ଅଷ୍ଟ୍ରେଲିଆ ଛାଡ଼ିବା ପୂର୍ବରୁ ଦଳ ସହ କୋହଲିଙ୍କ ସ୍ବତନ୍ତ୍ର ବୈଠକ

ଆଡିଲେଡ୍ : ପ୍ରଥମ ଟେଷ୍ଟମ୍ୟାଚ୍‌ର ୨ୟ ଇନିଂସରେ ତା’ର ସର୍ବନିମ୍ନ ସ୍କୋର୍‌ ୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଘରୋଇ ଅଷ୍ଟ୍ରେଲିଆଠାରୁ ୮ ୱିକେଟରେ ପରାସ୍ତ ହୋଇଛି ଭାରତୀୟ ଦଳ। ଏହି ମ୍ୟାଚ୍‌ ପରେ ଭାରତ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି ଅଧିନାୟକ ବିରାଟ କୋହଲି। ଆସନ୍ନପ୍ରସବା ପତ୍ନୀ ଅନୁଷ୍କାଙ୍କ ସହ ସମୟ ବିତାଇବା ଲାଗି ସିରିଜ୍‌ର ବାକି ୩ଟି ଟେଷ୍ଟମ୍ୟାଚ୍‌ରେ କୋହଲି ଖେଳିବେନାହିଁ। ତେ​‌ବେ ଭାରତ ଫେରିବା ପୂର୍ବରୁ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ସହ କୋହଲି ଏକ ସ୍ବତନ୍ତ୍ର ବୈଠକ କରିବେ ବୋଲି ଜାଣିବାକୁ ମିଳିଛି।

ଗତ କିଛିବର୍ଷ ହେଲା ଆନ୍ତର୍ଜାତିକ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ଦଳ ଯେପରି ପ୍ରଦର୍ଶନ କରିଛି; ଦଳକୁ ଏହା ବିଶ୍ବରେ ଅନ୍ୟତମ ଶକ୍ତିଶାଳୀ ଦଳର ମାନ୍ୟତା ପ୍ରଦାନ କରିଛି। ଏହାସତ୍ତ୍ବେ ୩୬ ରନ୍‌ରେ ଅଲ୍ଆଉଟ୍‌ ହେବାର କ୍ଷତ କଦାପି ଶୁଖିବନାହିଁ। ସାରାଜୀବନ କୋହଲି ଏହି ଲଜ୍ଜାକୁ ମନେରଖିବେ। ବାକି ୩ଟି ଟେଷ୍ଟରେ ଅଜିଙ୍କ୍ୟ ରାହାଣେ ଭାରତୀୟ ଦଳର ନେତୃତ୍ବ ନେବେ। ଏପରି ଲଜ୍ଜାକର ପରାଜୟ ପରେ ଭାରତୀୟ ଦଳର ଖେଳାଳି ମାନସିକ ଭାବେ ବହୁତ ଭାରାକ୍ରାନ୍ତ ଥିବେ। ସେମାନଙ୍କୁ ଜାଗ୍ରତ କରିବା ସହ ଉତ୍ସାହିତ କରିବା ହେଉଛି କୋହଲିଙ୍କ ବୈଠକର ଉଦ୍ଦେଶ୍ୟ। ବିଶେଷକରି ଦଳର ଯୁବ ଖେଳାଳିଙ୍କ ମନୋବଳ ବଢ଼ାଇବା ପାଇଁ କୋହଲି ସେମାନଙ୍କୁ ପରାମର୍ଶ ଦେବେ।

ଓପ୍‌ନର ମୟଙ୍କ ଅଗ୍ରୱାଲ, ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳିବାକୁ ଯାଉଥିବା ଶୁବ୍‌ମାନ ଗିଲ୍‌, ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ଋଷଭ ପନ୍ତ୍, ଯୁବ ପେସ୍ ବୋଲର ମହମ୍ମଦ ସିରାଜ୍, ଯୁବ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍ ହନୁମା ବିହାରୀଙ୍କୁ ୨୬ରୁ ଆରମ୍ଭ ହେଉଥିବା ୨ୟ ଟେଷ୍ଟରେ ଭଲ ପ୍ରଦର୍ଶନ କରିବା ଲାଗି କୋହଲି ପରାମର୍ଶ ଦେବେ ଓ ଉତ୍ସାହିତ କରିବେ। ପୂର୍ବରୁ ଭାରତ ପରାଜୟ ପରେ ଲଢ଼ୁଆ ପ୍ରଦର୍ଶନ କରି ସିରିଜ୍‌କୁ ଫେରିବାର ନଜିର ରହିଛି। କୋହଲି ଏହି କଥା ସେମାନଙ୍କୁ ମ​‌ନେ ପକାଇବେ। ୨ୟ ଟେଷ୍ଟରେ ଭାରତ ଚୂଡ଼ାନ୍ତ ଏକାଦଶରେ ୩/୪ଟି ପରିବର୍ତ୍ତନ କରିବା ନିଶ୍ଚିତ। ଶୁବ୍‌ମାନ ଗିଲ୍‌, ଋଷଭ ପନ୍ତ୍, ମହମ୍ମଦ ସିରାଜ୍ ଓ କେ.ଏଲ୍‌. ରାହୁଲ ଖେଳିବା ପ୍ରାୟ ନିଶ୍ଚିତ ଲାଗୁଛି। ଅଷ୍ଟ୍ରେଲିଆ ଦଳ ଆକ୍ରମଣାତ୍ମକ କ୍ରିକେଟ୍‌ ଖେଳିବାରେ ବିଶ୍ବାସ ରଖିଥାଏ। କଙ୍ଗାରୁ ଦଳକୁ ତାଙ୍କରି ଭାଷାରେ ଜବାବ ଦେବା ପାଇଁ ସାଥୀ ଖେଳାଳିଙ୍କୁ କୋହଲି ଆହ୍ବାନ ଦେବେ।

Comments are closed.