ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଉଦ୍‌ଘାଟିତ

ଗୁଆହାଟୀ : ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ୍‌ ଷ୍ଟାଡ଼ିୟମରେ ଶୁକ୍ରବାର ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ତୃତୀୟ ସଂସ୍କରଣ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ସମେତ ଅନେକ ଅତିଥି ଉପସ୍ଥିତ ଥିଲେ। ଉଦ୍‌ଘାଟନୀ ଉତ୍ସବରେ ତାରକା ମହିଳା ସ୍ପ୍ରିଣ୍ଟର ହିମା ଦାସ ମଶାଲ ବାହକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଏହି ଯୁବ କ୍ରୀଡ଼ାରେ ମୋଟ୍‌ ୩୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୬୮୦୦ ଜଣ ଆଥଲେଟ୍ ଭାଗ ନେଉଛନ୍ତି। ମୋଟ୍‌ ୨୦ଟି ବିଭାଗରେ ପ୍ରତିଯୋଗିତା ଆୟୋଜିତ ହେଉଥିବା ବେଳେ ଖେଳାଳି ଓ ଅଫିସିଆଲଙ୍କ ଗମନାଗମନ ନିମନ୍ତେ ଇଲେକ୍ଟ୍ରି କାର୍‌ ବ୍ୟବହାର କରାଯାଉଛି।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରେନ୍‌ ରିଜିଜୁ ପ୍ରତିଯୋଗିତା ଉଦ୍‌ଘାଟନ କରି କହିଥିଲେ ଭାରତର ବିଭିନ୍ନ ପ୍ରାନ୍ତରେ ଲୁଚି ରହିଥିବା ପ୍ରତିଭାବାନ୍‌ ଖେଳାଳିଙ୍କୁ ଲୋକଲୋଚନକୁ ଆଣିବା ଏହି କ୍ରୀଡ଼ା ପ୍ରତିଯୋଗିତାର ମୁଖ୍ୟ ଲକ୍ଷ୍ୟ। ଏଭଳି ପ୍ରତିଯୋଗିତା ଆୟୋଜନ ଦ୍ବାରା ଆଗାମୀ ଦିନରେ ଭାରତ ଅଲିମ୍ପିକ୍‌ସରେ ଅଧିକରୁ ଅଧିକ ପଦକ ଜିତିବାର ଆଶା ସଞ୍ଚାର ହୋଇଛି। ଯୁବ କ୍ରୀଡ଼ାବିତ୍‌ଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଉଦ୍ୟମ ଜାରି ରଖିଛି ଏବଂ ଆଗାମୀ ଦିନରେ ଏହାର ସୁଫଳ ନିଶ୍ଚିତ ଭାବେ ମିଳିବ। ସେହିପରି ସର୍ବାନନ୍ଦ ସୋନୱାଲ୍‌ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଭାଗ ନେବାକୁ ଆସିଥିବା ସମସ୍ତ କ୍ରୀଡ଼ାବିତ୍‌ ଓ ଅଧିକାରୀଙ୍କୁ ସ୍ବାଗତ କରିବା ସହ ଏପରି କ୍ରୀଡ଼ା ଆୟୋଜନ ଦ୍ବାରା ଭାରତୀୟ କ୍ରୀଡ଼ା ଅଧିକରୁ ଅଧିକ ଶକ୍ତିଶାଳୀ ହୋଇପାରିବ ବୋଲି ମତ ଦେଇଥିଲେ। ଯୁବ କ୍ରୀଡ଼ା ଆସନ୍ତା ୨୨ରେ ଉଦ୍‌ଯାପିତ ହେବ।

Comments are closed.