ବିଶିଷ୍ଟ ଗାୟକ ଅଜୟ ପାଠକଙ୍କ ସମେତ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା, ଶିଷ୍ୟ ଗିରଫ

ପାନୀପତ: ବିଶିଷ୍ଟ ଭଜନ ଗାୟକ ଅଜୟ ପାଠକ ଓ ତାଙ୍କ ପରିବାର ଲୋକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଘର ମଧ୍ୟରୁ ଅଜୟ ପାଠକ, ତାଙ୍କ ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ୧୦ ବର୍ଷୀୟ ପୁଅର ମୃତଦେହ ଜଳନ୍ତା ଗାଡି ମଧ୍ୟରୁ ଅର୍ଦ୍ଧ୍ବଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ଅଜୟଙ୍କ ଶିଷ୍ୟ ହିମାଂଶୁଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣା ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକା ସାଙ୍ଗରେ ଗୋଟିଏ ଶ୍ମଶାନରେ ପରିବାରର ତିନି ଜଣ ବାପା, ମା ଓ ଝିଅର ଜୁଇ ଜଳିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶ ଶାମଲୀର ପଞ୍ଜାବୀ କଲୋନୀରେ ଭଜନ ଗାୟକ ଅଜୟ ପାଠକ(୪୨), ତାଙ୍କ ସ୍ତ୍ରୀ ସ୍ନେହଲତା(୩୮), ଝିଅ ବସୁନ୍ଧରା(୧୫) ଏବଂ ପୁଅ ଭଗବତ(୧୦) ରହୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଅଜୟଙ୍କ ଶିଷ୍ୟ ହିମାଂଶୁ ପରିବାରର ସମସ୍ତଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା। ଖାଦ୍ୟରେ କିଛି ବିଷାକ୍ତ ଦ୍ରବ୍ୟ ମିଶାଇ ଖାଇବାକୁ ଦେବା ପରେ ଏକ ଧାରୁଆ ଅସ୍ତ୍ରରେ ହିମାଂଶୁ ସେମାନଙ୍କୁ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ସମସ୍ତଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ହିମାଂଶୁ ଅଜୟ ପାଠକଙ୍କ ପୁଅ ଭଗବତକୁ ଏକ କାରରେ ନେଇ ଫେରାର ହୋଇଯାଇଥିଲା। ଘର ମଧ୍ୟରେ ୩ଟି ମୃତଦେହ ପଡି ରହିଥିବା ​ବେଳେ ସାହି ପଡିଶା ଲୋକ ଦେଖିଦେବା ଭୟରେ ଅଭିଯୁକ୍ତ ହିମାଂଶୁ ଘରର ବାହାର ପଟରୁ ତାଲା ପକାଇ ଦେଇଥିଲା। ମଙ୍ଗଳବାର ବିଳମ୍ବିତ ରାତିରେ ହରିୟାଣାର ପାନୀପତ ନିକଟରେ ଅଜୟଙ୍କ କାର୍ ଜଳନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଗାଡି ମଧ୍ୟରୁ ଅଜୟଙ୍କ ପୁଅ ଭଗବତର ଅର୍ଦ୍ଧ୍ବଦଗ୍ଧ ମୃତଦେହକୁ ଉଦ୍ଧାର କରାଯାଇଥିଲା। ଗାଡି ଜଳୁଥିବା ବେଳେ ଅଭିଯୁକ୍ତ ହିମାଂଶୁ ମଧ୍ୟ ସେଠାରେ ଉପସ୍ଥିତ ଥିଲା। ସ୍ଥାନୀୟ ପୁଲିସ ତାକୁ ସନ୍ଦେହ କରି ଗିରଫ କରିଥିବା ପରେ ଏହି ଘଟଣାର ତଦନ୍ତ କରୁଥିବା ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ।

