ବିସ୍ମୟ ବାଳକ କିଶୋର; ବୟସ ୬, ଦିନକୁ ଦୌଡୁଛନ୍ତି ୨୪ କିମି

କେନ୍ଦ୍ରାପଡ଼ା : ବୟସ ମାତ୍ର ୬ ବର୍ଷ। ଦିନକୁ ସେ ଦୌଡୁଛନ୍ତି ୨୪ କିଲୋମିଟର। ଜମାରୁ ଥକା ମାରୁ ନାହାନ୍ତି। ରାତି ୩ଟାରୁ ଉଠନ୍ତି। ନିତ୍ୟକର୍ମ ସାରି ଦୌଡିବା ଆରମ୍ଭ କରି ଦିଅନ୍ତି। ସକାଳ ୫ଟା ପର୍ଯ୍ୟନ୍ତ ସେ ଦୌଡନ୍ତି। ଏହିପରି ଜଣେ ବିସ୍ମୟ ବାଳକ ହେଉଛନ୍ତି କିଶୋର। କିଶୋର ହେଉଛନ୍ତି ଦୌଡ଼ରାଣୀ ଲିଜାରାଣୀଙ୍କ ସାନଭାଇ। ଲିଜାରାଣୀ ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ବେଳେ ଭାଇକୁ ମଧ୍ୟ ଜଣେ ଜାତୀୟସ୍ତରୀୟ ଦୌଡାଳୀ କରିବା ପାଇଁ ଶିକ୍ଷା ଦେଉଛନ୍ତି। ଭଉଣୀଠାରୁ ପ୍ରେରଣା ପାଇ ନିଜ ଲକ୍ଷ୍ୟସ୍ଥଳ ଅଭିମୁଖେ ଆଗେଇ ଚାଲିଛନ୍ତି କିଶୋର। କିଶୋର ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ତରାଣ୍ଡୋ ଗ୍ରାମର ଏକାଦଶୀ ବେହେରାଙ୍କ ପୁଅ। ଦ୍ୱିତୀୟ ଶ୍ରେଣୀର ଛାତ୍ର ହେଉଛି କିଶୋର। ମନରେ ତାହାର ବିରାଟ ଲକ୍ଷ୍ୟ। ଜାତୀୟ ଓ ଆନ୍ତର୍ଜାତୀୟସ୍ତରୀୟ ଦୌଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସେ ଲକ୍ଷ୍ୟ ରଖିଛି। ତେଣୁ ସେ ପ୍ରତିଦିନ ୨୪ କିଲୋମିଟର ଦୌଡୁଛି। ଆସନ୍ତା ନୂଆବର୍ଷର ପ୍ରଥମ ସପ୍ତାହରେ ସେ କେନ୍ଦ୍ରାପଡ଼ାରୁ ଜଗତସିଂହପୁର ଜିଲାର ମା’ ଶାରଳାଙ୍କ ମନ୍ଦିରକୁ ଦୌଡି ଦୌଡି ଯିବ ବୋଲି ଳକ୍ଷ୍ୟ ରଖିଛି। ମା’ ଶାରଳାଙ୍କ ମନ୍ଦିର ହେଉଛି କେନ୍ଦ୍ରାପଡ଼ାରୁ ୩୫ କିଲୋମିଟର ବାଟ। ପ୍ରତିଦିନ ୨୪ କିଲୋମିଟର ଦୌଡୁଥିବାରୁ ୩୫ କିଲୋମିଟର ଦୌଡି ମା’ଙ୍କ ଦର୍ଶନ କରିବ ବୋଲି ଗଣମାଧ୍ୟମକୁ କହିଛନ୍ତି କିଶୋରଙ୍କ ବାପା ଏକାଦଶୀ। କିଶୋରଙ୍କ ବାପା ଏକାଦଶୀ ହେଉଛନ୍ତି ଜଣେ ରଙ୍ଗ ମିସ୍ତ୍ରୀ। ସବୁବେଳେ ତାଙ୍କୁ କାମ ମିଳେ ନାହିଁ। ପରିବାରର ଆର୍ଥିକସ୍ଥିତି ନ କହିଲେ ଭଲ। ଏଥିପାଇଁ ଏକାଦଶୀ ଗାଁରେ ଏକ ଅଣ୍ଡା ଦୋକାନ ମଧ୍ୟ କରିଛନ୍ତି। ଏହି ଦୋକାନରୁ ବିଶେଷ କିଛି ଲାଭ ନ ହେଲେ ମଧ୍ୟ ପୁଅର ଦିନକୁ ଦରକାର ପଡୁଛି ୪ଟି ଅଣ୍ଡା। ଏହା ସହ କ୍ଷୀର ଓ ଅନ୍ୟ ଜିନିଷ ବାବଦକୁ ୧୫୦ ଟଙ୍କା ପ୍ରତିଦିନ ଆବଶ୍ୟକ। ଦୋକାନରୁ ପୁଅ ଅଣ୍ଡା ଖାଇଲେ ମୋତେ
