କିଡନୀ ରୋଗ ଆତଙ୍କ, ପୁରୁଷ ଶୂନ୍ୟ ହେବାକୁ ବସିଛି ଗାଁ

୨ ବର୍ଷରେ ଗଲାଣି ୧୨ଜଣଙ୍କ ଜୀବନ

ହରଭଙ୍ଗା : ନରସିଂହପୁର,ନୂଆପଡା ପରେ କିଡନୀ ରୋଗର ନୂଆଠିକଣା ହେଉଛି ବୌଦ୍ଧଜିଲ୍ଲାର ହରଭଙ୍ଗା ବ୍ଲକ।ସଂପ୍ରତି ବ୍ଲକ ଅଂଚଳରେ କିଡନୀ ରୋଗ ଏବେ ମହାମାରୀ ରୂପ ଧାରଣ କରିଛି। ରୋଗର କାରଣ ନିରାକରଣ ଏବଂ ପ୍ରତିକାର ଦିଗରେ ପ୍ରଶାସନ ପକ୍ଷରୁ ସେଭଳି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଯାହାଫଳରେ ଏହି ମାରାତ୍ମକ ବେମାରୀ ବର୍ତ୍ତମାନ ଗ୍ରାମଚଂଳରେ ବସବାସ କରୁଥିବା ଗରିବ, ଖଟିଖିଆ ଦିନମଜୁରୀଆ ପରିବାର ଉପରେ ଦାଉ ସାଜିଛି। ରୋଗ ଚିହ୍ନଟ ପୂର୍ବରୁ ଗରିବ ରୋଗୀଟିଏ ଏଠାକୁ ସେଠାକୁ ଧାଇଁ ଧାଇଁ ଅସହାୟ ହୋଇ ଶେଷରେ ଅକାରଣରେ ପ୍ରାଣ ହାରୁଥିବା ଦେଖିବାକୁ ମିଳୁଛି। ଏହି ମାରାତ୍ମକ ବେମାରୀ କ୍ରମଶଃ ଦିନକୁ ଦିନ ଅଂଚଳରେ ନିଜର କାୟା ବିସ୍ତାର କରିଚାଲିଛି। ଏତେ ସବୁ ପରେ ବି ପ୍ରଶାସନ ପକ୍ଷରୁ ରୋଗର ଭୟାବହତା ସାଙ୍ଗକୁ ବିଶେଷକରି ଫ୍ଲୋରାଇଡ ପାଣି ଉପରେ ଲୋକଙ୍କୁ ସଚେତନତା କରାଯାଉନଥିବା କିଡନୀ ରୋଗ ବୃଦ୍ଧିର ମୂଳ କାରଣ ବୋଲି ମତପ୍ରକାଶ ପାଉଛି।। ଏଭଳି ଭାବେ ବର୍ତମାନ ବ୍ଲକର ଧଳପୁର ପଂଚାୟତର ଚନ୍ଦ୍ରଶେଖରପୁର ଗାଁରେ କିଡନୀ ରୋଗ ଆତଙ୍କ ସୃଷ୍ଟି କରିଛି। ଏହି ଗାଁରେ ୨୮ଟି ପରିବାର ବସବାସ ଲୋକେ କରୁଥିବା ଜଣାପଡିଛି। ଗତ ୧୫ଦିନ ପୂର୍ବରୁ ମୃତ୍ୟୂବରଣ କରିଥିବା ଦୂତିଆ କର୍ଣ୍ଣଙ୍କ ବଡବୋହୁ ଲଳିତା କର୍ଣ୍ଣ(୩୮) ଭଳି ଜଣେ କିଡନୀ ରୋଗାକ୍ରାନ୍ତ ମହିଳା ମଙ୍ଗଳବାର କଳିଙ୍ଗ ହସ୍ପିଟାଲ ଭୂବନେଶ୍ୱରରେ ମୃତ୍ୟୂବରଣ କରିଥିବା ଜଣାପଡିଛି। ବିଗତ ଦୁଇ ବର୍ଷ ମଧ୍ୟରେ ଏହି ମାରାତ୍ମକ ରୋଗରେ ଗ୍ରାମର ଦୂତିଆ କର୍ଣ୍ଣ,ପାଚଂ ଡାଙ୍ଗ,ସୁରଭୀ ବେହେରା,ସନ୍ତୋଷ କର୍ଣ୍ଣ,ମଦନ କର୍ଣ୍ଣ,ବିଦ୍ୟାଧର କର୍ଣ୍ଣ,କପିଳ ଡାଙ୍ଗ,ବଲ୍ଲଭି ଡାଙ୍ଗ,ହରି ଡାଙ୍ଗ,ନିରଞନ କର୍ଣ୍ଣ,ରାମା କର୍ଣ୍ଣ,ଲଳିତା କର୍ଣ୍ଣ ଭଳି ୧୨ ଜଣଙ୍କ ଜୀବନ ଯାଇଥିବା କୁହାଯାଉଛି। ଅନ୍ୟପଟେ ହେମନ୍ତ କର୍ଣ୍ଣ,ଲଡୁକିଶୋର କର୍ଣ୍ଣ,ନିଦାଘ କର୍ଣ୍ଣ,ରଞନ କର୍ଣ୍ଣ,କଇଁ ଛନ୍ଦ ଭଳି ୫ଜଣ ଗରିବ ଖଟିଖିଆ ଲୋକ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତଥିବା ଜଣାପଡିଛି।।ଗୋଟିଏ ପରିବାରରୁ ଦୁଇଜଣ ଲେଖାଏଁ ଏହି ରୋଗରେ ଆଖିବୁଜୁଥିବା ଜଣାପଡିଛି। ଫଳରେ ଗାଁ ପୁରୁଷ ଶୂନ୍ୟ ହେବାକୁ ବସିଛି। ତୁରନ୍ତ ଜିଲ୍ଲାପ୍ରଶାସନ ଉକ୍ତ ଗ୍ରାମରେ ପଂହଚି ରୋଗର କାରଣ ଏବଂ ନିରାକରଣ ଦିଗରେ ଲୋକଙ୍କୁ ସଚେତନ କରିବା ସହିତ ଆକ୍ରାନ୍ତ ରୋଗୀଙ୍କୁ ମାଗଣା ଚିକିତ୍ସା ସହାୟତା ଯୋଗାଇଦେବାକୁ କିଡନୀ ସଚେତନାତା ମଂଚର ସଂପାଦକ ଇଂ ବିକାଶ ମହାକୁଡ ଦାବି କରିଛନ୍ତି। ଏଥିପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି। ନଚେତ୍ ଗ୍ରାମବାସୀ ଛୁଆପିଲା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗାରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

Comments are closed.