ଆଜିଠୁ ଆରମ୍ଭ କେବିସି ଶୁଟିଂ

ଲୋକପ୍ରିୟ ଗେମ୍‍ ଶୋ’ ‘କୌନ୍‍ ବନେଗା କରୋଡପତି ସିଜନ-୧୨’ ପାଇଁ ଦର୍ଶକ ଖୁବ୍‍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହାର ଶୁଟିଂ ସେପ୍ଟେମ୍ବର ୭ତାରିଖ ଅର୍ଥାତ୍‍ ଆଜିଠାରୁ ଆରମ୍ଭ ହେବ ବୋଲି ସୋନି ଟିଭି ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲରେ ସୂଚନା ଦେଇଛି। କିଛିଦିନ ତଳେ ଶୋ’ର ଉପସ୍ଥାପକ ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହେବା କାରଣରୁ ଶୁଟିଂ ଅଟକି ଯାଇଥିଲା। ଏବେ ଧୀରେଧୀରେ ସବୁକିଛି ସାଧାରଣ ସ୍ଥିତିକୁ ଫେରୁଛି। କେବିସି-୧୨ର ପ୍ରମୋ ପ୍ରସାରଣ ହୋଇସାରିଲାଣି। ଏଥିରେ ଜଣେ ଯୁବକ ୫୦୦ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବାର କାହାଣୀ ବର୍ଣ୍ଣନା କରୁଛନ୍ତି। ବିଗ୍‍ବି ତାଙ୍କ କାହାଣୀ ଶୁଣି ଦର୍ଶକଙ୍କ ଉଦ୍ଦେଶ୍ୟରେ କହୁଛନ୍ତି- ସେଟ୍‍ବ୍ୟାକ୍‍ର ଜବାବ କମ୍‍ବ୍ୟାକ୍‍ରୁ ଦିଅନ୍ତୁ।

କେବିସି-୧୨ର ନୂଆ ସେଟ୍‍ର ଫଟୋ ମଧ୍ୟ ସୋନି ପକ୍ଷରୁ ଟ୍ୱିଟ୍‍ କରାଯାଇଥିଲା। ସେଟ୍‍ରେ ପୂଜାର୍ଚ୍ଚନା ବି ଶେଷ ହୋଇଛି। ତେବେ କରୋନା ସଂକ୍ରମଣ ଯୋଗୁ ଶୁଟିଂରେ ବିଭିନ୍ନ ନିୟମ ପରିବର୍ତ୍ତନ କରାଯାଇଛି। ଦର୍ଶକଙ୍କୁ ଏଥର ସାମିଲ କରାଯାଉନାହିଁ। ତେଣୁ ଅଡିଏନ୍ସ ପୋଲ୍‍ର ଲାଇଫ୍‍ ଲାଇନ୍‍ ବଦଳାଯାଇ ଆଉ କୌଣସି ଲାଇଫ ଲାଇନ ଅଣାଯିବ। ପ୍ରତିଯୋଗୀମାନେ ନିଜ ସହ ପରିବାରର କେବଳ ଜଣଙ୍କୁ ଆଣିପାରିବେ। ସେମାନଙ୍କ ବସିବା ପାଇଁ ଅଲଗା ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ରକ୍ଷା ନିୟମ କଡାକଡି ପାଳନ କରାଯିବ। ବିଶେଷକରି ବିଗ୍‍ବି ଅମିତାଭ ନିକଟରେ କରୋନାରୁ ସୁସ୍ଥ ହୋଇଥିବାରୁ ତାଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯିବ। ସେ ମଧ୍ୟ ଟ୍ୱିଟ୍‍ କରି ସେଟ୍‍ର କେତେକ ଫଟୋ ଶେୟାର କରିଥିଲେ ଯେଉଁଥିରେ ସାମାଜିକ ଦୂରତା ରକ୍ଷା କରିବା ସହ ଲୋକେ ପିପିଇ କିଟ୍‍ ପିନ୍ଧି କାମ କରୁଥିବା ଦେଖାଯାଇଛି।

Comments are closed.