୨୨ ବର୍ଷ ହେଲା ଖଲ୍ଲିକୋଟକୁ ଛୁଇଁନି ବିକାଶ

ଖଲ୍ଲିକୋଟ: ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ଖଲ୍ଲିକୋଟଗଡର ରାଜା ବାହାଦୂର ସ୍ବର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନିଜସ୍ବଗଡକୁ ବିକାଶ ଏବେ ଏକପ୍ରକାର ଅପହଞ୍ଚ। ସରକାରୀ ଯୋଜନାକୁ ବାଦ ଦେଲେ ସାମୁହିକ ସ୍ବାର୍ଥରେ ଆସିବା ଭଳି ପ୍ରକଳ୍ପ ଏଠାରେ ସପନ ହୋଇଛି। ରାଜନୈତିକ ଇଛାଶକ୍ତି ଅଭାବରୁ ସମସ୍ତ ସମ୍ଭାବନା ସତ୍ତ୍ବେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀରେ ଆଖିଦୃଶିଆ ବିକାଶ ସାଧନ ହୋଇପାରିନି। ଶାସକ ଦଳ ନିୟନ୍ତ୍ରଣରେ ଏହି ନିର୍ବାଚନମଣ୍ଡଳୀ ବର୍ଷ ବର୍ଷ ଧରି ରହିଛି, ଅଥଚ ଏଠି ଚାଷୀ ଓ ଚାଷ ଅବହେଳିତ, ପର୍ଯ୍ୟଟନସ୍ଥଳ ଜରାଜୀର୍ଣ୍ଣ ସାଙ୍ଗକୁ ହୁ ହୁ ବଢ଼ିଛି ବେରୋଜଗାରୀ।

ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାପରେ ପ୍ରଥମ ବିଧାନସଭାକୁ ଖଲ୍ଲିକୋଟ – କୋଦଳା ଅଞ୍ଚଳକୁ ନେଇ ଗଠିତ ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ ତତ୍କାଳୀନ ଖଲ୍ଲିକୋଟ ରାଜା ବାହାଦୂର ସ୍ବର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ। ସେହି ସମୟରେ ଅବିଭକ୍ତ ଗଞ୍ଜାମ ଜିଲାରେ ରାସ୍ତା, ସେତୁ, ଡାକ୍ତରଖାନା ଓ ଜଳସେଚନ ପ୍ରକଳ୍ପ ପ୍ରଭୃତି ନିର୍ମାଣ କରି ଜଣେ ଯଶସ୍ବୀ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିଥିଲେ। ସମଗ୍ର ଜିଲାରେ ଶିକ୍ଷାର ବିକାଶକ୍ଷେତ୍ରରେ ସେ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲେ। ତା’ ପରଠୁ ଏହି ନିର୍ବାଚନମଣ୍ଡଳୀ ବିକାଶକ୍ଷେତ୍ରରେ ଆଉ ସେଭଳି ଆଗକୁ ବଢ଼ି ପାରିନି। ତାଙ୍କ କୁଳବଧୂ ରାଣୀସାହେବା ସୁଜ୍ଞାନକୁମାରୀ ଦେଓ ୧୯୬୧ରେ ରାଜ୍ୟ ରାଜନୀତିକୁ ଏକ ଉପନିର୍ବାଚନରେ ଲମ୍ପ ପ୍ରଦାନ କରି ବିଜୟ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଖଲ୍ଲିକୋଟରୁ ବିଭିନ୍ନ ସମୟରେ ୮ଥର ଓ ପରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ଲଗାତର ୨ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ରାଜ୍ୟ ରାଜନୀତିରେ ତାଙ୍କର ଖାତିର କାହିଁରେ କ’ଣ। ନିର୍ବାଚନମଣ୍ଡଳୀବାସୀଙ୍କ ସେ ଅତ୍ୟନ୍ତ ପ୍ରିୟ। ତାଙ୍କର ଦୀର୍ଘ ରାଜନୀତିକାଳରେ ଖଲ୍ଲିକୋଟ​‌​ରେ ତହସିଲ, ଅଗ୍ନିଶମ ଓ ଗ୍ରାମ୍ୟ ଉନ୍ନୟନ ଉପବିଭାଜନ କାର୍ଯ୍ୟାଳୟ ସ୍ଥାପନ ହୋଇଥିଲା । ଏହି ନିର୍ବାଚନମଣ୍ଡଳୀରୁ ସମାଜବାଦୀ ନେତା ସ୍ବର୍ଗତ ନାରାୟଣ ସାହୁ ୨ ଥର ନିର୍ବାଚିତ ହୋଇ ବେଗୁନିଆପଡା ବ୍ଲକ, କୋଦଳା ଓ ସୁମଣ୍ଡଳ ହସପିଟାଲ ଓ ଶାଳିଆ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା କରିବାରେ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ। ସ୍ବର୍ଗତ ତ୍ରିନାଥ ସାମନ୍ତରା ୨ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ସମୟରେ କରଞ୍ଜରା ଘାଇ, ଦେବୀଝର, ମୋହନ ସାଗର ଓ ଖଲ୍ଲିକୋଟ ଥାନା ପ୍ରଭୃତି ପ୍ରତିଷ୍ଠା ହୋଇଥିଲା। ୨୦୦୯ଠାରୁ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ସଂରକ୍ଷିତ ହେବା ପରେ ପୂର୍ଣ୍ଣଚନ୍ଦ୍ର ସେଠୀ ୨ ଥର ବିଧାନସଭାକୁ ନିର୍ବାଚିତ ହୋଇ ଅପହଞ୍ଚ ସମଲ ଗାଁକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ଓ ମକୁନ୍ଦପୁରଛକଠାରୁ ବିଏନପୁର ପର୍ଯ୍ୟନ୍ତ ନାବାର୍ଡ଼ ଯୋଜନାରେ ପକ୍କାରାସ୍ତା ନିର୍ମାଣ କରିଥିଲେ। ଏହାସହ ଗୁରାପଲ୍ଲୀ, ଡି . ଗୁହାରିଆପାଟଠାରେ ୨ଟି ମିନି ଗ୍ରୀଡ଼ ନିର୍ମାଣ କରାଇଥିଲେ। ବର୍ତ୍ତମାନର ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ କେବଳ ସରକାରୀ ଯୋଜନାକୁ ସାକାର ରୂପ ଦେବାକୁ ଉଦ୍ୟମରତା।

ଏହି ନିର୍ବାଚନମଣ୍ଡଳୀ କୃଷିବହୁଳ ଅଞ୍ଚଳ। ଜଳସେଚନ ପ୍ରମୁଖ ସମସ୍ୟା ଭାବେ ମୁଣ୍ଡ ଟେକିଛି । ୪୫ଟି ପଞ୍ଚାୟତ ଓ ୨ଟି ଏନଏସିରେ ପ୍ରାୟ ୧୨,୦୦୦ ହେକ୍ଟର ଜମି ମଧ୍ୟରୁ ୪ ହଜାର ହେକ୍ଟର ଜମି ଆବଶ୍ୟକ ଜଳସେଚନ ଅଭାବରୁ ପ୍ରାୟ ବର୍ଷ ତମାମ୍‌ ପଡିଆ ପଡୁଛି। ୨୦୦ରୁ ଅଧିକ କ୍ଷୁଦ୍ର, ମଧ୍ୟମ ଓ ଉଠା ଜଳସେଚନ ପ୍ରକଳ୍ପ ରହିଥିଲେ ମଧ୍ୟ ସେସବୁ ଚାଷୀଙ୍କ ହିତରେ ଆସିପାରୁନି। ଏହିସବୁ ପ୍ରକଳ୍ପ ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ କେନାଲର ଶେଷ ପର୍ଯ୍ୟନ୍ତ ଜମିକୁ ଜଳ ପହଞ୍ଚି ପାରୁନି। ଶାଳିଆଠାରୁ ଘଡ଼କା ଓ ଶାଳିଆଠାରୁ ରାଜଘାଇକୁ ସଂଯୋଗ ଯୋଜନା କେବଳ ଉଦ୍ୟମରେ ସୀମିତ ରହିଛି ।

ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକର ଅବସ୍ଥା ନ କହିବା ଭଲ। ଡାକ୍ତରଖାନାଗୁଡିକ ଆୟୁଷ ଡାକ୍ତର ଓ ଅବସରପ୍ରାପ୍ତ ଡାକ୍ତରଙ୍କ ମାର୍ଫତରେ ପରିଚାଳିତ। ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମାତ୍ର ବିଶେଷଜ୍ଞଙ୍କଦ୍ୱାରା ପ୍ରତିଦିନ ୩୦୦ ବହିଃ ଚିକିତ୍ସା ରୋଗୀଙ୍କ ସେବା ସମ୍ଭବପର ହୋଇପାରୁଛି।

ଏହି ନିର୍ବାଚନମଣ୍ଡଳୀରେ ୪ଟି ମହାବିଦ୍ୟାଳୟ, ପ୍ରାୟ ୪୦ଟି ହାଇସ୍କୁଲ ରହିଛି। ସବୁ ହାଇସ୍କୁଲରେ ପ୍ରଧାନଶିକ୍ଷକ ପଦ ଖାଲି ପଡିଛି। ଶିକ୍ଷିତ, ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବେକାରଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ନିର୍ବାଚନମଣ୍ଡଳୀ ସମ୍ପୂର୍ଣ୍ଣ ଶିଳ୍ପବିହୀନ। ଭିଟାମାଟିରେ ଆବଶ୍ୟକ କର୍ମସଂସ୍ଥାନ ନପାଇ ଏବେ ବି ରାଜ୍ୟ ବାହାରେ ପ୍ରାୟ ୧୫ ହଜାର ପ୍ରବାସୀ ଓଡ଼ିଆ ଶ୍ରମିକ ଭା​‌େ​‌ବ କାମ କରୁଛନ୍ତି। ଦୀର୍ଘ ୨୨ ବର୍ଷ ଧରି ନବୀନବାବୁଙ୍କ ସରକାର ନିରଙ୍କୁଶ ଭାବେ ସଂଖ୍ୟା ଗରିଷ୍ଠତାର ସହ ଭୋଟ ହାତଉଥିବା ବେଳେ ବେକାର ଯୁବକଙ୍କ ଥଇଥାନ ପାଇଁ କଳ କାରଖାନା କିମ୍ବା ଖାଦ୍ୟ ଓ କୃଷି ଶିଳ୍ପଟିଏ ପ୍ରତିଷ୍ଠା ହୋଇପାରିନି। କୃଷିଭିତ୍ତିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, କାଜୁଶିଳ୍ପ ସାଙ୍ଗକୁ ସୂତାକଳ, ମାଛ ଓ ଫୁଲ ଚାଷ , ଡାଇରୀ ଓ କୁକୁଡା ଫାର୍ମ ଭଳି ପ୍ରଚୁର ସମ୍ଭାବନା ସତ୍ତ୍ବେ ତାହାକୁ ଶିଳ୍ପାୟନ​‌େ​‌ର ରୂପାନ୍ତରିତ କରାଯାଇପାରୁ ନାହିଁ।

