କୃଷି ଆଇନ କୃଷକଙ୍କ ପାଇଁ ‘ଡେଥ୍‌ ୱାରେଣ୍ଟ’: କେଜ୍ରିୱାଲ

ମୀରଟ: କୃଷି ଆଇନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରବିବାର ସେ ଉତ୍ତର ପ୍ରଦେଶର ମୀରଟରେ ଆୟୋଜିତ କୃଷକ ମହାପଞ୍ଚାୟତରେ ଯୋଗଦେଇ କୃଷି ଆଇନ କୃଷକମାନଙ୍କ ପାଇଁ ଡେଥ୍‌ ୱାରେଣ୍ଟ ବୋଲି କହିଛନ୍ତି। ଏହି ଆଇନ ଯୋଗୁ ସବୁ ଚାଷୀମାନେ ଶ୍ରମିକ ପାଲଟିଯିବେ ବୋଲି ସେ କହିଛନ୍ତି।

କେଜ୍ରିୱାଲ କହିଥିଲେ, ଗତ ୨୫ ବର୍ଷରେ ସାଢ଼େ ୩ ଲକ୍ଷ କୃଷକ ଆତ୍ମହତ୍ୟା କରିସାରିଛନ୍ତି। ଏବେ ହଜାର ହଜାର କୃଷକ ଦିଲ୍ଲୀ ସୀମାରେ ଜୀବନ-ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ସମସ୍ତଙ୍କ ଚାଷ ପୁଞ୍ଜିପତିଙ୍କ ହାତକୁ  ଚାଲିଯିବ ଏବଂ କୃଷକ ନିଜ ଚାଷ ଜମିରେ ଶ୍ରମିକ ହୋଇ ରହିଯିବ। ସମସ୍ତ ଦଳର ସରକାରମାନେ ୭୦ ବର୍ଷ ଧରି କୃଷକମାନଙ୍କୁ ଧୋକା ଦେଇଆସୁଚନ୍ତି। କୃଷକ ୭୦ ବର୍ଷ ଧରି ନିଜ ଫସଲର ଉଚିତ ଦାମ ମାଗୁଛନ୍ତି। ସମସ୍ତେ ନିର୍ବାଚନୀ ଇସ୍ତାହାରରେ ଲେଖିଥିଲେ ଆମ ଜିତିଲେ କୃଷକଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ଦେବୁ। କିନ୍ତୁ ଯଦି ପ୍ରକୃତ ମୂଲ୍ୟ ଦେଇଥାନ୍ତେ, ତେବେ କୃଷକ ଆତ୍ମହତ୍ୟା କରି ନ ଥାନ୍ତେ।

କେଜ୍ରିୱାଲ ଆହୁରି କହିଥିଲେ, ଆଜି ଆମ ଦେଶର କୃଷକମାନେ ବହୁତ କଷ୍ଟରେ ଅଛନ୍ତି। କୃଷକ ଭାଇମାନେ ସପରିବାର ୯୫ ଦିନ ଧରି ପ୍ରବଳ ଥଣ୍ଡାରେ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। ୨୫୦ରୁ ଅଧିକ ଚାଷୀ ଶହୀଦ ହୋଇସାରିଲେଣି। କିନ୍ତୁ ସରକାରଙ୍କ ନୋଉଁନି। କୃଷକମାନଙ୍କ ଉପରେ ଲାଠିମାଡ଼ କରାଯାଉଛି। ବ୍ରିଟିଶମାନେ ତ ଆମ କୃଷକମାନଙ୍କ ଉପରେ ଏତେ ଜୁଲମ କରି ନ ଥିଲେ। ବିଜେପି ବ୍ରିଟିଶମାନଙ୍କୁ ବି ପଛରେ ପକାଇ ଦେଇଛି।

Comments are closed.