MEllora 950×100

ଆମପାଣି ଘାଟିରେ ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣା; କଳାହାଣ୍ଡି ଓ ନବରଙ୍ଗପୁର ଯାତାୟତ ଠପ୍

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ରାସ୍ତାରେ ଗୁରୁବାର ମଧ୍ୟାହ୍ନ ସମୟରେ ଏକ ପେଟ୍ରୋଲ ଡିଜେଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। ଏନେଇ ଆମପାଣି ପୁଲିସ ଖବର ପାଇବା ପରେ ପୁଲିସ ଓ କୋକସରା ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୁଇ ପଟରୁ ରାସ୍ତାକୁ ବନ୍ଦ କରିଥିଲେ। ବର୍ତ୍ତମାନ ସୁଦ୍ଧା ରାସ୍ତାରେ ଯାତାୟତ ବନ୍ଦ ରହିଛି। ପେଟ୍ରୋଲ ଟ୍ୟାଙ୍କରଟି ପାରାଦ୍ୱୀପରୁ ବୋରିଗୁମ୍ମା ଯାଉଥିବା ବେଳେ ଆମପାଣି ଘାଟିର ଏକ ବୁଲାଣିରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଜାତୀୟ ରାଜପଥ ୨୬ ଆମପାଣି ଘାଟିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଦୁଇ ପଟେ ଶହ ଶହ ଗାଡି ଅଟକି ରହିଛି। ଭବାନୀପାଟଣା-ଜୟପୁର ମଧ୍ୟରେ ଯାତାୟତ ଠପ୍ ହୋଇଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ପୁଲିସ ଓ ଅଗ୍ନିଶମ ବାହିନୀଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, କୋକସରା ତହସିଲଦାର ଦେବବ୍ରତ କରାଟି, ଧର୍ମଗଡ଼ ଉପଜିଲ୍ଲାପାଳ ବେଦ ଭୂଷଣ, ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି।

Comments are closed.