ସରକାରୀ ଆବାସ ଯୋଜନା କାହା ପାଇଁ? ଝାଟିମାଟି ଭଙ୍ଗାଘରେ ଅସହାୟ ମହିଳା

କେଶଦୁରାପାଳ : ସରକାର ଗରିବ ମାନଙ୍କୁ ଘରଡିହ ଓ ଆବାସ ଯୋଜନାରେ ଗୃହ ଯୋଗାଇ ଦେବାର ଡିଙ୍ଗୁରା ପିଟୁଛନ୍ତି । ହେଲେ ଏହି ଆବାସ ଯୋଜନା ଏବେ ଗରିବ  ପରିବାର ପାଇଁ ସାତସପନ ପାଲଟିଛି । ଦୀର୍ଘ ବର୍ଷ ହେବ ପ୍ରଶାସନକୁ ଅବଗତ କରିଥିଲେ ସୁଦ୍ଧା ପ୍ରଶାସନ ଗୁହାରୀ ଶୁଣୁନଥିବା ଅଭିଯୋଗ ହୋଇଛି । ଏହି ଯୋଜନା ସବୁ ବାଟବଣା ହୋଇଥିବା ସହ ପ୍ରକୃତ ହିତାଧିକାରୀ ଏହି ଯୋଜନାର ସୁଫଳ ମୁିଳୁନଥିବାବେଳେ ପ୍ରକୃତରେ ଏହାର ଚିତ୍ର ଓଲଟା ପରି ଦେଖାଯାଉଛି ।ଏହାର ଏକ ନିଛକ ଚିତ୍ର ଦେଖିବାକୁ ମିଳିଛି ଘଷିପୁରା ବ୍ଲକ ଅନ୍ତର୍ଗତ କେଶଦୁରପାଳ ପଞ୍ଚାୟତ ଅଫିସ୍ ସାମ୍ନାରେ ରହିଥିବା ବସଷ୍ଟାଣ୍ଡ ସାମ୍ନା ୧୫ ନମ୍ବର ୱାର୍ଡରେ ନୁଆଣିଆ ଗାଈ ଗୁହାଳ ଭଳି ଝାଟି ମାଟିର ଘର ଭିତରେ ବାସ କରୁଥିବା ଦୁଇଜଣ ବୟସ୍କ ମହିଳା ମୂଷ ବେହେରା(୬୫) ଓ କନକ ବେହେରା (୫୦)। ଛୁଆଟି ଦିନରୁ ବାପା ମାଆ କେହି ତାଙ୍କର ଏ ଦୁନିଆରେ ନାହାନ୍ତି। ଘରର ଅବସ୍ଥା ବୋଲି କିଛି ନାହିଁ। ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯିବା ସ୍ବଭାବିକ ହୋଇପଡିଛି । ଆଉ ବର୍ଷା ଦିନେ ସାପ ବେଙ୍ଗ ଘରଭିତରେ ଚରୁଛନ୍ତି। ସନ୍ତସନ୍ତିଆ ଓ ଅପରିତ୍ୟକ୍ତ ପରିବେଶରେ ଦୀର୍ଘବର୍ଷ ହେବ ରହି ଆସୁଛନ୍ତି ଏହି ଦୁଇଜଣ ମହିଳା । ତେବେ ଏଭଳି ଲୋକଙ୍କୁ ଏଯାଏଁ ପ୍ରଧାନମନ୍ତ୍ରୀ ଆବାସଟିଏ ମଧ୍ୟ ମିଳିପାରି ନାହିଁ। ଏସବୁ ଦେଖିଲେ ମନକୁ ସ୍ୱତଃ ପ୍ରଶ୍ନ ଆସେ, କାହା ପାଇଁ ଏ ବିକାଶ? ବିକାଶର ସଂଜ୍ଞା କଣ ଏଭଳି? ଆଜି ଏ ସମ୍ପର୍କରେ ଖବର ପାଇ ସେଠାକୁ ଜଣେ ସମାଜସେବୀ ଯୁବକ ତଥା ଆଦର୍ଶ ସେବା ସଂଘର ସଭାପତି ଯଜ୍ଞପ୍ରସାଦ ସାହୁ ପହଞ୍ଚି ଶୀତଦିନ ହେତୁ ଦୁଇଖଣ୍ଡ କମ୍ବଳ ଏବଂ ଶାଢ଼ୀ ଓ କିଛି ରାସନ୍‌ ସାମଗ୍ରୀ ସାହାଯ୍ୟ କରିଥିଲେ ଏବଂ ସେହିପରି ୬ ନମ୍ବର ୱାର୍ଡରେ ସମାନ ଚିତ୍ର। ସେଠାରେ ପୁଣି ବେହେରା(୬୫)ଙ୍କର ୧୦ ବର୍ଷ ତଳୁ ସ୍ଵାମୀ କୌଣସି ଏକ ଦୃଘଟଣାରେ ପ୍ରାଣ ହରାଇଥିଲେ। ସରକାରୀ ସହାୟତା କହିଲେ କେବଳ ଭତ୍ତାଟିଏ ହିଁ ମିଳୁଛି। ମାତ୍ର ପ୍ରଧାନମନ୍ତ୍ରୀ ଆବାସ ଟିଏ ଆଜି ପଯ୍ୟନ୍ତ ମିଳୁନାହିଁ । ଏମାନେ ବାରମ୍ବାର ପଞ୍ଚାୟତଠୁ ଘଷିପୁରାର ବ୍ଲକ ଏବଂ ସ୍ଥାନୀୟ ବିଧାୟକଙ୍କୁ ନିବେଦନ କରିଥିଲେ ମଧ୍ୟ କୌଣସି ଲାଭ ପାଉନାହାନ୍ତି। ଏହି ଗରିବ ଅସହାୟ ଲୋକମାନେ ନିରାଶ ହୋଇ ଏହି ଭଙ୍ଗା ଗୁହାଳ ଘର ଭିତରେ ଭାଗ୍ୟକୁ ଆଦରି ପଡିରହିଛନ୍ତି। ସରକାର ବିଭିନ୍ନ ସମୟରେ ବିଭିନ୍ନ ଯୋଜନାରେ ଗରିବ ଲୋକମାନଙ୍କୁ ସାହାଯ୍ୟ କରୁଥିବାବେଳେ ଏଠି କେଶଦୁରାପାଳ ପଞ୍ଚାୟତର ମୁଷ, କନକ ଓ ପୂନି ଅବହେଳାର ଶିକାର ହେଉଥିବା ଦେଖିବାକୁ ମିଳିଛି ।ଯଥାଶୀଘ୍ର ସରକାରୀ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେଇ ଏମାନଙ୍କୁ ଆବାସ ଦେବା ପାଇଁ ସ୍ଥାନୀୟ ଲୋକମାନେ କହିଛନ୍ତି ।

Comments are closed.