ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷଙ୍କ ସ୍ୱାମୀ ଗିରଫ

ଖଡ଼ିଆଳ: ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମରୁ ପୁଲିସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ନିଳାଦ୍ରୀ ମେହରଙ୍କ ସ୍ୱାମୀ ପ୍ରେମସାଗର ମେହେରଙ୍କୁ ପୁଲିସ ଗିରଫ କରିଛି। ଖଡ଼ିଆଳ ପୁଲିସର ଏକ ସ୍ୱତନ୍ତ୍ର ଟିମ ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଏସ୍‌ଡିପିଓ ସନ୍ତକ ଜେନା ଓ ଅତିରିକ୍ତ ତହସିଲଦାର ତପନ କୁମାର ନାଏକଙ୍କ ନେତୃତ୍ୱରେ ଚଢ଼ଉ କରିଥିଲା। ସେଠାରୁ ବିପୁଳ ପରିମାଣରେ ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।

୧୫ କାର୍ଟୁନ ସମୁଦାୟ ୨୯୨୫ ଜିଲେଟିନ ଷ୍ଟିକ, ୫୦ କେଜିର ୨୯ଟି ବନ୍ଦ ଥିବା ପ୍ଲାଷ୍ଟିକ ବସ୍ତା ଏମୋନିୟମ ନାଇଟ୍ରେଟ, ଗୋଟିଏ କାର୍ଟୁନରେ ବନ୍ଦ ଥିବା ୩୪ ବଣ୍ଡଲ୍‌ ହାରାହାରି ୮୪୪ଟି ଡିଟୋନେଟର, ନଗଦ ୩୨ ହଜାର ୯୦୦ ଟଙ୍କା , ୨ଟି ଟ୍ରଲି ଟ୍ରାକ୍ଟର, ୨ଟି କମ୍ପ୍ରେସର ଟ୍ରାକ୍ଟର, ୪ଟି ଲୁହା ବାର୍‌, ଗୋଟିଏ ମୋବାଇଲକୁ ଜବତ କରାଯାଇଛି। ଏ ନେଇ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ରାହୁଳ କୁମାର ଜୈନ ଖଡ଼ିଆଳ ଥାନା ପରିସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ଖଡ଼ିଆଳ ଏସଡିପିଓ ସନ୍ତକ ଜେନା, ଖଡ଼ିଆଳ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ଉପସ୍ଥିତ ଥିଲେ।

Comments are closed.