ଚଢା ଦରରେ ବିକ୍ରି କରିବା ପଡିଲା ମହଙ୍ଗା; ଉପଜିଲ୍ଲାପାଳଙ୍କ ଦ୍ୱାରା କିରୋସିନି ଡିଲର ନିଲମ୍ବିତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଅଂଚଳରେ ପିଡିଏସ୍ କିରୋସିନି ଚଢାଦରରେ ବିକ୍ରି କରିବା ଜଣେ ଡିଲରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଖପ୍ରାଖୋଲ ବ୍ଲକର ମହରାପଦର ପଂଚାୟତ ସମେତ କେତେକ ପଂଚାୟତରେ କିରୋସିନି ଚଢା ଦରରେ ବିକ୍ରି କରୁଥିବା ନେଇ ସମାଜକର୍ମୀ ସୁଶାନ୍ତ ପାଣିଗ୍ରାହୀ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ପାଇଁ ସହକାରୀ ଉପଜିଲ୍ଲାପାଳ ପଦ୍ମନାଭ ପୁରୋହିତଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା। ସହକାରୀ ଜିଲ୍ଲାପାଳ ଗତ ୪ ତାରିଖ ମହରାପଦର ଏବଂ ବନମାଲ ଅଂଚଳକୁ ଯାଇ ଘଟଣାର ତଦନ୍ତ କରିବା ସହିତ ଖାଉଟି ମାନଙ୍କୁ ଏନେଇ ପଚାରି ବୁଝିଥିଲେ। ତଦନ୍ତ ସମୟରେ ୧୮ ଟଙ୍କା ବଦଳରେ ରିଟେଲର ୩୩ ଟଙ୍କାରେ କିରୋସିନି ବିକ୍ରି କରିଥିବା ଖାଉଟିମାନେ ସହକାରୀ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ବ୍ଲକର ବିଭିନ୍ନ ଗ୍ରାମରେ ୩୩ ଟଙ୍କାରୁ ୪୨ ଟଙ୍କା ଦରରେ କିରୋସିନି ବିକ୍ରି ହୋଇଥିବା ନେଇ ଅଭିଯୋଗ ହୋଇଥିବାବେଳେ ଏହି ଘଟଣାରେ ଯେଉଁମାନେ ଜଡିତ ତାଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହୋଇଛି।

Comments are closed.