କାଠ ବୋଝେଇ ଗାଡି ଜବତ : ଚାଳକ ଫେରାର

ଖୁଣ୍ଟା : ମୟୁଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅନ୍ତର୍ଗତ ଉଦଳା ରେଞ୍ଜ ଅଧୀନ ଧାନଘେରା ଅଞ୍ଚଳରୁ ଚାଲାଣ କରାଯାଉଥିବା କାଠ ଗଣ୍ଡି ସମେତ ଏକ ଟାଟା ଏସି ଗାଡିକୁ ରବିବାର ବନ ବିଭାଗ ଜବତ କରିଛି। ତେବେ ଘଟଣା ସ୍ଥଳରୁ ଗାଡି ଚାଳକ ଓ ଅନ୍ୟମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଧାନଘେରାରୁ କୁଶଳଦା ରାସ୍ତା ଦେଇ ରବିବାର ଅପରାହ୍ଣରେ ଏକ ଟାଟା ଏସି ଗାଡିରେ ବିଭିନ୍ନ ସାଇଜର ସତର ଗୋଟି ନିମ କାଠ ଗଣ୍ଡି ବୋଝେଇ ହୋଇ ବାଲେଶ୍ୱର ଆଡକୁ ଯାଉଥିବାର ବନ ବିଭାଗକୁ ସୂଚନା ମିଳିଥିଲା। କାଠଗଣ୍ଡି ବୋଝେଇ ଗାଡିଟି କୁଆମରା ଫରେଷ୍ଟ ବିଟ ଅଧିନ ଦାମାସାହି ଠାରେ ପହଞ୍ଚିବା ସମୟରେ ବନ କର୍ମଚାରୀ ମାନେ ଉକ୍ତ ଗାଡିକୁ ଅଟକାଇଥିଲେ। ବନ କର୍ମଚାରୀଙ୍କୁ ଦେଖି ଗାଡିର ଚାଳକ ସମେତ ଅନ୍ୟମାନେ ଖସି ପଳାଇଥିବା ବେଳେ କାଠ ଗଣ୍ଡି ଗୁଡିକୁ ଜବତ କରାଯାଇ ଉଦଳା ରେଞ୍ଜ କାର୍ଯ୍ୟାଳୟରେ ରଖା ଯାଇଛି। ଖୋଲା ବଜାରରେ ଜବତ କାଠର ମୂଲ୍ୟ ୪୫ହଜାର ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ବନ ବିଭାଗ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇଛି।

Comments are closed.