ଅଭିଯୁକ୍ତର ତଥ୍ୟ ଅନୁଯାୟୀ, ଅଜୟଙ୍କ କାର ଡିକିରେ ପୁଅ ଭଗବତର ମୃତଦେହକୁ ରଖି ସେ ତିନିଟି ରାଜ୍ୟ ବୁଲିଥିଲା। ଉତ୍ତରପ୍ରଦେଶ, ହରିୟାଣା ଓ ଦିଲ୍ଲୀର ଜାତୀୟ ରାଜପଥରେ ଚକ୍କର କାଟିଥିଲା। ଘଟଣାସ୍ଥଳରୁ ଗାଡି ନେଇ ସେ ମୀରଟ ପର୍ଯ୍ୟନ୍ତ ଯାଇଥିଲା, ସେଠାରୁ ଦିଲ୍ଲୀ ଓ ପରେ ପାନିପଥରେ ପହଞ୍ଚିଥିଲା। ସେଠାରେ ଭଗବତର ମୃତଦେହ ଥିବା ଅଜୟଙ୍କ ଗାଡିକୁ ଜାଳି ଦେଇଥିଲା।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ୩ଟି ରାଜ୍ୟ ଦେଇ ବୁଲିବା ସମୟରେ ଅଭିଯୁକ୍ତ ରାସ୍ତାରେ ଅନେକ ଥାନା, ଚେକିଂ ସ୍ଥାନ ଏବଂ ପୁଲିସ ପାଟ୍ରୋଲିଂ ଦେଇ ​‌ଗତି କରିଥିବ। ହେଲେ ରାସ୍ତାରେ କୌଣସି ସ୍ଥାନରେ ଚେକିଂ ବେଳେ ସେ ଧରାପଡିଲା ନାହିଁ କେମିତି? ଯାହାକୁ ନେଇ ପୁଲିସର ଯାଞ୍ଚ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ଗୋଟିଏ ପରିବାରର ସମସ୍ତଙ୍କୁ ହତ୍ୟା କରାଯିବା ଏବଂ ଏକା ସାଙ୍ଗରେ ପରିବାର ୩ ଜଣଙ୍କ ଶେଷକୃତ୍ୟ ହେବା ଘଟଣା ଅତ୍ୟନ୍ତ ହୃହୟ ବିଦାରକ ଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ‌ହଜାର ହଜାର ଲୋକ ସେମାନଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ। ଅନେକ ମହିଳାଙ୍କ ସମତେ ଅଜୟଙ୍କ ବହୁ ଶିଷ୍ୟ ତାଙ୍କ ଅନ୍ତିମ ସଂସ୍କାରରେ ଉପସ୍ଥିତ ଥିଲେ। ପୁଅ ଭଗବତର ଅର୍ଦ୍ଧ୍ବଦଗ୍ଧ ମୃତଦେହ ବ୍ୟବଚ୍ଛେଦ ହୋଇ ନ ଥିବା ବେଳେ ତା’ର ଅନ୍ତିମ ସତ୍କାର ହୋଇପାରିନାହିଁ।

ଅନ୍ୟପକ୍ଷରେ ଅଭିଯୁକ୍ତ ହିମାଂଶୁ ପୁଲିସ ନିକଟରେ ହତ୍ୟାକାଣ୍ଡ ପଛର କାରଣ କହିଛି। ବୟାନ ଅନୁଯାୟୀ, ହିମାଂଶୁର ଆର୍ଥିକ ଅବସ୍ଥା ଭଲ ନ ଥିଲା। ସେ ଏକ ବ୍ୟାଙ୍କରୁ ଋଣ ନେଇଥିଲ।। ଠିକ୍ ସମୟରେ ଋଣ ଶୁଝି ନ ପାରିବାରୁ ତାକୁ ବ୍ୟାଙ୍କରୁ ଆଇନଗତ ନୋଟିସ ଜାରି ହୋଇଥିଲା, ଯାହାକୁ ନେଇ ହିମାଂଶୁ ଚିନ୍ତାରରେ ଥିଲା। ପୂର୍ବରୁ ହିମାଂଶୁ ଅଜୟ ପାଠକଙ୍କୁ ୬୦ ହଜାର ଟଙ୍କା ଦେଇଥିଲା। ସେହି ଟଙ୍କା ମାଗିବାରୁ ଅଜୟ ହିମାଂଶୁକୁ ଗାଳିଗୁଲଜ କରିବା ସହ ଅପଦସ୍ତ କରିଥିଲେ, ଯାହାକୁ ନେଇ ହିମାଂଶୁ ମନରେ ପ୍ରତିଶୋଧର ନିଆଁ ଜଳୁଥିଲା। ଅନେକ ସମୟରେ ହିମାଂଶୁ ଅଜୟଙ୍କ ଘରୁ ଯିବା ଆସିବା କରନ୍ତି। ସେହିପରି ଗତ ଡିସେମ୍ବର ୩୦ ତାରିଖରେ ହିମାଂଶୁ ଅଜୟଙ୍କ ଘରେ ରହିଥିଲା। ସେହି ଦିନ ମଧ୍ୟ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ଅଜୟ ହିମାଂଶୁଙ୍କୁ ଚାପୁଡା ମାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପୂର୍ବରୁ ଲୁଚାଇ ରଖିଥିବା ମାରଣା ଅସ୍ତ୍ରରେ ହିମାଂଶୁ ପରିବାରର ସମସ୍ତଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା।

Comments are closed.