୫ ଅନାଥ ନାବାଳିକାଙ୍କୁ ସହାୟତାର ହାତ ବଢ଼ାଇଲା ପ୍ରଶାସନ

ବଲାଣି : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଲାଣି ଅଂଚଳରୁ ୫ ଅନାଥ ନାବାଳକ ଓ ନାବାଳିକାଙ୍କୁ  ସହାୟତାର ହାତ ବଢ଼ାଇଛି ପ୍ରଶାସନ । ବର୍ଷେ ପୂର୍ବରୁ ବାପା ବାଗୁନ ପିଙ୍ଗୁଆ ଟିବି ରୋଗରେ ଆକ୍ରାନ୍ତ ହୋଇ ଆର ପାରିକୁ ଚାଲି ଯାଇଥିବା ବେଳେ ରଜ ସଂକ୍ରାନ୍ତି ଦିନ ମାଆ ସୀମା ପିଙ୍ଗୁଆ ମଧ୍ୟ ସେହି ଟିବି ରୋଗରେ ପ୍ରାଣ ହରାଇଥିଲେ । ତେବେ ଏଠାରେ ତାଙ୍କ ନିଜ ଲୋକ କେହି ନଥିବା ଯୋଗୁଁ ସାହି ପଡିଶା ୫ ଜଣ ଭାଇ ଭଉଣୀଙ୍କ ରକ୍ଷଣା ବେକ୍ଷଣା କରୁଥିଲେ । ପରେ ଏନେଇ ସ୍ଥାନୀୟ ସରପଞ୍ଚ ଖବର ପାଇବା ପରେ ବଡ଼ବିଲ ତହସିଲଦାରଙ୍କୁ ଜଣାଇଥିଲେ । ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ମାନବିକତା ପ୍ରଦର୍ଶନ କରି ସଂଗେ ସଂଗେ ଏହି ପରିବାରଙ୍କୁ ଭେଟିବା ସହିତ ମୃତ ମାର ଅନ୍ତିମ କ୍ରିୟା କରିବାକୁ 10 ହଜାର ଟଙ୍କା ସରକାରୀ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା କରିଥିଲେ । ପରେ ଏ ନେଇ ଜିଲାପାଳଙ୍କ ସହାୟତାରେ ଅନାଥ ପିଲାଙ୍କର ଭବିଷ୍ୟତ ଓ ସାମାଜିକ ସୁରକ୍ଷା ଅଧିକାର ଯୋଗାଇଦେବାକୁ ବ୍ୟବସ୍ଥା କରି ଆଜି ତାଙ୍କୁ ଚାଇଲ୍ଡ଼ ଲାଇନ ସଦସ୍ୟା ହିମାଦ୍ରୀ ନାଏକଙ୍କ ସହାୟତାରେ ଉଦ୍ଧାର କରାଯାଇ କେନ୍ଦୁଝର ସି ଡବ୍ଲ୍ୟୁ ସି ନିକଟକୁ ପଠାଯାଇଛି । ତେବେ ଏହି ପରିବାରରେ
୪ ଜଣ ନାବାଳିକା ଥିବାବେଳେ ଜଣେ ୯ ବର୍ଷର ନାବାଳକ ରହିଛି । ବଡ଼ ଝିଅ ୧୭ ବର୍ଷୀୟା ଲକ୍ଷ୍ମୀ ପିଙ୍ଗୁଆ ବଲାଣି ଅଂଚଳର ଆତ୍ରି ହଟିଂରେ ଥିବା ତାଙ୍କ ଘର ଜବର ଦଖଲ ହୋଇଯିବା ଭୟରେ ଘର ଛାଡି ଯିବାକୁ ଅମଙ୍ଗ ହେଉଥିବା ଯୋଗୁଁ ତହସିଲଦାର ଆର. ଆଇଙ୍କୁ ଡକାଇ ଲିଖିତ ଭାବରେ ଘର ଓ ଜାଗାର ସୁରକ୍ଷା ଦାୟିତ୍ୱ ନେବା ପରେ ବଡ଼ଝିଅ ଯିବାକୁ ରାଜି ହୋଇଥିଲେ । ଏହି ଅବସରରେ ତହସିଲଦାର ସମସ୍ତ ୫ ଅନାଥ ପିଲାଙ୍କ ପାଇଁ ନୂତନ ବସ୍ତ୍ର ଖରିଦ କରିବା ସହିତ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିଥିଲେ । ତହସିଲଦାରଙ୍କର ଏତାଦୃଶ ମାନବିକତା ଯୋଗୁଁ ସ୍ଥାନୀୟ ଲୋକେ ତହସିଲଦାରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ପ୍ରସଂଶା କରିଛନ୍ତି ।

Comments are closed.