ବାପାମା’ ହରାଇଥିବା ୩ ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲା କିସ୍‌ ଫାଉଣ୍ଡେସନ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଜରଦା ଥାନା ଭୋଗିବନ୍ଧ ଗ୍ରାମର ତିନି ଅସହାୟ ଭାଇ ଭଉଣୀଙ୍କୁ ସହଯୋଗର ହାତ ବଢାଇଛି କିସ୍‌ ଫାଉଣ୍ଡେସନ। ସେମାନଙ୍କ ମା’ ବାଳାବତୀ ନାୟକଙ୍କ ମୃତ୍ୟୁ ଗତ ଅଗଷ୍ଟ ମାସରେ ହୋଇ ଯାଇଥିବା ବେଳେ ସେପ୍ଟେମ୍ବର ମାସରେ ବାପା କୁଷନ ନାୟକଙ୍କ ଅକାଳ ବିୟୋଗ ହୋଇଥିଲା। ଫଳରେ ସେମାନଙ୍କ ତିନି ଶିଶୁ ଅନାଥ ହୋଇଯିବା ସହ ବେସାହାରା ହୋଇଯାଇଥିଲେ। ଜନଜାତି ବର୍ଗର ଏହି ତିନି ଭାଇ ଭଉଣୀ ଦେବକୀ, ବର୍ଷାରାଣୀ ଓ କ୍ଷୀରୋଦଙ୍କ ଦୁଃଖ ଭରା କାହାଣୀ ଗଣମାଧ୍ୟମରେ ପ୍ରସାରଣ ହେବା ପରେ କିସ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିଥିଲା। ନିଜ କର୍ମଚାରୀଙ୍କ ଜରିଆରେ ଶ୍ରୀ ସାମନ୍ତ ସେମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଅସୁବିଧା ସମ୍ପର୍କରେ ବୁଝିଥିଲେ। ସେମାନଙ୍କ ଉପରେ ତିନି ଭଉଣୀ ଥିଲେ ମଧ୍ୟ ସେମାନେ ଆନ୍ଧ୍ରରେ ବିବାହ କରି ସେଠାରେ ରହୁଛନ୍ତି। ଏମାନେ ଏବେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଶ୍ରୀ ସାମନ୍ତ ଜାଣିବାକୁ ପାଇଥିଲେ। ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ କିସ୍‌ ଫାଉଣ୍ଡେସନ ପକ୍ଷରୁ ତୁରନ୍ତ ସେମାନଙ୍କ ଚଳିବା ପାଇଁ ମାସିକ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏହା ସହ ଏହି ତିନି ପିଲାଙ୍କ ପାଠପଢାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି କିସ ଫାଉଣ୍ଡେସନ ଗୁରୁତ୍ବ ପ୍ରଦାନ କରିଛି। ସେମାନେ କିସ୍‌ରେ ପାଠ ପଢିବେ ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି। କରୋନା ଶେଷ ହେବା ପରେ କିସ୍‌ ଖୋଲିଲେ କିସ୍‌ରେ ସରକାରୀ ନିୟମ ଅନୁସାରେ ସେମାନଙ୍କ ନାମ ଲେଖାଯିବ। ସେମାନଙ୍କ ଏହି ଦୁଃଖ ସମୟରେ ସହାୟତା ଯୋଗାଇ ଦେଇ ଥିବାରୁ କିସ ଫାଉଣ୍ଡେସନ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସମନ୍ତଙ୍କୁ ତିନି ଭାଇ ଭଉଣୀ କୃତଜ୍ଞତା ଜଣାଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଏଭଳି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି।

Comments are closed.