ଅଭିନବ କାର୍ଯ୍ୟକ୍ରମ ଲୋକାର୍ପଣକୁ ୪ ବର୍ଷ ପୂରିବ ଅପହଞ୍ଚ ‘୧୮୧’

-ଖୋର୍ଦ୍ଧା ଜିଲାରୁ ମହିଳା ହିଂସା ଅଭିଯୋଗ ସର୍ବାଧିକ, ବୌଦ୍ଧ ପଛରେ
-ରାଜଧାନୀ ମହିଳା ବି ଜାଣନ୍ତିନି ନିଃଶୁଳ୍କ ନମ୍ବରର ଉପଯୋଗ
-ସଚେତନତା ଅଭାବରୁ ଯୋଜନା ସ୍ଥାଣୁ

ଭୁବନେଶ୍ବର: ଘରୋଇ ହିଂସା ରୋକିବାକୁ ସରକାର ୩ ବର୍ଷ ତଳେ ମହିଳାଙ୍କ ପାଇଁ ଆରମ୍ଭ କରିଥିଲେ ନିଃଶୁଳ୍କ ହେଲ୍ପଲାଇନ ନମ୍ବର ”୧୮୧”। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦ୍ରଶେଖରପୁରଠାରେ ୨୦୧୭ ମାର୍ଚ୍ଚ ୮ ତାରିଖରେ ଏହି ନିଃଶୁକ୍ଳ ସେବା ନମ୍ବରକୁ ରାଜ୍ୟବାସୀଙ୍କ ନିମନ୍ତେ ଲୋକାର୍ପିତ କରିଥିଲେ। ଲକ୍ଷ୍ୟ ଥିଲା ମହିଳାଙ୍କ ସୁରକ୍ଷା। ପାରିବାରିକ ହିଂସାଠାରୁ ଆରମ୍ଭ କରି କୌଣସି କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳାମାନେ ଏହି ନିଃଶୁଳ୍କ ହେଲ୍ପଲାଇନ ନମ୍ବର ଜରିଆରେ ନିଜ ଅଭିଯୋଗ ଦରଜ କରିବାର ବ୍ୟବସ୍ଥା ରହିଥିଲା। ରାଜ୍ୟର ଯେ କୌଣସି ପ୍ରାନ୍ତରୁ ମହିଳାମାନେ ଏଥିରେ ଅଭିଯୋଗ କରିପାରିବେ ବୋଲି କୁହାଯାଇଥିଲା। ଆଶା କରାଯାଉଥିଲା ଏହି କାର୍ଯ୍ୟକ୍ରମ ରାଜ୍ୟରେ ମହିଳା ହିଂସା ରୋକିବାରେ ସହାୟକ ହେବ ଓ ତ୍ବରିତ ପଦକ୍ଷେପ ଦ୍ବାରା ଲିଙ୍ଗଗତ ଅପରାଧ ହ୍ରାସ ପାଇବ; ମାତ୍ର ଉପଯୁକ୍ତ ସଚେତନତାର ଅଭାବ ଯୋଗୁଁ ରାଜ୍ୟ ସରକାରଙ୍କ ଏହି ମହତ୍ବାକାଂକ୍ଷୀ କାର୍ଯ୍ୟକ୍ରମ ସମ୍ପର୍କରେ ଦୂରଦୂରାନ୍ତର ମହିଳା କ’ଣ ଖୋଦ୍‌ ରାଜଧାନୀର ଅଧିକାଂଶ ମହିଳା ଅଜ୍ଞ। ଏହି ନିଶୁଳ୍କ ହେଲପ ଲାଇନ ନମ୍ବର ”୧୮୧” ଏବେ ବି ମହିଳାଙ୍କ ପାଇଁ ଅପହଞ୍ଚ ।

ରାଜ୍ୟରେ ପ୍ରତିବର୍ଷ ଘରୋଇ ହିଂସା, ମହିଳାଙ୍କ ପ୍ରତି ଅତ୍ୟାଚାର ଓ ନିର୍ଯାତନା ବଢ଼ୁଛି। କିଛି ଘଟଣା ଆଲୋକକୁ ଆସୁଛି, ଥାନାରେ ମାମଲା ରୁଜୁ ହେଉଛି; ମାତ୍ର ଅଧିକାଂଶ ଘଟଣାରେ ମହିଳାମାନେ ଅଭିଯୋଗ କରିବାକୁ ସୁଯୋଗ ପାଉନାହାନ୍ତି କିମ୍ବା ଭୟ ଯୋଗୁଁ ଚୁପ୍ ରହୁଛନ୍ତି। ଅଭିଯୋଗ କରିବାକୁ ସେମାନଙ୍କ ପାଖରେ ସାଧନ ନାହିଁ। ଏହି କ୍ଷେତ୍ରରେ ନିଶୁଳ୍କ ହେଲପଲାଇନ ନମ୍ବର ”୧୮୧” ଉପଯୋଗୀ ସାବ୍ୟସ୍ତ ହୋଇଥାନ୍ତା। ବ୍ୟବସ୍ଥା ଅନୁସାରେ ଏହି ନମ୍ବରରେ ଅଭିଯୋଗ ମାତ୍ରେ ନିୟନ୍ତ୍ରଣକକ୍ଷରୁ ସମ୍ପୃକ୍ତ ଅଞ୍ଚଳର ପୁଲିସକୁ ସୂଚନା ଦିଆଯାଇଥାଏ ଓ ତୁରନ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଏ।

