ଭିତରକନିକାରେ ପୃଥିବୀର ସବୁଠୁ ବଡ଼ କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନରେ ପୃଥିବୀର ସବୁଠାରୁ ବଡ଼ ବଉଳା କୁମ୍ଭୀର ଠାବ ହୋଇଛି। ଏହି କୁମ୍ଭୀରର ଲମ୍ବ ପ୍ରାୟ ୨୧ ଫୁଟ୍‍। ଏହା ପୂର୍ବରୁ ୧୯୨୬ ମସିହାରେ କନିକା ଜମିଦାରୀ ସମୟରେ ଏଠାରେ ୨୪ ଫୁଟ ଲମ୍ବର କୁମ୍ଭୀର ଠାବ କରାଯାଇ ଥିଲା। ଏହି କୁମ୍ଭୀରର ମୃତ୍ୟୁ ଘଟି ସାରିଛି। ଏହି କୁମ୍ଭୀରର ଖପୁରୀ କନିକା ରାଜବାଟୀରେ ସଂରକ୍ଷିତ ରଖା ଯାଇଛି।

ଭିତରକନିକାରେ ଥିବା ଡାଙ୍ଗମାଳ କୁମ୍ଭୀର ଗବେଷଣା କେନ୍ଦ୍ର ପରିସରରେ ଦୁଇଟି ବଡ଼ କୁମ୍ଭୀରର କଙ୍କାଳ ରହିଛି। ଏହି କଙ୍କାଳ ମଧ୍ୟରୁ ଗୋଟିଏ କୁମ୍ଭୀରର କଙ୍କାଳ ୧୯ ଫୁଟ୍‍ ଓ ଅନ୍ୟଟି ୧୮ ଫୁଟ୍‍। ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କୁମ୍ଭୀର ଗବେଷକ ଡଃ. ସୁଧାକର କର କହିଛନ୍ତି, ପୃଥିବୀର ଯେଉଁ ସବୁ ସ୍ଥାନରେ ବଉଳା କୁମ୍ଭୀର ପ୍ରଜାତି ବାସ କରୁଛନ୍ତି ସେମାନଙ୍କ ମଧ୍ୟରୁ ଭିତରକନିକାରେ ଯେଉଁ କୁମ୍ଭୀର ଅଛନ୍ତି ସେଗୁଡିକର ଲମ୍ବ ସର୍ବାଧିକ। ଭାରତର ସୁନ୍ଦରବନ ଓ ଆଣ୍ଡାମାନ ନିକୋବରରେ ବଉଳା କୁମ୍ଭୀର ଦେଖା ଯାଆନ୍ତି। ହେଲେ ସେଗୁଡିକର ଲମ୍ବ ଭିତରକନିକା କୁମ୍ଭୀରଠାରୁ କମ। ଭିତରକନିକାରେ ଲୁଣା ଜଙ୍ଗଲ ଓ ବିସ୍ତୃତ ନଦୀନାଳ କୁମ୍ଭୀର ବଂଶ ବୃଦ୍ଧି କରିବାରେ ସହାୟକ ହେଉଛି। ପୃଥିବୀର ଅନ୍ୟ କେଉଁ ସ୍ଥାନରେ ଏଭଳି ପରିବେଶ ବଉଳା କୁମ୍ଭୀରମାନଙ୍କ ପାଇଁ ନାହିଁ ଡଃ. କର କହିଛନ୍ତି।

୧୯୭୬ ମସିହାରେ କୁମ୍ଭୀର ଗଣନା କରିଥିବା ଡଃ. ସୁଧାକର କହିଛନ୍ତି, ସେତେବେଳେ ବିଭିନ୍ନ ନଦୀ ନାଳରେ କୁମ୍ଭୀର ବଂଶ ୧୦୦ ମଧ୍ୟରେ ସୀମିତ ଥିଲା। ସେଥିମଧ୍ୟରୁ ପ୍ରାପ୍ତ ବୟସ୍କର ଉଭୟ ମାଈ ଓ ଅଣ୍ଡିରା ୨୯ ଥିଲେ। ଏବେ ଏଠାରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇ ୧୭୦୦ରୁ ଊର୍ଦ୍ଧ୍ବରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ୩୦୦ ପ୍ରାପ୍ତ ବୟସର ମାଈ ଓ ଅଣ୍ଡିରା ଅଛନ୍ତି। ଡାଙ୍ଗମାଳ କୁମ୍ଭୀର ଗବେଷଣା କେନ୍ଦ୍ରରେ ଦୁଇଟି ଧଳା କୁମ୍ଭୀର ଅଛନ୍ତି। ଭାରତରେ ଅନ୍ୟ କୌଣସି ସ୍ଥାନରେ ଏପରି ଧଳା କୁମ୍ଭୀର ନାହାଁନ୍ତି। କୁମ୍ଭୀରମାନେ ଯେଉଁଠାରେ ବାସ କରୁଛନ୍ତି ସେ ସ୍ଥାନରୁ ମାଛ ଧରିବା ନିଷେଧ କରାଯାଇଛି। ଫଳରେ କୁମ୍ଭୀରମାନେ ପ୍ରଚୁର ମାଛ ଖାଇବାକୁ ପାଉଛନ୍ତି। ଡଃ. କର କହିଛନ୍ତି ପୃଥିବୀର ଏହା ହେଊଛି ଏକମାତ୍ର ଜାତୀୟ ଉଦ୍ୟାନ ଯେଉଁଠାରେ ବାର୍ଷିକ କୁମ୍ଭୀର ଗଣନା କରାଯାଏ। ଯେ ପର୍ଯ୍ୟନ୍ତ ଲୁଣା ଜଙ୍ଗଲ ଓ ଏହାର ଜୈବ ବିବିଧତା ସୁରକ୍ଷିତ ଥିବ ସେପର୍ଯ୍ୟନ୍ତ କୁମ୍ଭୀର ବୃଦ୍ଧି ଓ ବଂଶ ରକ୍ଷା ହୋଇପାରିବ ବୋଲି ଡଃ କର କହିଛନ୍ତି।

Comments
Loading...