ଆନ୍ଦୋଳନକାରୀ କୃଷକଙ୍କୁ ଭେଟିଲେ କେଜରିୱାଲ; ବିତର୍କ ପାଇଁ ​‌କେନ୍ଦ୍ରକୁ ଆହ୍ବାନ

ନୂଆଦିଲ୍ଲୀ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଦିଲ୍ଲୀ-ହରିୟାଣାର ସିଙ୍ଘୁ ସୀମାରେ କୃଷକଙ୍କୁ ଭେଟିବା ଅବସରରେ କେଜରିୱାଲ କୃଷି ଆଇନକୁ ପ୍ରତ୍ୟାହାର କରିବା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ କୃଷି ଆଇନ ଉପରେ ବିତର୍କ ଲାଗି ସେ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ଯେକୌଣସି କେନ୍ଦ୍ରମନ୍ତ୍ରୀ କୃ​‌ଷି ଆଇନ ପ୍ରସଙ୍ଗରେ ତାଙ୍କ ସହିତ ବିତର୍କ କରନ୍ତୁ ଓ ଏହା କେତେଦୂର କୃଷକଙ୍କ ପାଇଁ ଲାଭଦାୟକ ହେବ ତାହା ଦର୍ଶାନ୍ତୁ ବୋଲି କେଜରିୱାଲ କହିଛନ୍ତି। ସେ କହିଛନ୍ତି ଯେ କୃଷକମାନେ ସେମାନଙ୍କ ହକ୍ ପାଇଁ ଆନ୍ଦୋଳନ କରୁଛନ୍ତି। ନୂଆ ଆଇନ ସେମାନଙ୍କ ଠାରୁ ଜମି ଛଡାଇ ନେବ। ତେଣୁ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରି ନିଅନ୍ତୁ। ଏହି ଅବସରରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆନ୍ଦୋଳନକାରୀ କୃଷକଙ୍କୁ ଯୋଗାଇ ଦିଆଯାଇଥିବା ସୁବିଧା ସୁଯୋଗକୁ କେଜରିୱାଲ ଅନୁଧ୍ୟାନ କରିଥିଲେ।
କେଜରିୱାଲ କହିଛନ୍ତି ଯେ ନିଜର ଦାବି ହାସଲ ପାଇଁ କୃଷକମାନେ ଶୀତ କାକରରେ ପଡିରହିଛନ୍ତି। ଏହି ଶୀତ କାକରରେ ୪୦ଜଣ କୃଷକ ପ୍ରାଣ ହରାଇଲେଣି। କେଜରିୱାଲଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ସାମିଲ ହୋଇଥିଲେ। ଏହା ପୂର୍ବରୁ ଡିସେମ୍ବର ୭ରେ କେଜରିୱାଲ ସିଙ୍ଘୁ ସୀମାରେ ଆନ୍ଦୋଳନକାରୀ କୃଷକଙ୍କୁ ଭେଟିଥିଲେ। କୃଷି ଆଇନ ପ୍ରତ୍ୟାହାର ଦାବିରେ ପଞ୍ଜାବ ଓ ହରିୟାଣା ସମେତ ବିଭିନ୍ନ ରାଜ୍ୟର ୪୦ଟି କୃଷକ ସଂଗଠନ ନଭେମ୍ବର ୨୬ ତାରିଖରୁ ଦିଲ୍ଲୀ-ହରିୟାଣା, ଦିଲ୍ଲୀ-ଉତ୍ତରପ୍ରଦେଶ ଓ ଦିଲ୍ଲୀ-ଜୟପୁର ସୀମାରେ ଆନ୍ଦୋଳନ ଚଳାଇ ଆସିଛନ୍ତି। ମଙ୍ଗଳବାର ଆନ୍ଦୋଳନକାରୀ କୃଷକଙ୍କ ସହିତ କେନ୍ଦ୍ର ସରକାର ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଆନ୍ଦୋଳକାରୀ କୃଷକମାନେ କହିଛନ୍ତି ଯେ ହରିୟାଣାରେ ଜାତୀୟ ରାଜପଥରେ ଟୋଲ ଟିକସ ମୁକ୍ତ ଯାତାୟାତ ବଳବତ୍ତର ରହିବ। ଡିସେମ୍ବର ୨୫ରୁ ୨୭ ପର୍ଯ୍ୟନ୍ତ ଟୋଲ ମୁକ୍ତ ଯାତାୟାତ କରାଯିବାକୁ କୁହାଯାଇଥିଲା ମାତ୍ର ଏହାକୁ ଆଗାମୀ ଦିନ ବଳବତ୍ତର ରଖାଯିବ। ଟୋଲମୁକ୍ତ ଯାତାୟାତ ନିମନ୍ତେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ କୃଷକ ଟୋଲ ଗେଟ ଗୁଡିକରେ ଆନ୍ଦୋଳନ କରୁଛନ୍ତି। ହରିୟାଣା ଭାରତୀୟ କିଷାନ ୟୁନିୟନ ଅଧ୍ୟକ୍ଷ ଗୁରନାମ ସିଂହ ଚୌଦାନି କହିଛନ୍ତି ଯେ ସାଧାରଣ ଲୋକଙ୍କ ମତ ହେଉଛି ଟୋଲ ପ୍ଲାଜାଗୁଡିକ ଦେୟ ମୁକ୍ତ ହେଉ।

Comments are closed.