ରାହାଣେଙ୍କ ନେତୃତ୍ବକୁ କୋହଲି ଓ ଶାସ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆ ମେଲବୋର୍ଣ୍ଣ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆକୁ ପରାସ୍ତ କରି ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୧-୧ରେ ବରାବର କରିନେଇଛି। ଭାରତର ଏହି ଐତିହାସିକ ବିଜୟ ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ରାହାଣେଙ୍କ ନେତୃତ୍ବକୁ ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରଶଂସା କରିଛନ୍ତି।
ବିରାଟ ଟ୍ବିଟ୍‌ କରି କହିଛନ୍ତି, ଏହା ଏକ ଚମତ୍କାର ବିଜୟ। ପୂରା ଟିମ୍‌ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ସାଥୀ ଖେଳାଳି ତଥା ବିଶେଷକରି ରାହାଣେଙ୍କ ପାଇଁ ଏହାଠାରୁ ଅଧିକ ଖୁସି ହୋଇପାରିବ ନାହିଁ; ଯିଏ ବିଜୟରେ ଦଳର ଜବରଦସ୍ତ ନେତୃତ୍ବ ନେଇଛନ୍ତି। ଏହିଠାରୁ ଆଗକୁ ବଢିବା ପାଇଁ ଦଳ ପ୍ରୟାସ କରିବ ବୋଲି ବିରାଟ କହିଛନ୍ତି। ସେହିପରି ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମଧ୍ୟ ରାହାଣେଙ୍କୁ ପ୍ରଶଂସା କରିଛନ୍ତି। ନିୟମିତ ଅଧିନାୟକ ବିରାଟଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ବ ନେଉଥିବା ରାହାଣେ ପୂରା ମ୍ୟାଚରେ ଚମତ୍କାର ଅଧିନାୟକତ୍ବ କରିଥିଲେ। ମ୍ୟାଚରେ ଦଳ ମଧ୍ୟରେ ବିଜୟ ନେଇ ବ୍ୟଗ୍ରତା ଦେଖିବାକୁ ମିଳିଥିଲା। ଆଡିଲେଡ୍‌ ପରାଜୟ ପରେ ଆମେ ଚାପରେ ଥିଲୁ। ମେଲବୋର୍ଣ୍ଣରେ ବିଜୟ ନେଇ ପ୍ରତ୍ୟେକ ଖେଳାଳି ବ୍ୟଗ୍ର ଥିଲେ। ଯାହା​‌ ଆମମାନଙ୍କୁ ସଫଳତା ଆଣିଦେଇଛି। ଏହି ବିଜୟ ସହ ଆମେ ସିରିଜ୍‌କୁ ୧-୧ ବରାବର କରିପାରିଛୁ। ୨ୟ ଇନିଂସରେ ଉମେଶ ଯାଦବ ଆହତ ହେବା ଆମର ଚିନ୍ତା ବଢାଇଥିଲେ ମଧ୍ୟ ଏହାକୁ ଅନ୍ୟ ବୋଲରମାନେ ପୂରଣ କରିବାରେ ସକ୍ଷମ ହୋଇଥିଲେ ବୋଲି ଶାସ୍ତ୍ରୀ କହିଛନ୍ତି। ରାହାଣେଙ୍କ ନେତୃତ୍ବ ନେବାର ଦକ୍ଷତାକୁ ଉପଯୁକ୍ତ ବ୍ୟବହାର କରିଛନ୍ତି। ପ୍ରଥମ ଇନିଂସରେ ୧୧୨ରନର ଶତକୀୟ ଇନିଂସ ଦାୟିତ୍ବବାନ୍ ଅଧିନାୟକତ୍ବର ପରିଚୟ ଦେଇଥିଲା; ଯାହା ଫଳରେ ଆମେ ପ୍ରଥମ ଇନିଂସରେ ୧୩୧ ରନ୍‌ରେ ଆଗୁଆ ହୋଇ ପାରିଥିଲୁ। ୨ୟ ଇନିଂସରେ ଅଷ୍ଟ୍ରେଲିଆକୁ ୨୦୦ରନରେ ସୀମିତ ରଖିବା ଆମ ପାଇଁ ବିଜୟ ସୁଯୋଗ ସୃଷ୍ଟି କରିଥିଲା ବୋଲି ଶାସ୍ତ୍ରୀ କହିଛନ୍ତି।

Comments are closed.