ପବନ, ପାଣି ଓ ସୌରଶକ୍ତିରେ ଚଲାଇଲେ ସାଇକଲ

କୁନି ବୈଜ୍ଞାନିକ ବିଶ୍ବବନ୍ଧୁଙ୍କ କମାଲ୍‌

ରାମଚନ୍ଦ୍ରପୁର: ଆନନ୍ଦପୁରର କୁନି ବୈଜ୍ଞାନିକ ବିଶ୍ବବନ୍ଧୁ ଓଝା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସବୁରି ମୁହଁରେ ତାଙ୍କର ପ୍ରଶଂସା ଦେଖିବାକୁ ମିଳିଛି। ତାଙ୍କ ଘର ଘସିପୁରା ବ୍ଲକ ଅନ୍ତର୍ଗତ ତରିମୂଳ ଗ୍ରାମରେ। ପିତା ହାଡିବନ୍ଧୁ ଓଝା ଏବଂ ମାତା ବନିତା ଓଝାଙ୍କ ଏକମାତ୍ର ପୁତ୍ର ବିଶ୍ବବନ୍ଧୁ ତରିମୂଳ ହାଇସ୍କୁଲରେ ନବମ ଶ୍ରେଣୀରେ ଅଧ୍ୟୟନରତ । ତୁଳସୀ ଦୁଇପତ୍ରରୁ ବାସିଲା ପରି ପିଲାଦିନରୁ ବିଦ୍ୟାଳୟ ସ୍ତରରେ ସେ ବିଭିନ୍ନ ନୂଆ ପ୍ରକଳ୍ପ ପ୍ରସ୍ତୁତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ଏବେ ଉଦ୍ଭାବନ କରିଛନ୍ତି ‘ଇକୋ ଫ୍ରେଣ୍ଡଲି ଲୋକଷ୍ଟ ଭ୍ୟାନ’। ସାଇକଲରେ ଜଳ, ବାୟୁ ଓ ସୌରଶକ୍ତିରୁ ବ୍ୟାଟେରୀ ଜରିଆରେ ବିଦ୍ୟୁତ ସଂଗ୍ରହ କରି ତାକୁ ସାଇକଲରେ ସଂଯୋଗ କରି ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ଯାଇହେବ ବୋଲି ପ୍ରମାଣିତ କରିପାରିଛନ୍ତି।
ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳାରେ ଏବଂ ପରେ ଜିଲାସ୍ତରରେ ଶ୍ରେଷ୍ଠ ପ୍ରକଳ୍ପ ଭାବେ ମନୋନୀତ ହୋଇ ସେ ସମ୍ମାନିତ ହୋଇଛନ୍ତି। ଏଥିପୂର୍ବରୁ ସେ ପାଣି ଦ୍ବାରା କାର ଚଲାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁ ,ବିଜ୍ଞାନ ଶିକ୍ଷକ ବ୍ରଜକିଶୋର ସାହୁ ଏବଂ ନିଜ ପିତା ହାଡିବନ୍ଧୁ ଓଝାଙ୍କ ପ୍ରେରଣା ତାଙ୍କୁ ଆଗକୁ ବଢିବା ପାଇଁ ଖୋରାକ ଯୋଗାଇଥିବା ସେ ଦର୍ଶାଇଛନ୍ତି। ଆଗାମୀ ଦିନରେ ସେ ସୌର ଶକ୍ତି ଚାଳିତ ରୋବର୍ଟ ନିର୍ମାଣ କରିବା ପାଇଁ ଯୋଜନା କରୁଥିବା ଦର୍ଶାଇଛନ୍ତି।

Comments are closed.