ଶୀତଳଭଣ୍ଡାର ପ୍ରତିଷ୍ଠା, ମତ୍ସ୍ୟବୀବୀଙ୍କ ପାଇଁ ମତ୍ସ୍ୟ ଅବତରଣ ଓ ଚିଲିକା ଫ୍ରେଶ ପାଇଁ ପ୍ରଚୁର ସମ୍ଭାବନା ସତ୍ତ୍ବେ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ସେ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିଛି। ଏହି ନିର୍ବାଚନମଣ୍ଡଳର ନାରାୟଣୀ, ନିର୍ମଳଝର, ଜଗନ୍ନାଥ ମନ୍ଦିର, ଚିଲିକା ଓ ଝାଡେଶ୍ୱରଠାରୁ ଆରମ୍ଭ କରି ତାରାତାରିଣୀ ପର୍ଯ୍ୟନ୍ତ ଏକ ବିସ୍ତୃତ ପର୍ଯ୍ୟଟନ କରିଡର ସ୍ଥାପନର ଆବଶ୍ୟକତା ରହିଛି। ପର୍ଯ୍ୟଟନର ଭିତ୍ତିଭୂମି ଵିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ବହୁ ପର୍ଯ୍ୟଟନସ୍ଥଳ ଜରାଜୀର୍ଣ୍ଣ ହୋଇପଡ଼ିଲାଣି । ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ସଂରକ୍ଷଣ ଓ ମରାମତି ପାଇଁ ୭୨ ଲକ୍ଷ ଟଙ୍କାର ପ୍ରକଳ୍ପ ସଂସ୍କୃତି ବିଭାଗ ନିକଟରେ ଦାଖଲ ହୋଇଥିଲେ ମଧ୍ୟ ତାହା ଏଯାବତ କାର୍ଯ୍ୟକାରୀ ହୋଇପାରିନି। ୧୬ ନମ୍ବର ଜାତୀୟ ରାଜପଥଠାରୁ ଆସିକା ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ, ଜାତୀୟ ରାଜପଥ ଠାରୁ ନିର୍ମଳଝର ଛକକୁ ସଂଯୋଗ ପାଇଁ ଏକ ବାଇପାସ ନିର୍ମାଣ, ଖଲ୍ଲିକୋଟ ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ, ଏକ ମଡେଲ ବସଷ୍ଟାଣ୍ଡ, ସୁଇମିଙ୍ଗ ପୁଲ୍‌, ଏକ କ୍ରୀଡା ହଷ୍ଟେଲ, ସରକାରୀ ଆଇଟିଆଇ, ମହିଳାଙ୍କ ବୈଷୟିକ ଶିକ୍ଷା ତାଲିମ ପାଇଁ ୱିମେନ ପଲିଟେକନିକ କଲେଜ ସମେତ ଖଲ୍ଲିକୋଟ ରେଳ ଷ୍ଟେସନଠାରେ ସମସ୍ତ ଦ୍ରୁତଗାମୀ ଟ୍ରେନର ରହଣୀ ବ୍ୟବସ୍ଥା, ଖଲ୍ଲିକୋଟ ନାରୟଣୀଙ୍କଠାରୁ ତାରାତାରିଣୀ ପର୍ଯ୍ୟନ୍ତ ଏକ ଟୁରିଷ୍ଟ ବସ ପ୍ରଚଳନର ଆବଶ୍ୟକତା ରହିଛି। ସମସ୍ୟା ଓ ସମ୍ଭାବନାଭିତରେ ଖଲ୍ଲିକୋଟ ନିର୍ବଚାନମଣ୍ଡଳୀ ଗତି କରୁଥିଲେ ହେଁ ସମ୍ଭାବନାକୁ ସାକାର ରୂପ ଦେବା ଏବଂ ସମସ୍ୟାରୁ ଲୋକଙ୍କୁ ନିସ୍ତାର ଦେବାକୁ ପ୍ରଶାସନିକ ଏବଂ ରାଜନୈତିକ ଇଛାଶକ୍ତିର ଘୋର ଅଭାବ ପରିଲକ୍ଷିତ ହୋଇଛି। ଆଗାମୀ ଦିନରେ ଖଲ୍ଲିକୋଟବାସୀଙ୍କ ଭାଗ୍ୟ ଆକାଶରେ ବିକାଶର ଉଦିତ ସୂର୍ଯ୍ୟ କେବେ ଖଲ୍ଲିକୋଟ ସ୍ପର୍ଶ କରିବ ତାହା ଦେଖିବାକୁ ବାକି ରହିଲା।

Comments are closed.