ପିକଅପ ଭ୍ୟାନ ଦୁର୍ଘଟଣାରେ ୨ ମୃତ, କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋକସରା: ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି ଥାନା ମହାଜନଗୁଡା ନିକଟରେ ରବିବାର ସନ୍ଧ୍ୟାରେ ଘଟିଥିବା ପିକଅପ୍ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ କୁସୁମଖୁଣ୍ଟି ଗ୍ରାମର ଦୁର୍ଯ୍ୟୋଧନ ମାଝୀ(ବିକି) ଓ ଦେବାଶିଷ ବାଗ(ଚିଣ୍ଟୁ)। ଏହି ଘଟଣାରେ ସୋମବାର ଉଭୟ ପରିବାର ଲୋକେ କ୍ଷତିପୂରଣ ଦାବି କରି ମୋଟେର ଠାରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୁର୍ଯ୍ୟୋଧନ ଓ ଦେବାଶିଷ ଆମପାଣି ପଟେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟେ ରାସ୍ତାରେ ଛିଟିକି ପଡ଼ିଥିଲେ। ତେବେ ଘଟଣାସ୍ଥଳରେ ହିଁ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ହୋଇଥିଲା। ଦେବାଶିଷକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କୋକସରା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତରିତ କରାଯାଇଥିଲା।

ହେଲେ ଚିକିତ୍ସାଧିନ ଅବସ୍ଥାରେ ଦେବାଶିଷଙ୍କ ରାତିରେ ମୃତ୍ୟୁ ହୋଇଥିଲେ। ତେବେ ଦୁର୍ଘଟଣା ଘଟାଇଥିବା ପିକଅପ ଭ୍ୟାନକୁ ପୁଲିସ ଜବତ କରିବା ସହିତ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି। ସୋମବାର ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଉଭୟଙ୍କ ପରିବାର ଲୋକେ କ୍ଷତିପୂରଣ ଦାବି କରି ମୋଟେର ଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ।

ଖବର ପାଇ ଘଟଣାସ୍ଥଳରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଓ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପହଞ୍ଚି ବୁଝାସୁଝା କରିଥିଲେ। ତେବେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଫଳରେ ଭାବାନୀପାଟଣା-ଜୟପୁର ଓ ମୁଖୀଗୁଡା ମଧ୍ୟରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ପରେ ଉଭୟ ପରିବାରକୁ ଗାଡ଼ି ମାଲିକ ପକ୍ଷରୁ ୩୦ ହଜାର ଓ ରେଡକ୍ରସରୁ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା। ସେହିପରି ବ୍ଳକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ମଧ୍ୟ ୧୦ ହଜାର ଲେଖାଏଁ ଉଭୟ ପରିବାରଙ୍କୁ ପ୍ରଦାନ କରିଥିଲେ। ଏହା ପରେ ରାସ୍ତା ଅବରୋଧ ହଟିଥିଲା ଏବଂ ଗାଡ଼ି ଚାଲାଚଲ ସ୍ବାଭାବିକ ହୋଇଥିଲା।

Comments are closed.