ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବାରା ଉଦଘାଟିତ ହେବ ‘କିସ’ ର ବଲାଙ୍ଗୀର ଶାଖା

ବଲାଙ୍ଗୀର : ଓଡ଼ିଶାର ୧୦ଟି ଜିଲାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ)ର ଶାଖା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରୁ ବଲାଙ୍ଗୀର ସଦର ମହକୁମାଠାରେ ମୋତିଲାଲ ଓସ୍ୱାଲ କିସ ଆବାସିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଚଳିତ ଶିକ୍ଷାବର୍ଷଠାରୁ ଏଠାରେ ବଲାଙ୍ଗୀର ଜିଲାର ଗରିବ ଓ ଅବହେଳିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଥିବା ବେଳେ ଫେବୃଆରୀ ୧୫ତାରିଖରେ ଏହାର ଶୁଭ ଉଦଘାଟନ ହେବ। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ମୋତିଲାଲ ଓସ୍ୱାଲ କିସ ଆବାସିକ ବିଦ୍ୟାଳୟର ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ମୋତିଲାଲ ଓସ୍ୱାଲ ଫାଇନାନସିଆଲ ସର୍ଭିସେସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଓ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ମୋତିଲାଲ ଓସ୍ୱାଲ, ଗ୍ରୁପ ଚେୟାରମ୍ୟାନ ରାମଦେଓ ଅଗ୍ରୱାଲ, ମୋତିଲାଲ ଓସ୍ୱାଲ ଫାଉଣ୍ଡେସନର ଚେୟାରପର୍ସନ ସୁନୀତା ଅଗ୍ରୱାଲ, ବିମଳା ଓସ୍ୱାଲ ଏବଂ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଜି କିସର ଛାତ୍ରଛାତ୍ରୀ ସବୁ କ୍ଷେତ୍ରରେ ଆଗୁଆ। କିସର ଛାତ୍ରଛାତ୍ରୀ ଶିକ୍ଷା, କ୍ରୀଡ଼ା, ସଂସ୍କୃତି ଆଦି ସମସ୍ତ କ୍ଷେତ୍ରରେ ରାଜ, ଜାତୀୟ ତଥା ଆନ୍ତର୍ଜାତିକସ୍ତରରେ ସେମାନେ ସୁନାମ ଅର୍ଜନ କରିଆସୁଛନ୍ତି। ଏହି ପ୍ରୟାସକୁ ସାକାର କରିବା ସହ ଏହାକୁ ଆହୁରି ଆଗକୁ ନେବା ପାଇଁ ବିଭିନ୍ନ ଜନଜାତି ସଙ୍ଗଠନ, ବୁଦ୍ଧିଜୀବୀ ମହଲରେ ଅନେକବାର ଦାବି ଓ ଅନୁରୋଧ ହୋଇ ଆସୁଥିଲା। ଏବେ କିସର ବଲାଙ୍ଗୀର ଶାଖା ଖୋଲିବାକୁ ଯାଉଛି। ଏହାର ସୁବିଧା ବଲାଙ୍ଗୀର ଜିଲାର ଜନଜାତି ଛାତ୍ରଛାତ୍ରୀମାନେ ନେବେ। କିସର ସିଦ୍ଧାନ୍ତ ଅନୁସାରେ ଏଠାରେ କେବଳ ବଲାଙ୍ଗୀର ଜିଲାର ଜନଜାତି ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରିବେ ଓ ନିଯୁକ୍ତି ମଧ୍ୟ ପାଇବେ। ମୋତିଲାଲ ଓସ୍ୱାଲ କିସରେ କେବଳ ବଲାଙ୍ଗିର ଜିଲାର ପିଲାମାନେ ହିଁ ନିଯୁକ୍ତି ପାଇବେ। ଏହା ବ୍ୟତୀତ ମୋତିଲାଲ ଓସ୍ୱାଲ କିସ ଆବାସିକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରସ୍ଥିତ କିସ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିବେ। ବଲାଙ୍ଗୀର ଜିଲାର ଗରିବ ଓ ଅବହେଳିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ମୋତିଲାଲ ଓସ୍ୱାଲ କିସ ଏକ ମାଇଲ ଖୁଣ୍ଟ ହୋଇ ଛିଡ଼ାହେବ।

କିସ ଓ ବଲାଙ୍ଗୀର ମଧ୍ୟରେ ନିବିଡ଼ ସମ୍ପର୍କ ରହିଆସିଛି। ବଲାଙ୍ଗୀର ଜିଲା ଏକ ଜନଜାତି ଅଧ୍ୟୁଷିତ ଜିଲା ହୋଇଥିଲେ ମଧ୍ୟ ଏଠାକାର ଜନଜାତିମାନେ କଳା, ସଂସ୍କୃତି ଓ ପରମ୍ପରା ଦୃଷ୍ଟିରୁ ବେଶ ସମୃଦ୍ଧ। ଏଠାକାର ଜନସାଧାରଣ ଅତ୍ୟନ୍ତ ସରଳ, ନିଷ୍କପଟ ଓ ବନ୍ଧୁ ବତ୍ସଳ। ଖୁସିର କଥା ବର୍ତ୍ତମାନ କିସ ଭୁବନେଶ୍ୱରରେ ବଲାଙ୍ଗୀର ଜିଲାରୁ ୧୫ଶହ ଛାତ୍ରଛାତ୍ରୀ ଅଧ୍ୟୟନରତ ଥିବା ବେଳେ ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏଠାରୁ ଉତ୍ତୀର୍ଣ୍ଣ ହୋଇ ଦେଶମାତୃକାର ସେବାରେ ନିଜକୁ ନିୟୋଜିତ କରିପାରିଛନ୍ତି। ବଲାଙ୍ଗୀର ଜିଲାର ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ପ୍ରଗତି ପାଇଁ କିସ ପ୍ରତ୍ୟକ୍ଷ ବା ପରୋକ୍ଷରେ ଚେଷ୍ଟା କରିଆସୁଛି। ବଲାଙ୍ଗୀର ଜିଲାର ଗରିବ ଜନଜାତି ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ଲାଭ କରିପାରିଲେ କିସ୍ର ସ୍ୱପ୍ନ ସାକାର ହେବ।

