ଅନାହାର ମୃତ୍ୟୁ ଅପେକ୍ଷାରେ ବାପ ଓ ପୁଅ, ସ୍ଥିତି ଯଥା ପୂର୍ବଂ ତଥା ପରଂ!

ବୋଲଗଡ: ଓଡିଶାର ୧ ନଂ ଜିଲ୍ଲାଭାବେ ରାଜ୍ୟର ଜିଲ୍ଲା ମାନଚିତ୍ରରେ ସ୍ଥାନିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ଉପରକୁ ଚକ ଚକ କରୁଥିବାବେଳେ ଭିତରେ କିନ୍ତୁ ସାଧାରଣ ଜନତା କିଭଳି ଶୋଷିତ,ନିଷ୍ପେଷିତ ଏବଂ ପ୍ରଶାସନିକ ଭାବେ ଦଣ୍ଡିତ ହେଉଛି ତାହାର କରୁଣ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ପାଟପୁର ଶାସନ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ। ପାଟପୁର ଶାସନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବାବେଳେ ସେଠାର ଦାରୁଣ ଚିତ୍ର ଦୀପତଳ ଅନ୍ଦାର ଭଳି ଜାଜୁଲ୍ୟମାନ ଭାବେ ବେସ ବାରି ହୋଇପଡିଛି।

ଅନାହାର ମୃତ୍ୟୁ ଅପେକ୍ଷାରେ ବାପ ଓ ପୁଅ ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରଶାସନ ସକ୍ରିୟ ହୋଇ ରାତି ଅଧିଆ ତରବରିଆ ଭାବେ ପୁଅ ନାମରେ ଥିବା ଅର୍ନ୍ତଦ୍ୱୟ କାର୍ଡଟିକୁ ବାପ ନାମରେ ପରିବର୍ତ୍ତନ କରିଥିବା ବେଳେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ନଜଣାଇବାକୁ ହିତାଧିକାରିଙ୍କୁ ପ୍ରଶାସନିକ ତାଗିଦ୍‍ କରିବାର ଅଭିଯୋଗ ସାଧାରଣ ଜନତାର ମୈାଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାରୁ ପ୍ରକାଶ ବୋଲଗଡ ବ୍ଲକ ଅନ୍ତର୍ଗତ ପାଟପୁର ଶାସନ ପଞ୍ଚାୟତର ଶ୍ରୀରାମପୁରର ଆଦିବାସୀ ସାହି ଅବହେଳିତ ହୋଇ ରହିଅଛି। ଆଦିବାସୀ ସାହିର ଶିବ ସ୍ୱାଇଁ(୭୦) ଏବଂ ତାର ପୁଅ ସତ୍ୟ ସ୍ୱାଇଁ (୪୫) ଅତି ଦୁର୍ଦ୍ଦିନରେ ରହିବା ସହ ଅନାହାର ମୃତ୍ୟୁ ଅପେକ୍ଷାରେ ଅଛନ୍ତି। ପୁଅ ସତ୍ୟ ସ୍ୱାଇଁର ନିଜ ଗୋଡରେ ଏକ ବିରାଟ ଘା ହୋଇ ପୋକ ସଲବଲ ହୋଇ ଚାଲୁଥିବା ବେଳେ ବାପା ଶିବର ଗୋଟିଏ ଚକ୍ଷ୍ୟୁ ସମ୍ପୁର୍ଣ୍ଣ ନଷ୍ଠ ହୋଇଯାଇଛି। ନିଜର ବାସ କହିଲେ ମାଟିର ଭଙ୍ଗା ଦଦରା କାନ୍ଥ ଘେରା ଖୋଲା ଆକାଶ ତଳେ ବାପ ଓ ପୁଅଙ୍କର ଜୀବନ ବିତୁଛି। ଏପରିକି ବର୍ଷାଦିନ ହୋଇଥିବାରେ ଘର ଭିତର ସରୀସୃପମାନଙ୍କର ବାସସ୍ଥଳି ପାଲଟିଛି। ସରକାରଙ୍କ ଯୋଜନାରେ ସେମାନଙ୍କୁ ଏପର୍ଯ୍ୟନ୍ତ ଖଣ୍ଡିଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କ ଅର୍ନ୍ତଭୁକ୍ତ ନକରିବା ଦୁଃଖ ଓ ପରିତାପର ବିଷୟ।

ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ପ୍ରଶାସନ ପକ୍ଷରୁ ବାଙ୍କୋଇଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାପ ଓ ପୁଅକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଶୁ ଚିକିତ୍ସା ନିମନ୍ତେ ନିଆଯାଇଥିଲେ ମଧ୍ୟ ସେଠାରେ ବର୍ହିଃଚିକିତ୍ସା ବିଭାଗରେ ପଞ୍ଜିକରଣ କରି ଛାଡି ଦେଇ ପ୍ରଶାସନ ଆତ୍ମ ସନ୍ତୋଷ ଲାଭ କରିଛି। କିନ୍ତୁ ପରବର୍ତ୍ତି ସମୟରେ ପୁଅ ସତ୍ୟର ଚିକିତ୍ସା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସକ ଚିକିତ୍ସା କରିବା ବଦଳରେ ଆଡ ଆଖିରେ ନ ଚାହିଁବା ଧର୍ମକୁ ଆଖିଠାର ଭଳି ଖଣ୍ଡିଏ କାଗଜରେ ଔଷଧ ବିବରଣୀ ଲେଖି ଘରକୁ ଫେରାଇଦେଇଛନ୍ତି। ମହାମାରୀ କରୋନା ସଙ୍କ୍ରମଣ ସମୟରେ ପ୍ରତ୍ୟେକ ଖାଉଟିମାନଙ୍କୁ ଆଗାମୀ ୩ମାସ ପାଇଁ ଚାଉଳ,ଡାଲି, କିରୋସିନି ଓ ୧ହଜାର ଟଙ୍କା ଆର୍ଥିକ ସହାୟତା ରାଜ୍ୟ ସରକାର ବ୍ଲକ ପ୍ରଶାସନ ମାଧ୍ୟମରେ ଦେବାର ନିୟମ ରହିଛି। ମାତ୍ର ବାପ ଓ ପୁଅଙ୍କ କ୍ଷେତ୍ରରେ ଏହି ନିୟମକୁ ବେଖାତିର କରି ଚାଉଳ ବ୍ୟତୀତ ଡାଲି, କିରୋସିନି ଓ ୧ହଜାର ଟଙ୍କା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସେମାନଙ୍କୁ ପ୍ରଦାନ କରିନଥିବାର ବାପ ଶିବ ସ୍ୱାଇଁ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି।

ଏହିଭଳି ଦାରୁଣସ୍ଥିତିକୁ ହୃଦୟଙ୍ଗମ କରି ବୋଲଗଡର ‘ଯୁବଶକ୍ତି’ ସଙ୍ଗଠନର ସଭ୍ୟମାନେ ଆର୍ଥିକ ସାହାଯ୍ୟ କରିବା ସହିତ ଖାଇବା ପାଇଁ ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି। ବାପ ଓ ପୁଅ ଉଭୟଙ୍କ ଉପଯୁକ୍ତ ଚିକିତ୍ସା ସହିତ ବୃଦ୍ଧ ବାପକୁ କୈାଣସି ଏକ ଜରାନିବାସରେ ସ୍ଥାନୀତ କରିବାକୁ ଜିଲ୍ଲା ପ୍ରଶାସନକୁ ‘ଯୁବଶକ୍ତି’ ପକ୍ଷରୁ ଅନୁରୋଧ କରିଛନ୍ତି। ରବିବାର ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କୁ ବୋଲଗଡ ବ୍ଲକ କାର୍ଯ୍ୟାଳୟରେ ଆମ ପ୍ରତିନିଧି ଭେଟି ଏସମ୍ପର୍କରେ ପଚାରିବାରେ ସେ ଘଟଣା ବିଷୟରେ ଅଜ୍ଞ ଅଛନ୍ତି ଏବଂ ଏହାର ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରିଣୀ ମୋନାଲିସା ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.