କିନ୍ନର ପିନ୍ଧିବେ ଖାକି

ଭୁବନେଶ୍ୱର: ରାଜ୍ୟର କିନ୍ନରଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା। ଓଡ଼ିଶା ପୁଲିସରେ ଏମାନଙ୍କୁ ମିଳିବ ନିଯୁକ୍ତି। ଶନିବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ୪୭୭ ସବ୍‌ ଇନ୍ସପେକ୍ଟର ପଦ ଓ ୨୪୪ କନ୍‌ଷ୍ଟେବଳ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୧୫ ସୁଦ୍ଧା ଆବେଦନ କରିବା ସମୟ ଧାର୍ଯ୍ୟ ହୋଇଛି। ଏଥିରେ କିନ୍ନର ବା ତୃତୀୟ ଲିଙ୍ଗଙ୍କ ପାଇଁ ସୁଯୋଗ ରହିଛି। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ କିନ୍ନର ସଙ୍ଘ ସ୍ବାଗତ କରିଛି। କିନ୍ନର ନେତ୍ରୀ ମୀରା ପରିଡ଼ା, ମେଘନା ଓ ସାଧନା ପ୍ରମୁଖ ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ଏହି ବର୍ଗ ପାଇଁ ବୟସ ଓ ଶିକ୍ଷାଗତ ଯୋଗ୍ୟତାରେ କିଛିଟା କୋହଳ କରିବାକୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ କିନ୍ନରଙ୍କୁ ଆତ୍ମନିର୍ଭଶୀଳ କରି ସମାଜରେ ସମ୍ମାନର ସହ ବଞ୍ଚିବା ନିମନ୍ତେ ସୁଯୋଗ ସୃଷ୍ଟି ଭଳି ବିବିଧ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳ ଜୀବିକା ମିଶନ ଅନ୍ତର୍ଗତ କିନ୍ନରଙ୍କ ଥଇଥାନ ଏବଂ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ବକେୟା ହୋଲ୍ଡିଂ ଟିକସ ସଂଗ୍ରହ, ଯାନ ରହଣି ସ୍ଥଳରୁ ଟିକସ ଆଦାୟ(ପାର୍କିଂ ଫି’), ପରିମଳ କ୍ଷେତ୍ରରେ ନିଯୁକ୍ତି, ‘ଗରିମା’ ଯୋଜନାରେ ଆତ୍ମନିର୍ଭରଶୀଳ ପ୍ରଶିକ୍ଷଣ ବ୍ୟବସ୍ଥା ହୋଇଥିବାବେଳେ ଏବେ ସର୍ବସାଧାରଣ ସରକାରୀ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି।

Comments are closed.