ସମ୍ପୂର୍ଣ୍ଣ ସବୁଜିମା ପରିବେଶ ମଧ୍ୟରେ ପ୍ରାୟ ୨୦ ଏକର ପରିମିତ ଜମି ଉପରେ ପ୍ରତିଷ୍ଠା ହୋଇଛି ମୋତିଲାଲ ଓସ୍ୱାଲ କିସ। ବଲାଙ୍ଗିର ଜିଲାର ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶୈକ୍ଷିକ ପରିବେଶ ଜରିଆରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବା ନିମନ୍ତେ ଉଦ୍ୟମ କରାଯାଇଛି। ପ୍ରାକୃତିକ ଆଲୋକ ଓ ସ୍ୱଚ୍ଛ ବାୟୁର ସର୍ବାଧିକ ଉପଯୋଗକୁ ଦୃଷ୍ଟିରେ ରଖି ଏଠାରେ ସମସ୍ତ କୋଠା ନିର୍ମାଣ କରାଯାଇଛି। ଏହା ଦ୍ୱାରା ଦିନ ବେଳା ବିଦ୍ୟୁତ ଶକ୍ତିର କମ ଉପଯୋଗ କରାଯାଇ ପ୍ରାକୃତିକ ଆଲୋକ ଓ ବାୟୁ ବ୍ୟବହାର କରାଯାଇପାରିବ। ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରୟାସ କରାଯାଇଛି।

ଏଠାରେ ଛାତ୍ରଛାତ୍ରୀଙ୍କ ରହିବା ନିମନ୍ତେ ଛାତ୍ରାବାସ ଓ ଛାତ୍ରୀ ନିବାସ ପୃଥକ ଭାବେ ନିର୍ମାଣ କରାଯାଇଛି। ଏହା ସହିତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ରହିବା ପାଇଁ ମଧ୍ୟ କର୍ମଚାରୀ ଆବାସ ନିର୍ମାଣ କରାଯାଇଛି। କିସ ଭୁବନେଶ୍ୱରରେ ଥିବା ମୁଖ୍ୟ କ୍ୟାମ୍ପସ ଭଳି ଏଠାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ପୁଷ୍ଟିକର ଓ ସ୍ୱାସ୍ଥ୍ୟକର ଖାଦ୍ୟ ପ୍ରସ୍ତୁତି ପାଇଁ ରହିଛି ବାଷ୍ପ ଚାଳିତ ରୋଷେଇ ବ୍ୟବସ୍ଥା। ଏହା ଛଡ଼ା ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ନିମନ୍ତେ ପାୱାର ବ୍ୟାକ ଅପ ବ୍ୟବସ୍ଥା, ବିଭିନ୍ନ ବିଷୟ ପାଇଁ ସ୍ୱତନ୍ତ୍ର ଅତ୍ୟାଧୁନିକ ପରୀକ୍ଷାଗାର, ପାଠାଗାର, ଇଣ୍ଟରନେଟ ଓ ୱାଇ-ଫାଇ ସୁବିଧା, ସ୍ମାର୍ଟ କ୍ଲାସ ରୁମ ରହିଛି। ସୁସ୍ଥ ଓ ସବୁଜ ପରିବେଶ ନିମନ୍ତେ ଏଠାରେ ଛାତ ଉପର ସୌରଶକ୍ତି ବିଜୁଳି ବ୍ୟବସ୍ଥା, ମଳଜଳ ପରିଚାଳନା ବ୍ୟବସ୍ଥା ଉପଯୋଗ କରି ବ୍ୟବହାର ଯୋଗ୍ୟ ପାଣି ସଂଗ୍ରହ ବ୍ୟବସ୍ଥା, ଜୈବିକ ଖତ ଉତ୍ପାଦନ, ବାୟୋଗ୍ୟାସ ପ୍ଲାଣ୍ଟର ବ୍ୟବସ୍ଥା ରହିଛି। ମୋତିଲାଲ ଓସ୍ୱାଲ କିସରେ ମଧ୍ୟ ଛାତ୍ରଛାତ୍ରୀଙ୍କ କ୍ରୀଡ଼ାର ବିକାଶ ପାଇଁ ପର୍ୟ୍ୟାପ୍ତ ସୁବିଧା ସୁଯୋଗ ରହିଛି। ଏଠାରେ ବ୍ୟାପକ କ୍ରୀଡ଼ା ଭିତ୍ତଭୂମି ସହ ବିଶାଳ ଖେଳ ପଡ଼ିଆ ରହିଛି। ଆଗାମୀ ଦିନରେ ମୋତିଲାଲ ଓସ୍ୱାଲ-କିସରୁ ବଲାଙ୍ଗିର ଜିଲାର ବହୁ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ାବିତ ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି।

Comments are closed.