ତେନ୍ଦୁଲକରଙ୍କ ୧୦୦ ଶତକ ରେକର୍ଡ କୋହଲି ଭାଙ୍ଗିବେ : ଇର୍ଫାନ୍‌

ନୂଆଦିଲ୍ଲୀ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୦୦ଟି ଶତକ ହାସଲ କରିଥିବା ବେଳେ ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏହି ରେକର୍ଡକୁ ଭାଙ୍ଗିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇର୍ଫାନ୍‌ ପଠାନ୍‌।

କ୍ରିକେଟ୍‌ ସଂପର୍କିତ ଏକ କାର୍ଯ୍ୟକ୍ରମରେ ଆଲୋଚନା ସମୟରେ ଇର୍ଫାନ୍‌ କହିଥିଲେ ତେନ୍ଦୁଲକରଙ୍କ ୧୦୦ ଶତକ ରେକର୍ଡ ଭାଙ୍ଗିବାକୁ ଯଦି କିଏ ସକ୍ଷମ ସେ ହେଉଛନ୍ତି ବିରାଟ କୋହଲି। ଯଦିଓ କୋହଲି ଏ ସଂପର୍କରେ ବିଶେଷ କିଛି କହନ୍ତି ନାହିଁ; ତେବେ ଏହି ରେକର୍ଡ ଭାଙ୍ଗିବା ତାଙ୍କର ନିଶ୍ଚିତ ଭାବେ ଲକ୍ଷ୍ୟ ଥିବ। କୋହଲି ଅପେକ୍ଷାକୃତ କମ୍‌ ସମୟରେ ଅନେକ କିଛି ହାସଲ କରିଛନ୍ତି। ତେନ୍ଦୁଲକରଙ୍କର ୧୦୦ ଶତକ ରେକର୍ଡ ଭାଙ୍ଗିବାକୁ କୋହଲିଙ୍କ ନିକଟରେ ଦକ୍ଷତା ଓ ଫିଟନେସ୍‌ ରହିଛି। ବର୍ତ୍ତମାନ କୋହଲିଙ୍କୁ ୩୧ ବର୍ଷ ବୟସ ହୋଇଥିବା ବେଳେ ସେ ଆହୁରି କିଛି ବର୍ଷ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବେ। ଏହାକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପୂର୍ବରୁ କୋହଲି ନିଶ୍ଚିତ ଭାବେ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ଆଶା ରହିଛି। ସୂଚନାଥାଉକି ତେନ୍ଦୁଲକର ୨୦୧୩ରେ କ୍ରିକେଟ୍‌ରୁ ଅବସର ନେଇଥିବା ବେଳେ ସେ ଟେଷ୍ଟରେ ୫୧ ଓ ଦିନିକିଆରେ ୪୯ଟି ଶତକ ହାସଲ କରିଛନ୍ତି। ଅନ୍ୟପକ୍ଷରେ କୋହଲି ବର୍ତ୍ତମାନ ସୁଦ୍ଧା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୭୦ଟି ଶତକ ହାସଲ କରିଛନ୍ତି। ଚଳିତବର୍ଷ ଶେଷ ବେଳକୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ଘରୋଇ ଦଳ ବିପକ୍ଷରେ ୩ଟି ଦିନିକିଆ, ୪ଟି ଟେଷ୍ଟ ଓ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବ। ଏହି ଗସ୍ତ ସମୟରେ କୋହଲି ଆଉ କିଛି ଶତକ ହାସଲ କରିବେ ବୋଲି କ୍ରିକେଟ୍‌ପ୍ରେମୀମାନେ ଆଶା ରଖିଛନ୍ତି।

Comments are closed.