ଇନ୍‍ଷ୍ଟାଗ୍ରାମ୍‌ରେ ବିଜ୍ଞାପନରୁ ଆୟ ; ଶୀର୍ଷ-୧୦ରେ କୋହଲି

ଲଣ୍ଡନ୍‍ : ମହାମାରୀ କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ମାର୍ଚ୍ଚରୁ ଅଦ୍ୟାବଧି ବିଶ୍ୱର ଅଧିକାଂଶ ଦେଶରେ ଲକ୍‍ଡାଉନ୍‍ ଚାଲିଛି। କାଁଭାଁ ଘରୋଇ ଇଭେଣ୍ଟକୁ ଛାଡ଼ି ବିଶ୍ୱରେ କ୍ରୀଡ଼ା କାର୍ଯ୍ୟକ୍ରମ ଆରମ୍ଭ ହୋଇନାହିଁ। ୨ ମାସରୁ ଊର୍ଦ୍ଧ୍ବ ସମୟ କ୍ରୀଡ଼ାବିତ୍‍ମାନେ ଘରେ ବସି ରହିଛନ୍ତି। ତେବେ ଲକ୍‍ଡାଉନ୍‍ ସମୟରେ ବି କ୍ରୀଡ଼ାବିତ୍‍ ଅର୍ଥ ଉପାର୍ଜନରେ ଲାଗିଛନ୍ତି। ସେମାନଙ୍କୁ ଏଥିରେ ସହାୟକ ହୋଇଛି ସୋସିଆଲ ମିଡିଆ ୱେବ୍‍ସାଇଟ୍‌ ଇନ୍‍ଷ୍ଟାଗ୍ରାମ୍‍। ଏଥିରେ ବିଭିନ୍ନ ଦ୍ରବ୍ୟର ବିଜ୍ଞାପନ ପୋଷ୍ଟକରି ଏହି କ୍ରୀଡ଼ାବିତ୍‍ ଏହି ଲକ୍‍ଡାଉନ୍‍ ସମୟରେ ବି କୋଟିକୋଟି ଟଙ୍କା ଆୟ କରୁଛନ୍ତି। ଇନ୍‍ଷ୍ଟାଗ୍ରାମ୍‍ରେ ବିଭିନ୍ନ ବିଜ୍ଞାପନ ପୋଷ୍ଟକରି ଆୟ କରୁଥିବା ଶୀର୍ଷ-୧୦ କ୍ରୀଡ଼ାବିତ୍‍ଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଏକମାତ୍ର ଭାରତୀୟ ତଥା ଏକମାତ୍ର କ୍ରିକେଟର ଭାବେ ବିରାଟ କୋହଲି ରହିଛନ୍ତି।
ଭାରତୀୟ କ୍ରିକେଟର୍‌ ସୁପରଷ୍ଟାର ବିରାଟ କୋହଲି ତାଙ୍କ ଇନ୍‍ଷ୍ଟାଗ୍ରାମ୍‍ ପୃଷ୍ଠାରେ ବିଭିନ୍ନ ଦ୍ରବ୍ୟର ବିଜ୍ଞାପନ ପୋଷ୍ଟକରି ଯେତିକି ଆୟ କରିଛନ୍ତି; ତାହା ତାଙ୍କୁ ଏପରି କରିଥିବା କ୍ରୀଡ଼ାବିତ୍‍ଙ୍କ ତାଲିକାରେ ୬ଷ୍ଠ ସ୍ଥାନରେ ରଖିଛି। ଇନ୍‍ଷ୍ଟାଗ୍ରାମ୍‍ରେ ବିଜ୍ଞାପନ ପୋଷ୍ଟରୁ କୋହଲି ଏହି ସମୟରେ ୩୭୯୨୯୪ ପାଉଣ୍ଡ (ପ୍ରାୟ ୩ କୋଟି ୬୨ ଲକ୍ଷ ଟଙ୍କା) ଆୟ କରିଛନ୍ତି। ପର୍ତ୍ତୁଗାଲ୍‍ ତଥା ଇଟାଲୀର କ୍ଲବ୍‍ ଜୁଭେଣ୍ଟସ୍‍ର ତାରକା ଷ୍ଟ୍ରାଇକର କ୍ରିଷ୍ଟିଆନୋ ରୋନାଲ୍‍ଡୋ ଏହି ୨ ମାସର ଲକ୍‍ଡାଉନ୍‍ରେ ୧.୮ ନିୟୁତ ପାଉଣ୍ଡ (ପ୍ରାୟ ୧୭ କୋଟି ୧୯ ଲକ୍ଷ ଟଙ୍କା) ଆୟକରି ଶୀର୍ଷରେ ଅଛନ୍ତି। ଆର୍ଜେଣ୍ଟିନା ତଥା ସ୍ପେନ୍‍ର କ୍ଲବ୍‍ ଏଫ୍‍ସି ବାର୍ସେଲୋନାର ତାରକା ଷ୍ଟ୍ରାଇକର ଲିଓନେଲ ମେସି ୧.୨ ନିୟୁତ ପାଉଣ୍ଡ (ପ୍ରାୟ ୧୧ କୋଟି ୪୬ ଲକ୍ଷ ଟଙ୍କା) ଆୟକରିବା ସହ ୨ୟ ସ୍ଥାନରେ ଅଛନ୍ତି। ୩ୟ ସ୍ଥାନରେ ଥିବା ବ୍ରାଜିଲ ତଥା ପ୍ୟାରିସ୍‍ ସେଣ୍ଟ୍‍ ଜର୍ମେନ୍‍ର ତାରକା ଷ୍ଟ୍ରାଇକର ନିଏମାର ୧.୧ ନିୟୁତ ପାଉଣ୍ଡ (ପ୍ରାୟ ୧୦ କୋଟି ୫୦ ଲକ୍ଷ ଟଙ୍କା) ଆୟ କରିଛନ୍ତି। ଆମେରିକାର ବାସ୍କେଟବଲ ତାରକା ସାକିଲ୍‍ ଓ’ନିଲ୍‍ ୫୯୩୬୨୮ ପାଉଣ୍ଡ (୫ କୋଟି ୫୭ ଲକ୍ଷ ଟଙ୍କା) ସହ ୪ର୍ଥ, ଇଂଲଣ୍ଡର ପୂର୍ବତନ ଫୁଟ୍‌ବଲ ତାରକା ଡେଭିଡ୍‍ ବେକ୍‍ହାମ୍‍ ୪୦୫୩୬୮ ପାଉଣ୍ଡ (ପ୍ରାୟ ୩ କୋଟି ୮୭ ଲକ୍ଷ ଟଙ୍କା) ସହ ୫ମ ସ୍ଥାନରେ ଅଛନ୍ତି। ବିରାଟ କୋହଲି ୬ଷ୍ଠ ସ୍ଥାନରେ ଥିବା ବେଳେ ୭ମରୁ ୧୦ମ ସ୍ଥାନ ମଧ୍ୟରେ ଅଛନ୍ତି ସ୍ୱିଡେନ୍‍ର ଫୁଟ୍‌ବଲ ତାରକା ଜ୍ଲାଟାନ୍‍ ଇବ୍ରାହିମୋଭିଚ୍‍, ଆମେରିକାର ବାସ୍କେଟ୍‌ବଲ ଖେଳାଳି ଡ୍ୱେନ୍‍ ୱେଡ୍‍, ବ୍ରାଜିଲ୍‍ର ଫୁଟ୍‌ବଲର ଡାନି ଆଲ୍‍ଭେସ୍‍ ଓ ବକ୍ସର ଆଣ୍ଟୋନି ଜୋସୁଆ।

Comments are closed.