କଣ୍ଟେନମେଣ୍ଟ ଜୋନ୍‍ ପରେ ଖୁଣ୍ଟୁଣୀ ସଂପୂର୍ଣ୍ଣ ଆବଦ୍ଧ

ଗୁରୁଡିଝାଟିଆ: କ୍ରମାଗତ ଭାବରେ ଖୁଣ୍ଟୁଣୀରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିଲା। ସପ୍ତାହକ ମଧ୍ୟରେ ପ୍ରାୟ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହାକି ପ୍ରଶାସନର ଚିନ୍ତା ବଢାଇଦେଇଥିଲା। ସଂକ୍ରମଣ ହାରକୁ ହ୍ରାସ କରିବା, ବିଶୋଧନ କରିବା ଓ କଣ୍ଟାକ୍ଟ ଟ୍ରେସିଂ କରିବା ପାଇଁ ଜିଲ୍ଲାପାଳ ଖୁଣ୍ଟୁଣୀକୁ ୭ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି। ଯାହା ଫଳରେ ଖୁଣ୍ଟୁଣୀ ଗାଁ ଯାଇଥିବା ସମସ୍ତ ପ୍ରବେଶପଥକୁ ପ୍ରଶାସନ ସିଲ କରି ଦେଇଥିଲେ। ୭ ତାରିଖ ପର୍ଯ୍ୟନ୍ତ କୌଣସି ଲୋକ ଗାଁ ଭିତରୁ ବାହାରକୁ ଓ ବାହାରୁ ଗାଁ ଭିତରକୁ ଯିବା ନିମନ୍ତେ କଟକଣା ରହିଛି। ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଅତ୍ୟାବଶ୍ୟକ ଦୋକାନ ମଧ୍ୟ ବନ୍ଦ ରହିବ।

ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଦରକାର ହେଲେ ଆଠଗଡ ବ୍ଲକ ପ୍ରଶାସନ ଯୋଗାଇଦେବ। କଣ୍ଟେନମେଣ୍ଟ ଅଞ୍ଚଳର ଆଇନଶୃଙ୍ଖଳା ତଦାରଖ ପାଇଁ ଆଠଗଡ ତହସିଲଦାର ମାଜିଷ୍ଟ୍ରେଟ ଭାବରେ ତଦାରଖ କରୁଛନ୍ତି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କଂଟ୍ରାକ୍ଟ ଟ୍ରେସିଂ ଜାରି ରହିଛି। ଉକ୍ତ ସମସ୍ତ କାର୍ଯ୍ୟକୁ ଆଠଗଡ ଉପଖଣ୍ଡ ପ୍ରଶାସନ ଅନୁଧ୍ୟାନ କରିବେ ବୋଲି ଜିଲ୍ଲା ପ୍ରଶାସନ ଚିଠିରେ ଉଲ୍ଲେଖ କରିଛନ୍ତି। ଆଠଗଡ ବ୍ଲକରେ ଖୁଣ୍ଟୁଣୀ କରୋନାର ଗଡ ଭାବରେ ଉଭା ହୋଇଛି। ଜନସାଧାରଣ କେଉଁଠି ନା କେଉଁଠି କୋଭିଡ ନିୟମକୁ ଉଲ୍ଲଂଘନ କରୁଥିବାରୁ ସଂକ୍ରମଣ ହାର ବୃଦ୍ଧି ପାଉଛି ଏବଂ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ଖୁଣ୍ଟୁଣୀକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି।

Comments are closed.