‘କୋହଲି ହିଁ ସମସ୍ତ ଦଳର ଅଧିନାୟକ ରହିବେ’

ରୋହିତ ସୀମିତ ଓଭର ଅଧିନାୟକ ହେବା ଖବରକୁ ବିସିସିଆଇ କୋଷାଧ୍ୟକ୍ଷଙ୍କ ଖଣ୍ଡନ

ନୂଆଦିଲ୍ଲୀ : ସୋମବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ ଆସନ୍ତା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ରୋହିତ ଶର୍ମା ଭାରତର ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ହେବେ । ବିରାଟ କୋହଲି କେବଳ ଟେଷ୍ଟ କ୍ରିକେଟ୍‌ରେ ଭାରତର ଅଧିନାୟକ ରହିବେ ଏବଂ ତାଙ୍କ ବ୍ୟାଟିଂ ଉପରେ ମନୋନିବେଶ କରିବେ । ହେଲେ ଏହି ଖବରକୁ ଖଣ୍ଡନ କରିଛନ୍ତି ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମଲ୍‌। ବିରାଟ କୋହଲି କ୍ରିକେଟ୍‌ର ୩ଟିଯାକ ବର୍ଗରେ ଭାରତର ଅଧିନାୟକ ରହିବେ। ଧଳା ବଲ୍‌ କ୍ରିକେଟ୍‌ରେ ରୋହିତ ଅଧିନାୟକ ହେବେ ବୋଲି ଖବରରେ କୌଣସି ସତ୍ୟତା ନାହିଁ ବୋଲି ଅରୁଣ ଧୁମଲ ଜୋର୍‌ଦେଇ କହିଛନ୍ତି।
ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ; ଟେଷ୍ଟମ୍ୟାଚ୍‌ରେ ନେତୃତ୍ବ ଏବଂ ନିଜ ବ୍ୟାଟିଂ ଉପରେ ଅଧିକ ଧ୍ୟାନଦେବା ଲାଗି ବିରାଟ କୋହଲି ଆଉ ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ହେବାକୁ ଚାହୁଁନାହାନ୍ତି। ୟୁଏଇରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ସେ ସୀମିତ ଓଭର ଦଳର ଅଧିନାୟକ ନ ହେବାକୁ ମନସ୍ଥ କରି ସାରିଛନ୍ତି। ଏହା ବିଷୟରେ ସେ ଭାରତୀୟ ଦଳର ପରିଚାଳନା ମଣ୍ଡଳୀକୁ ଜଣାଇ ଦେଇଛନ୍ତି। ଏହାର ଜବାବରେ ଅରୁଣ ସିଂହ ଧୁମଲ କହିଛନ୍ତି, ଏହାସବୁ ଫାଲ୍‌ତୁ କଥା। ଏପରି କିଛି ବା ହେଉନାହିଁ। ତୁମେ ଗଣମାଧ୍ୟମର ପ୍ରତିନିଧି କେବଳ ଏପରି ଆଲୋଚନା କରୁଛ। ବିସିସିଆଇର କର୍ମକର୍ତ୍ତା ଦୁଇ ପୃଥକ୍ ଅଧିନାୟକ ହେବା ସନ୍ଦର୍ଭରେ କୌଣସି ଆଲୋଚନା କରିନାହାନ୍ତି। ବିରାଟ କୋହଲି ହିଁ କ୍ରିକେଟ୍‌ର ୩ ଟିଯାକ ବର୍ଗରେ ଅଧିନାୟକ ରହିବେ। ମହେନ୍ଦ୍ର ସିଂହ ଧୋନି ନେତୃତ୍ବରୁ ଓହରିଯିବାରୁ କୋହଲି କ୍ରିକେଟ୍‌ର ୩ଟିଯାକ ବର୍ଗରେ ଭାରତର ଅଧିନାୟକ ରହିଛନ୍ତି। ଭାରତୀୟ କ୍ରିକେଟ୍‌ ଇତିହାସରେ କୋହଲି ସଫଳତମ ଅଧିନାୟକ। ଟେଷ୍ଟରେ କୋହଲିଙ୍କ ଅଧୀନରେ ଭାରତ ୬୫ଟି ମ୍ୟାଚ୍‌ ଖେଳି ୩୮ଟି ଜିତିଛନ୍ତି। ପୁଣି ଦିନିକିଆରେ କୋହଲିଙ୍କ ନେତୃତ୍ବରେ ଭାରତ ୯୫ ମ୍ୟାଚ୍‌ରୁ ୬୫ଟିରେ ବିଜୟୀ ହୋଇଛି। ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ କୋହଲିଙ୍କ ନେତୃତ୍ବରେ ଭାରତ ୪୫ଟି ମ୍ୟାଚ୍‌ ଖେଳି ୨୯ଟି ଜିତିଛି। ତେବେ କୋହଲିଙ୍କ ଅଧୀନରେ ଭାରତ ଗୋଟିଏ ମଧ୍ୟ ଆଇସିସି ଟ୍ରଫି ଜିତିନାହିଁ। ୨୦୧୭ରେ କୋହଲିଙ୍କ ନେତୃତ୍ବରେ ଭାରତ ଟି-୨୦ ବିଶ୍ବକପ୍‌ ଫାଇନାଲରେ ପାକିସ୍ତାନଠାରୁ ଏବଂ ୨୦୧୯ ବିଶ୍ବକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ହାରିଥିଲା।

Comments are closed.