ଲକ୍ଷ୍ନୌରେ କୃଷକ ମହାପଞ୍ଚାୟତ : ନିଶ୍ଚିତ ଏମ୍‌ଏସପି ପାଇଁ ଆଇନ ହେଉ

ଲକ୍ଷ୍ନୌ : ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ସତ୍ତ୍ବେ କୃଷକଙ୍କ ଆନ୍ଦୋଳନ ଥମି ନାହିଁ। କୃଷକ ସଂଗଠନଗୁଡିକ ସେମାନଙ୍କ ଆନ୍ଦୋଳନ ଅବ୍ୟାହତ ରଖିବା ସହିତ ସରକାରଙ୍କ ନୂଆ ଦାବି ଉପସ୍ଥାପନ କରିଛନ୍ତି। ସୋମବାର କୃଷକ ସଂଗଠନର ସଦସ୍ୟମାନେ ଲକ୍ଷ୍ନୌର ମହାପଞ୍ଚାୟତରେ ଏକାଠି ହୋଇ କୃଷି ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି)କୁ ନିଶ୍ଚିତ କରିବା ଲାଗି ଆବଶ୍ୟକ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଦୀର୍ଘ ଏକବର୍ଷ ବ୍ୟାପୀ ଆନ୍ଦୋଳନ କରି କୃଷକ ସଂଗଠନଗୁଡିକ କୃଷି ଆଇନ ପ୍ରତ୍ୟାହାର ପାଇଁ ଏକପ୍ରକାର ବାଧ୍ୟ କରିଥିବାବେଳେ ଏବେ ଏମଏସପି ପାଇଁ ଆଇନ ଆଣିବାକୁ ଦାବି କରିଛନ୍ତି। କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ ଏମଏସପି ନିଶ୍ଚିତ କରିବା ଏକ ଗୁରୁତ୍ବପୂର୍ଣ୍ଣ ଦାବି। କୃଷି ଉତ୍ପାଦିତ ସାମଗ୍ରୀର ଦର କମ୍ ହେବା ଦ୍ବାରା ସମସ୍ତେ ପ୍ରଭାବିତ ହେବେ। ଉତ୍ତରପ୍ରଦେଶ ଶାହାଜାନପୁରରୁ ଆସିଥିବା ଜଣେ କୃଷକ କହିଛନ୍ତି ଯେ ମଣ୍ଡିକୁ ଫସଲ ନେଇଯିବା ସତ୍ତ୍ବେ ଅଧିକାରୀ ଏହାକୁ ଏମଏସପି ଦରରେ କ୍ରୟ କରିବାକୁ ମନା କରୁଛନ୍ତି। ଏମଏସପି ନିଶ୍ଚିତ କରିବା ଲାଗି ଯଦି ଆଇନ ଅଣାଯିବ ତେବେ ମଣ୍ଡିର ଅଧିକାରୀ ଫସଲ କ୍ରୟ କରିବାକୁ ମନା କରିପାରିବେ ନାହିଁ। ଫସଲ କ୍ରୟ କରିବାକୁ ମନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କୃଷି ଆଇନ ପ୍ରତ୍ୟାହାର ନେଇ ସରକାରଙ୍କ ଘୋଷଣା ସତ୍ତ୍ବେ ସିଙ୍ଘୁ ସୀମାରେ କୃଷକଙ୍କ ଆନ୍ଦୋଳନ ଅବ୍ୟାହତ ରହିଛି। ଆସନ୍ତା ୨୭ ତାରିଖରେ କୃଷକ ସଂଗଠନଗୁଡିକ ବୈଠକ କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ। ଏହା ପୂର୍ବରୁ କୃଷକମାନେ ସରକାରଙ୍କ ନିକଟରେ ଆଉ କେତେକ ଦାବି ଉପସ୍ଥାପନ କରିଛନ୍ତି। ନିଜର ଦାବି ସମ୍ପର୍କରେ ସଂଯୁକ୍ତ କୃଷକ ମୋର୍ଚ୍ଚା (ଏସ୍‌କେଏମ୍‌) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପତ୍ର ଲେଖିଛି।

Comments are closed.