ମାତ୍ର ଏହି ବ୍ୟବସ୍ଥା ସମ୍ପର୍କରେ ରାଜ୍ୟର ଅଧିକାଂଶ ଅଞ୍ଚଳର ମହିଳା ଓ ପୀଡ଼ିତାମାନେ ସଂପୂର୍ଣ୍ଣ ଅଜ୍ଞ। ଆଭ୍ୟନ୍ତରୀଣ ଅଞ୍ଚଳର ମହିଳାମାନଙ୍କର ଏ ସମ୍ପର୍କରେ ଆଦୌ ଧାରଣା ବି ନାହିଁ। ସଚେତନତା ଅଭାବରୁ ହାତ ପାହାନ୍ତାରେ ଥିବା ଆଇନଗତ ସୁଯୋଗକୁ ମହିଳାମାନେ ଉପଯୋଗ କରିପାରୁନାହାନ୍ତି। ଯଦ୍ଦ୍ବାରା ସେମାନେ ହିଂସା, ଅସଦାଚରଣ, ନିର୍ଯ୍ୟାତନାର ଶିକାର ହେଉଥିଲେ ମଧ୍ୟ ଏ ସମ୍ପର୍କରେ ଅଭିଯୋଗ କରିପାରୁନାହାନ୍ତି।

ଗତ ୩ ବର୍ଷର ପରିସଂଖ୍ୟାନ ଅନୁସାରେ ଖୋର୍ଧା ଜିଲାରୁ ଏହି ନମ୍ବରକୁ ସର୍ବାଧିକ କଲ୍‌ ଯାଇଥିଲା ବେଳେ ବୌଦ୍ଧ ଜିଲାରୁ ଆସିଛି ସବୁଠୁ କମ୍ ଅଭିଯୋଗ। ‘୧୮୧’ କାର୍ଯ୍ୟାଳୟରୁ ହସ୍ତଗତ ସୂଚନା ଅନୁସାରେ ୨୦୨୦ ମେ’ ମାସ ଯାଏଁ ମହିଳା ହେଲ୍ପଲାଇନ ନିକଟକୁ ଆସିଛି ମୋଟ ୨୦୪୯ଟି ଅଭିଯୋଗ। ସେଥିମଧ୍ୟରୁ ୨୪୫ଟି କେବଳ ଘରୋଇ ହିଂସା ସମ୍ବନ୍ଧୀୟ ଥିବାବେଳେ ୨୨୨ଟି ଅନ୍ୟାନ୍ୟ ଅଭିଯୋଗ ଆସିଛି। ଅଧିକାଂଶ ଘରୋଇ ହିଂସାର କାରଣ ଯୌତୁକ ଦାବି, ଯୌନାକାଂକ୍ଷା ପୂର୍ତ୍ତିରେ ବିଫଳତା, ଆର୍ଥିକ ସ୍ଥିତି ତଥା ଲକ୍‌ଡାଉନ ସମୟ‌େ‌ର ପୁରୁଷଙ୍କ ହତାଶ ମନୋଭାବର ପରିପ୍ରକାଶ ବୋଲି ଅଭିଯୋଗରେ ଦର୍ଶାଯାଉଛି।

ସେହିପରି ୨୦୧୯ ମସିହାରେ ଉକ୍ତ ନମ୍ବରରେ ଖୋର୍ଦ୍ଧାରୁ ସର୍ବାଧିକ ୨୭୮୧ ଥର ଯୋଗାଯୋଗ ହୋଇଛି। କଟକରୁ ୧୭୪୩, ବାଲେଶ୍ବରରୁ ୧୨୩୦, ପୁରୀରୁ ୯୭୯, କେନ୍ଦୁଝରରୁ ୯୪୮, ସୁନ୍ଦରଗଡ଼ରୁ ୯୪୬, ଗଞ୍ଜାମରୁ ୯୦୮, କେନ୍ଦ୍ରାପଡ଼ାରୁ ୮୯୭, ଭଦ୍ରକରୁ ୮୮୭, ଅନୁଗୁଳରୁ ୮୬୦, ମୟୂରଭଞ୍ଜରୁ ୮୧୭ ଏବଂ ଜଗତସିଂହପୁରରୁ ୫୬୭ ଯୋଗାଯୋଗ ହୋଇଛି। ଅପହଞ୍ଚ ଅଞ୍ଚଳରୁ ସର୍ବନିମ୍ନ ଯୋଗାଯୋଗ ଆସୁଛି। ବୌଦ୍ଧ ଜିଲା ସବୁଠୁ ପଛରେ ରହିଛି। ଏଠାରୁ ମାତ୍ର ୯୧ଟି ଅଭିଯୋଗ ହେଲ୍ପଲାଇନକୁ ଆସିଛି।

