ଖେଲୋ ଇଣ୍ଡିଆ ଯୋଜନା ୨୦୨୫-୨୬ ପର୍ଯ୍ୟନ୍ତ ବଢ଼ିଲା

ନୂଆଦିଲ୍ଲୀ  : ଖେଲୋ ଇଣ୍ଡିଆ ଯୋଜନାକୁ ୨୦୨୧-୨୨ରୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏହି ୪ ବର୍ଷରେ ଖେଲୋ ଇଣ୍ଡିଆ ଯୋଜନାପ ପାଇଁ ୮୭୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇ ଏହା କେନ୍ଦ୍ର ଅର୍ଥ ମନ୍ତ୍ରାଳୟକୁ ପଠାଯାଇଛି। ସୂଚନାଯୋଗ୍ୟ; ୨୦୨୧-୨୨ ବର୍ଷ ଲାଗି ଖେଲୋ ଇଣ୍ଡିଆ ଯୋଜନା ପାଇଁ କେନ୍ଦ୍ର ବଜେଟ୍‌ରେ ୬୫୭.୭୧ କୋଟି ଟଙ୍କା ରଖାଯାଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ସୋମବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଜଣାଇଛନ୍ତି। ଗତ ସପ୍ତାହରେ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ରିଜିଜୁ ଜଣାଇଥିଲେ ଯେ ଅଲିମ୍ପିକ୍‌ସ ପରି ଆନ୍ତର୍ଜାତିକ କ୍ରୀଡ଼ା ଇଭେଣ୍ଟରେ ଅଧିକରୁ ଅଧିକ ଭାରତୀୟ ଯେପରି ଭାଗ ନେଇପାରିବେ; ସରକାର ଏହି ପ୍ରୟାସ କରୁଛନ୍ତି। ଅଧିକ କ୍ରୀଡ଼ାବିତ୍ ଅଲିମ୍ପିକ୍‌ସ ଓ ଅନ୍ୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଲେ ସେମାନଙ୍କର ପଦକ ଜିତିବାର ସମ୍ଭାବନା ବଢ଼ିଯିବ। ଏହାକୁ ଦୃଷ୍ଟିରେ ରଖି ପ୍ରତିଭାବାନ ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ଉଚ୍ଚସ୍ତରର ତାଲିମ ଲାଗି ସରକାର ଅର୍ଥ ଯୋଗାଇ ଦେଉଛନ୍ତି। ଏହି ଅର୍ଥରେ କ୍ରୀଡ଼ାବିତ୍ ଅତ୍ୟାଧୁନିକ କ୍ରୀଡ଼ା ସରଞ୍ଜାମ କିଣିବେ ଓ ବିଦେଶୀ ପ୍ରଶିକ୍ଷକଙ୍କ ଅଧୀନରେ ତାଲିମ ନେଇପାରିବେ। ରିଜିଜୁ ଆହୁରି କହିଛନ୍ତି ଯେ ଭିନ୍ନକ୍ଷମଙ୍କ ମଧ୍ୟରେ କ୍ରୀଡ଼ାର ପ୍ରସାର ପାଇଁ ୧୩.୭୩ କୋଟି ଟଙ୍କା ପ୍ରଦାନ କରାଯାଇଛି।

Comments are closed.