହ ଗୁରୁତର ଅବସ୍ଥାରେ ୮ଜଣଙ୍କୁ ସ୍ଥାନୀୟ ସିଉଡ଼ି ସଦର ହାସପାତାଳକୁ ପଠାଯାଇଥିଲା, ପରେ ଅବଶ୍ୟ ବର୍ଦ୍ଦମାନ ମେଡ଼ିକାଲ କଲେଜ ହାସପାତାଳକୁ ସ୍ଥାନାନ୍ତର କରାଯାଇଛି। ମୃତ ତିନିଜଣଙ୍କ ମଧ୍ୟରୁ ଜଣେ ତୃଣମୂଳ କର୍ମୀ ଥିଲେ। ମୃତକଙ୍କ ନାମ ଦୁଲାଲ ଶେଖ (୬୫), ଖଲିଲ ଶେଖ (୫୫)ଓ ଜଣେ ଗାଡ଼ି ଚାଳକ (ପୁଲିସ ନାମ ଜାଣିପାରି ନାହିଁ)। ତେବେ ମୃତକ ତିନିଜଣ ବାସୁଦେବପୁର ପ୍ରଜାପଡ଼ାର ବାସିନ୍ଦା ବୋଲି ପୁଲିସ କହିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ ବକ୍ତବ୍ୟ ଯେ ପ୍ରତିଦିନ ଭଳି ଆଜି ସକାଳେ ମଧ୍ୟ ଚାହା ଦୋକାନଟି ଖୋଲିଥିଲା, ସେ ଦୃଷ୍ଟିରୁ ଚାହା ପିଇବା ପାଇଁ ଗ୍ରାହକଙ୍କ ଭିଡ଼ ହୋଇଥିଲା। ଏହି ସମୟରେ ଏକ ଟ୍ରକ୍‌ର ସମ୍ମୁଖ ଚକାଟି ଫାଟିଯିବାଦ୍ବାରା ଏଭଳି ବିପତ୍ତି ଘଟିଛି।

ପରେ ପୁଲିସ ଆସି କ୍ରେନ୍‌ ଯୋଗେ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଉଦ୍ଧାର କରିବା ସହ ମୃତଦେହଗୁଡ଼ିକୁ ବାହାର କରିଥିଲା। ଗ୍ରାମବାସୀମାନେ ଟ୍ରକ୍‌ ଚାଳକକୁ ମାଡ଼ ମାରିବା ସହ ଏକ ଘରେ ବନ୍ଦୀ କରି ରଖିଥିଲେ, ଖବର ପାଇ ପୁଲିସ ଆସି ଟ୍ରକ୍‌ ଚାଳକକୁ ଉଦ୍ଧାର କରି ଥାନାକୁ ନେଇଛି। ଘଟଣାର ତଦନ୍ତ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି।

Comments are closed.