ବିଶେଷ ବାଧେ ନାହିଁ। ଅଣ୍ଡା ଯଦି କିଣିକି ଆଣି ପ୍ରତିଦିନ ପୁଅକୁ ଖୁଆଇବି ତାହା ହେଲେ ମୋତେ ବାଧିବ ବୋଲି କହିଛନ୍ତି ଏକାଦଶୀ। ସେ କହିଛନ୍ତି ଖାସ ପୁଅ ପାଇଁ ଅଣ୍ଡା ଦୋକାନ କରିଛି। କାମ ସାରି ଆସିବା ପରେ ଯେଉଁ ସମୟ ସନ୍ଧ୍ୟାବେଳେ ମିଳେ ସେହି ସମୟରେ ଅଣ୍ଡା ବିକେ। ଏହା ସହ ଯେତେବେଳେ କାମ ମିଳେ ନାହିଁ ସେତେବେଳେ ସମ୍ପୂର୍ଣ୍ଣ ସମୟ ଅଣ୍ଡା ବିକ୍ରିରେ ଲଗାଇ ଦିଏ। ସେ କହିଛନ୍ତି ବହୁ ଦୁଃଖ କଷ୍ଟ କରି ଝିଅକୁ ଜାତୀୟସ୍ତରୀୟ ଦୌଡ଼ରାଣୀ ବନାଇଲି। ପୁଅକୁ ମଧ୍ୟ ଜାତୀୟ ଓ ଆନ୍ତର୍ଜତୀୟସ୍ତରର ଦୌଡ଼ରାଜା ବନାଇବି। ଯେତେ ବାଧାବିଘ୍ନ ଆସୁ ପଛେ ଏହି ଲକ୍ଷ୍ୟରୁ ମୁଁ ପଛକୁ ଫେରିବି ନାହିଁ। ତଥାପି ଏ ଦିଗରେ ଯଦି ସରକାର ସହାୟତା ଯୋଗାଇ ଦିଅନ୍ତି ତାହା ହେଲେ ପୁଅ ଅଧିକରୁ ଅଧିକ ଉନ୍ନତି କରିପାରିବ ବୋଲି କହିଛନ୍ତି କୁନି ଧାବକ କିଶୋରଙ୍କ ବାପା ଏକାଦଶୀ। ଏକାଦଶୀ କହିଛନ୍ତି ମୋ ପୁଅ କିଶୋର ପ୍ରତିଦିନ ତରାଣ୍ଡୋରୁ ବାଲିଆ ପର୍ଯ୍ୟନ୍ତ ୧୨ କିଲୋମିଟର ଦୌଡିକି ଯାଏ ଓ ଦୌଡିକି ଘରକୁ ଫେରେ। ମୁଁ ତାହା ସହ ସାଇକଲ ଚଲାଇ ଯାଏ। ମୁଁ ସାଇକଲ ଚଲାଇ ହାଲିଆ ହୋଇଯାଏ ପଛେ ସେ ଦୌଡି ଦୌଡି ବି ହାଲିଆ ହୁଏ ନାହିଁ। ମୋ ଝିଅ ଲିଜାରାଣୀ ଦୁଇ ବର୍ଷ ତଳେ ଦୌଡି ଦୌଡି ମା’ଶାରଳାଙ୍କ ମନ୍ଦିରକୁ ଯାଇଥିଲା। ପୁଅ ମଧ୍ୟ ଲକ୍ଷ୍ୟ ରଖିଛି ମା’ଶାରଳାଙ୍କ ମନ୍ଦିରକୁ ଦୌଡି ଦୌଡି ଯିବ। ମା’ ଶାରଳାଙ୍କ ଠାରୁ ଆଶୀର୍ବାଦ ଆଣିବା ଲକ୍ଷ୍ୟରେ ସେ ଦୌଡି ଦୌଡି ଯିବା ପାଇଁ ଲକ୍ଷ୍ୟ ରଖିଛି ବୋଲି ଏକାଦଶୀ କହିଛନ୍ତି। ଦୌଡ଼ରାଣୀ ଲିଜାରାଣୀ କହିଛନ୍ତି ମୁଁ ସ୍ପୋର୍ଟସ ହଷ୍ଟେଲରେ ରୁହେ। ସେଠାରେ ଦୌଡିବାର ବହୁତ କଳାକୌଶଳ ଶିଖିଛି। ଲକ୍‌ଡାଉନ୍‍ ପରଠାରୁ ଗାଁରେ ରହୁଛି। ଗାଁରେ ମୋ ସାନଭାଇ କିଶୋରକୁ ଦୌଡିବାର ବିଭିନ୍ନ ତରିକା ଶିଖାଉଛି। ଏହାସହ ଶରୀର କିପରି ଫିଟ୍‍ ରହିବ ତାହାର କୌଶଳ ମଧ୍ୟ ଶିଖାଉଛି ବୋଲି କହିଛନ୍ତି ଲିଜାରାଣୀ।

Comments are closed.