କେଶଦୁରାପାଳରେ ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ

କେଶଦୁରାପାଳ: ଯୌତୁକ ଦାବୀ କରି ଜଣେ ବଧୁକୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିବା ଜଣାପଡ଼ିଛି । କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ରାସିକ ନଗର ଗ୍ରାମର କୈଳାସ ନାୟକଙ୍କ ଝିଅ ଜଯନ୍ତୀ ନାୟକ ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗ୍ରାମର ଘନଶ୍ୟାମ ସାହୁଙ୍କ ପୁତ୍ର ବିପିନ ବିହାରୀ ସାହୁଙ୍କୁ ଗତ ୧୧ ବର୍ଷ ତଳେ ବୈଦିକ ରିତିରେ ବିବାହ କରିଥିଲା। ସେମାନଙ୍କର ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି। ଇତି ମଧ୍ୟରେ ଜଯନ୍ତୀଙ୍କ ପରିବାର ପକ୍ଷରୁ ଝିଅ ଜ୍ୟୋଇଁଙ୍କୁ ଘରକୁ ଡାକି ନିଜ ତରଫରୁ ଯଥୋଚିତ ସମ୍ମାନୀତ କରିଥିଲେ ହେଁ ବିପିନ ବିହାରୀ ପରିବାର ଲୋକେ ଜଯନ୍ତୀଙ୍କ ପରିବାରକୁ ୫ଲକ୍ଷ ଟଙ୍କା ପାଇଁ ଦାବି କରିବା ସହିତ ଜଯନ୍ତୀକୁ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।
ଏଥି ସହିତ ମଝିରେ ମଝିରେ ଜଯନ୍ତୀ ଅଧିକାଂଶ ସମୟରେ ବାପ ଘରୁ ଟଙ୍କା ଆଣେ ଓ କିଛି ଦିନ ପୂର୍ବେ ଏହି ଟଙ୍କା ପାଇଁ ବିପିନର ପରିବାର ଲୋକେ ଜଯନ୍ତୀକୁ ନିଆଁରେ ପୋଡି ମାରିବାକୁ ଉଦ୍ୟମ କରିଥିଲେ। ପୁନଃ ୫ଲକ୍ଷ ଟଙ୍କା ପାଇଁ ବିପିନର ପରିବାର ଲୋକେ ଡିମାଣ୍ଡ କରିବା ସହିତ ବାପଘରୁ ଟଙ୍କା ନ ଆଣିଲେ ଜୀବନରେ ମାରି ଦେବୁ ବୋଲି ଜଯନ୍ତୀକୁ ଧମକ ଦେବା ପରେ ଗତ କାଲି ୨ ଘଟିକା ସମୟରେ ଜଯନ୍ତୀ ନିଜବାପ ଘରକୁ ଫୋନ ଯୋଗେ ୫ଲକ୍ଷ ଟଙ୍କା ଆଣ ନହେଲେ ମୋ ଶାଶୁଘର ପରିବାର ଲୋକେ ମୋତେ ଜୀବନରେ ମାରି ଦେବେ ବୋଲି ଭାଇକୁ ଫୋନ ଯୋଗେ ଜଣାଇଥିଲେ। ତେବେ ଆଜି ସକାଳେ ଜୟନ୍ତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ଘସିପୁରା ଥାନାରେ ଜଯନ୍ତୀର ଭାଇ ସଂଜୟ ନାୟକ ଲିଖିତ ଅଭିଯୋଗ କରିବା ପରେ ଘସିପୁରା ପୁଲିସ ଅନୁସନ୍ଧାନ ଜାରି ରଖିଥିବା ଜଣାପଡ଼ିଛି।