ବିଜୟ ହଜାରେ ଟ୍ରଫି, ଉଥପ୍ପାଙ୍କ ଶତକରେ ଓଡ଼ିଶାକୁ ହରାଇଲା କେରଳ

କଟକ: ଶନିବାରଠାରୁ ବେଙ୍ଗାଲୁରୁରେ ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି ସିନିୟର ଆନ୍ତଃରାଜ୍ୟ ଦିନିକିଆ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ପୂର୍ବତନ ଭାରତୀୟ ଓପ୍‌ନର ରବିନ୍ ଉଥପ୍ପାଙ୍କ ବିସ୍ଫୋରକ ଶତକ ବଳରେ ବର୍ଷା ନିୟମ (ଭିଜେଡି)ରେ ଓଡ଼ିଶାକୁ ୩୪ ରନ୍‌ରେ କେରଳ ପରାସ୍ତ କରିଛି। ଓଦା ପଡ଼ିଆ ଯୋଗୁଁ ମ୍ୟାଚ୍‌ ବିଳମ୍ବରେ ଆରମ୍ଭ ହୋଇଥିବା ଯୋଗୁଁ ଏହା ୪୫ ଓଭର ବିଶିଷ୍ଟ ହୋଇଥିଲା। ଗୌରବ ଚୌଧୁରୀ ଓ ସନ୍ଦୀପ ପଟ୍ଟନାୟକଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୪୫ ଓଭରରେ ୮ ୱିକେଟରେ ୨୫୮ ରନ୍‌ କରିଥିଲା। ପରେ ରବିନ୍ ଉଥପ୍ପାଙ୍କ ଶତକ ବଳରେ ୩୮.୨ ଓଭରରେ କେରଳ ୪ ୱିକେଟରେ ୨୩୩ ରନ୍ କରିଥିବା ବେଳେ ବର୍ଷା ହେବାରୁ ଆଗକୁ ଆଉ ଖେଳ ସମ୍ଭବ ହୋଇନଥିଲା। ସେତେବେଳକୁ ଭିଜେଡି ନିୟମରେ କେରଳକୁ ବିଜୟ ପାଇଁ ୨୦୦ ରନ୍ ଆବଶ୍ୟକ ଥିବାରୁ କେରଳ ୩୪ ରନ୍‌ରେ ଜିତିଥିଲା। ୨୨ରେ ରେଳବାଇ ବିପକ୍ଷରେ ଓଡ଼ିଶା ୨ୟ ମ୍ୟାଚ୍‌ ଖେଳିବ।

ଟସ୍ ଜିତି କେରଳ ଫିଲ୍‌ଡିଂ ନେବା ପରେ ଓଡ଼ିଶାର ଦୁଇ ଓପ୍‌ନର ଗୌରବ ଚୌଧୁରୀ ଓ ସନ୍ଦୀପ ପଟ୍ଟନାୟକ ୧୧୯ ରନ୍‌ର ଭାଗିଦାରୀ କରିଥିଲେ। ଜୀବନର ପ୍ରଥମ ଲିଷ୍ଟ-ଏ ମ୍ୟାଚ୍‌ ଖେଳିଥିବା ଗୌରବ ଚୌଧୁରୀ ୬୨ ବଲ୍‌ରୁ ୫ଟି ଚୌକା ସହ ୫୭ ରନ୍‌ କରିଥିଲେ। ସନ୍ଦୀପ ପଟ୍ଟନାୟକ ୭୫ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୬୬ ରନ୍ କରିଥିଲେ। ଶୁଭ୍ରାଂଶୁ ସେନାପତି ୪, ଅଧିନାୟକ ଶାନ୍ତନୁ ମିଶ୍ର ୭ ଓ ଅଭିଷେକ ଯାଦବ ୧୩ ରନ୍‌କରି ଆଉଟ ହୋଇଥିଲେ। ରାଜେଶ ଧୁପର ୨୨ ବଲ୍‌ରୁ ୨୦ ରନ୍ କରିଥିଲେ। ଦେବବ୍ରତ ପ୍ରଧାନ ୨୭ ରନ୍ କରିଥିଲେ। କାର୍ତ୍ତିକ ବିଶ୍ବାଳ ୪୦ ବଲ୍‌ରୁ ୪ଟି ଚୌକା ସହ ୪୫ ରନ୍‌କରି ଅପରାଜିତ ଥିଲେ। କେରଳର ଏସ୍. ଶ୍ରୀଶାନ୍ତ ଓ ଏମ୍‌.ଡି. ନିଧୀଶ ଏବଂ ଜଳଜ ସାକ୍ସେନା ୨ଟି ଲେଖାଏଁ ୱିକେଟ ନେଇଥିଲେ।

୨୬୮ ରନ୍ ଲକ୍ଷ୍ୟରେ କେରଳ ଓପ୍‌ନିଂ ଯୋଡ଼ିରେ ୬୧ ରନ୍ କରିଥିଲା। ବିଷ୍ଣୁ ବିନୋଦ ୨୪ ବଲ୍‌ରୁ ୨୮ ରନ୍ କରିଥିଲେ। ସଞ୍ଜୁ ସାମ୍‌ସନ ମାତ୍ର ୪ ରନ୍‌କରି ଆଉଟ ହୋଇଯିବା ଓଡ଼ିଶା ପାଇଁ ବଡ଼ ସଫଳତା ଥିଲା। ଓପ୍‌ନର ରବିନ୍ ଉଥପ୍ପା ଓ ଅଧିନାୟକ ସଚିନ ବେବି ୩ୟ ୱିକେଟ ପାଇଁ ୧୦୨ ରନ୍‌ ଯୋଗକରି ଦଳକୁ ବିଜୟର ନିକଟବର୍ତ୍ତୀ କରାଇଥିଲେ। ସଚିନ ବେବି ୪୦ ରନ୍ କରିଥିଲେ। ଉଥପ୍ପା ୮୫ ବଲ୍‌ରୁ ୪ଟି ଛକା ଓ ୧୦ଟି ଚୌକା ସହ ୧୦୭ ରନ୍‌ କରିଥିଲେ। ଖେଳ ବନ୍ଦହେବା ବେଳକୁ ବତ୍ସଳ ଗୋବିନ୍ଦ ୨୯ ଓ ମହମ୍ମଦ ଆଝାରୁଦ୍ଦିନ୍ ୨୧ ୨୩ ରନ୍‌କରି ଅପରାଜିତ ଥିଲେ। ବାମହାତି ସ୍ପିନର ସୌରଭ କାନୋଜିଆ ୩ଟି ୱିକେଟ ନେଇଥିଲେ।

Comments are closed.