‘କିଟ୍’ କୁ ଟାଇମ୍ସ ‘ଆୱାର୍ଡସ୍ ଏସିଆ ୨୦୨୦’ ପୁରସ୍କାର

ଭୁବନେଶ୍ବର: ବିଶ୍ୱସ୍ତରରେ କିଟ୍ ବିଶ୍ବବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର। ମଙ୍ଗଳବାର ସମଗ୍ର ଏସିଆରେ ଏକମାତ୍ର ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟକୁ ‘ଆୱାର୍ଡସ ଏସିଆ ୨୦୨୦’ ପୁରସ୍କାର’ ମିଳିଛି।
ମଙ୍ଗଳବାର ଟାଇମ୍ସ ହାୟର ଏଜୁକେସନ ପକ୍ଷରୁ ‘ଆୱାର୍ଡସ ଏସିଆ ୨୦୨୦’ ପୁରସ୍କାର ଘୋଷଣା କରାଯାଇଛି। କିଟ୍​ ବିଶ୍ବବିଦ୍ୟାଳୟକୁ ବର୍ଷର ‘ଶ୍ରେଷ୍ଠ କାର୍ୟ୍ୟସ୍ଥଳ’ (ୱାର୍କପ୍ଲେସ ଅଫ ଦି ଇଅର) ମାନ୍ୟତା ଦେଇଛି ଟାଇମସ ହାୟର ଏଜୁକେସନ। ଚଳିତ ବର୍ଷ ମନୋନୟନ କରାଯାଇଥିବା ‘ୱାର୍କପ୍ଲେସ ଅଫ ଦି ଇଅର’ କାଟେଗୋରୀରେ ସମଗ୍ର ଏସିଆ ମହାଦେଶରେ ଭାରତରୁ କିଟ୍ ଏକମାତ୍ର ଅନୁଷ୍ଠାନ ଭାବେ ମନୋନୀତ ହୋଇଛି। ଖବରରେ ଖୁସି ବ୍ୟକ୍ତ କରି କିଟର ସମସ୍ତ କର୍ମଚାରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ଏହାର ଶ୍ରେୟ ପ୍ରତିଷ୍ଠାତା ଅଚ୍ୟୁତ ସମନ୍ତଙ୍କୁ ଦେଇଛନ୍ତି। ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ବୋଲି କର୍ମଚାରୀ ଓ ଛାତ୍ରଛାତ୍ରୀ କହିଛନ୍ତି।

 

କିଟ୍ ପ୍ରତିଷ୍ଠା ହେବା ଦିନଠାରୁ କିଟରେ ଅଧ୍ୟାପକ ଓ କର୍ମଚାରୀଙ୍କୁ ସ୍ବାଧୀନ ଭାବେ କାର୍ଯ୍ୟ ସମ୍ପାଦନା କରିବାର ପରମ୍ପରା ସୃଷ୍ଟି କରାଯାଇଛି। ଏହାର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଏଠାରେ ଉଭୟ ଅଧ୍ୟାପକ ଓ ପ୍ରଶାସନିକ କର୍ମଚାରୀମାନଙ୍କୁ ସେମାନଙ୍କ ଆର୍ଥିକ ଓ ପ୍ରଶାସନିକ କାର୍ଯ୍ୟନ୍ୱୟନ କ୍ଷେତ୍ରରେ ସ୍ବାଧୀନତାକୁ ଗୁରୁତ୍ବ ଦେଇ ଆସିଛନ୍ତି। ପ୍ରତିଷ୍ଠାତା ଭାବେ ଶ୍ରୀ ସାମନ୍ତ କର୍ମଚାରୀମାନେ ଯେଭଳି ଭାବେ କାର୍ଯ୍ୟ ସମ୍ପାଦନ କରିପାରିବେ ସେଥିପାଇଁ ସର୍ବଦା ଉତ୍ସାହିତ କରିଥାନ୍ତି। ଫଳରେ କିଟରେ କାର୍ଯ୍ୟ ସମ୍ପାଦନ କରିବାର ଏକ ଭଲ ବାତାବରଣ ସୃଷ୍ଟି ହୋଇ ପାରିଛି ଓ କିଟ୍ ବିଶ୍ବରେ ସୁନାମ ଅର୍ଜନ କରି ପାରିଛି। ଏହି ସର୍ବେକ୍ଷଣରେ ବିଶ୍ବର ବହୁ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଓ ସ୍ଥାନୀୟ ଲୋଙ୍କ ମତାମତକୁ ଟାଇମସ ହାୟର ଏଜୁକେସନ ମନୋନୟନ କମିଟିର ବିଚାରପତିଙ୍କ ଦ୍ବାରା ପୁଙ୍ଖାନୁପୁଙ୍ଖ ବିବେଚନା କରାଯିବା ପରେ ଏହି ପୁରସ୍କାର ପାଇଁ କିଟକୁ ମନୋନୀତ କରାଯାଇଛି।

Comments are closed.