କୃଷି ଆଇନର ନକଲ ଚିରିଲେ କେଜରିୱାଲ

ନୂଆଦିଲ୍ଲୀ : କୃଷି ଆଇନ ପ୍ରତିବାଦରେ କୃଷକଙ୍କ ଦୀର୍ଘ ଆନ୍ଦୋଳନ ପରିପ୍ରେକ୍ଷୀରେ ଗୁରୁବାର ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତଥା ତାଙ୍କ ଦଳର ବିଧାୟକମାନେ କୃଷକଙ୍କୁ ସମର୍ଥନପୂର୍ବକ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ କୃଷି ଆଇନର ନକଲ ଚିରିଛନ୍ତି। ଏହି ଅବସରରେ କେଜରିୱାଲ କହିଛନ୍ତି ଯେ କେନ୍ଦ୍ର ସରକାର ବ୍ରିଟିଶ ଶାସନଠାରୁ ଅଧିକ କ୍ରୂର ତଥା କଦର୍ଯ୍ୟ ନ ହୁଅନ୍ତୁ। ଏବେ ଆନ୍ଦୋଳନରେ ବସିଥିବା ସମସ୍ତ କୃଷକ ଜଣେ ଜଣେ ଭଗତ ସିଂହ ହେଲେଣି ବୋଲି ସେ ଚେତାଇ ଦେଇଛନ୍ତି। ଏଥିସହିତ କରୋନା ଦୁର୍ଗତି ସମୟରେ ତରବରିଆ ଭାବେ କୃଷି ଆଇନ ଗୃହୀତ କରାଇବା କ’ଣ ଆବଶ୍ୟକ ଥିଲା ଏବଂ ଆଉ କେତେ କୃଷକଙ୍କ ବଳିଦାନ ପରେ ସରକାର ସେମାନଙ୍କ ସମସ୍ୟା ବୁଝିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଯାବତୀୟ ସେବା ଶୁଶ୍ରୂଷା ଯୋଗାଇ ଦିଆଯାଉଛି। ତାଙ୍କ ଦଳର ବିଧାୟକ ମହେନ୍ଦ୍ର ଗୋୟଲ, କୈଳାସ ଗେହଲଟ ଓ ସୋମନାଥ ଭାରତୀ ମଧ୍ୟ ଆଇନର ନକଲ ଚିରିଥିଲେ। ଏହି ଅବସରରେ ପଞ୍ଜାବ ଓ ରାଜସ୍ଥାନ ପରେ ତୃତୀୟ ରାଜ୍ୟ ଭାବେ ଦିଲ୍ଲୀ ବିଧାନସଭାରେ କୃଷି ଆଇନ ବିରୋଧରେ ସଂକଳ୍ପ ଗୃହୀତ ହୋଇଛି। ଅପରପକ୍ଷରେ ମହାରାଷ୍ଟ୍ରରେ କୃଷକଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଆସନ୍ତା ୨୨ରେ ମୁମ୍ବଇରେ ଅଲ ଇଣ୍ଡିଆ କିଷାନ ସଙ୍ଘର୍ଷ କୋଅର୍ଡିନେସନ କମିଟି ପକ୍ଷରୁ ବଡ଼ ଧରଣର ଶୋଭାଯାତ୍ରା ବାହାର କରାଯିବ ବୋଲି ଘୋଷଣା କରାଯାଇଛି। କଲକାତାରେ ମଧ୍ୟ ୩୦ହଜାର କୃଷକଙ୍କର ଏକ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Comments are closed.