ମାଲକାନଗିରିରୁ ୧୭୩, ନୂଆପଡ଼ାରୁ ୧୬୧, ଗଜପତି ୧୫୦ ଏବଂ ସୁବର୍ଣ୍ଣପୁରରୁ ୧୩୬ ଯୋଗାଯୋଗ ହୋଇଛି। କଳାହାଣ୍ଡିରୁ ୫୨୮ କଲ୍‌ ଆସିଥିବା‌େ‌ବ‌େ‌ଳ ଢ଼େଙ୍କାନାଳରୁ ୫୨୧, ବଲାଙ୍ଗିରରୁ ୫୦୮, ସମ୍ବଲପୁରରୁ ୩୫୫, ବରଗଡ଼ରୁ ୩୮୨, କୋରାପୁଟରୁ ୩୭୮, ନୟାଗଡ଼ରୁ ୩୬୧, ଝାରସୁଗୁଡ଼ାରୁ ୩୪୫, ନବରଙ୍ଗପୁରରୁ ୨୭୯ ଏବଂ ଦେଓଗଡ଼ରୁ ୧୮୨ ଯୋଗାଯୋଗ କରାଯାଇ ଅଭିଯୋଗ ଦାଖଲ ହୋଇଥିବା ଜଣାପଡ଼ିଛି। ମହିଳାମାନେ ଉକ୍ତ ନମ୍ବର ସମ୍ପର୍କରେ ସଚେତନ ନ ଥିବାରୁ ଏହାକୁ ଯୋଗାଯୋଗ କରିପାରୁ ନଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମହିଳାମାନେ ଶିକାର ହେଉଥିବା ହିଂସା ବିରୋଧରେ ପ୍ରତିବାଦ କରିବା ପାଇଁ ରାଜ୍ୟ ସରକାର ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି। ହେଲେ ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଅଞ୍ଚଳରେ ଯେପରି ଅଧିକ ସଂଖ୍ୟାରେ ମହିଳାମାନେ ଏଥିପ୍ରତି ଅବଗତ ହୋଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ରାଜ୍ୟର ସବୁ ଅଙ୍ଗନବାଡି କର୍ମୀଙ୍କ ଦ୍ବାରା ମହିଳାଙ୍କୁ ସଚେତନ କରାଯାଉଛି। ଅଙ୍ଗନବାଡି ଏବଂ ପ୍ରାକ୍‌ ବିଦ୍ୟାଳୟ କାନ୍ଥରେ ପୋଷ୍ଟର ଲଗାଯାଉଛି। ଏଥିସହ ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯୋଜନା କରାଯାଉଛି।
ଅନ୍ୟପକ୍ଷରେ କେନ୍ଦୁଝରର ଜଣେ ଗୃହିଣୀ ସସ୍ମିତା ସାହୁଙ୍କ ମତ ହେଉଛି, ପ୍ରତିବର୍ଷ ସରକାର ମହିଳାଙ୍କ ପାଇଁ ନୂଆ ନୂଆ ହେଲ୍ପ ଲାଇନ ନମ୍ବର ଜାରି କରୁଛନ୍ତି। ଏତେଗୁଡ଼ିଏ ହେଲ୍ପ ଲାଇନ ନମ୍ବରକୁ ମନେ ରଖିବା ସମ୍ଭବ ହେଉନାହିଁ। ତେବେ ମହିଳାଙ୍କ ସୁରକ୍ଷା ପାଇଁ ୧୮୧ ହେଲ୍ପ ଲାଇନ ନମ୍ବର ଅଛି ବୋଲି ପ୍ରଥମ ଥର ପାଇଁ ଜାଣିବାକୁ ପାଇଲି। ସେହିଭଳି ଅନୁଗୋଳର ଜଣେ ଛାତ୍ରୀ ପ୍ରତିମା ପ୍ରଧାନଙ୍କ ମତରେ ମହିଳା ଓ ଯୁବତୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ସୁବିଧା ରହିଛି ବୋଲି ଜାଣିନାହିଁ। କଲେଜ ଓ ଘରେ ମଧ୍ୟ କେବେ ଏହି ନମ୍ବର ଉପରେ କଥା ହେବାର ଶୁଣିନାହିଁ। ମହିଳାମାନେ ଏହାର ଲାଭ ଉଠାଇବା ଆବଶ୍ୟକ। ଏ ସମ୍ପର୍କରେ ବିଭିନ୍ନ କଲେଜରେ ସଚେତନତା କାର୍ଯ୍ୟକ୍ରମ କରାଗଲେ ଅଧିକାଂଶ ଛାତ୍ରୀ ଏହାର ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି।

Comments are closed.