ବିଶିଷ୍ଟ ନାଟ୍ୟଗୁରୁ କାଶୀନାଥ ସାହୁଙ୍କ ପରଲୋକ

ପିପିଲି : ବିଶିଷ୍ଟ ନାଟ୍ୟଗୁରୁ କାଶୀନାଥ ସାହୁଙ୍କର ୧୦୯ ବର୍ଷ ବୟସରେ ମଙ୍ଗଳବାର ସଂନ୍ଧ୍ୟାରେ ପିପିଲି ସ୍ଥିତ ବାସଭବନରେ ପରଲୋକ ଘଟିଛି। ସ୍ୱର୍ଗତ ସାହୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ଜଣେ ବର୍ଷିୟାନ କଳାକାର ଭାବେ ଶହେରୁ ଉର୍ଦ୍ଧ୍ଵ ନାଟକରେ ଅଭିନୟ କରି ସମଗ୍ର ରାଜ୍ୟରେ ବେଶ୍ ପ୍ରଶଂସିତ ହୋଇଥିଲେ। ତାଙ୍କ ଅଭିନିତ ନାଟକ ‘କୋଣାର୍କର ଧରମା’ ସେ ସମୟରେ ସମଗ୍ର ରାଜ୍ୟରେ ଉଚ୍ଚ ପ୍ରଶଂସିତ ହୋଇଥିବା ବେଳେ ଏହା ବିଭିନ୍ନ ରଙ୍ଗମଞ୍ଚରେ ୫୦ରୁ ଉର୍ଦ୍ଧ୍ଵ ବର୍ଷକାଳ ପରିବେଷଣ ହୋଇଥିଲା ଓ ଏଥି ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ବାର୍ତ୍ତା ମିଳିଥିଲା। ସେ ଦୀର୍ଘ ବର୍ଷ ଧରି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ବିଭିନ୍ନ ନାଟକରେ ଉଚ୍ଚକୋଟିର ନିର୍ଦ୍ଦେଶନା ଦେଇଥିଲେ। ସେ ପ୍ରଥମ କଳାକାର ଯିଏକି ନାରୀ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନମୋହି ନେଇଥିଲେ। ଓଡିଶାର ବହୁ ବିଶିଷ୍ଟ କଳାକାର ଓ ନାଟ୍ୟ ନିର୍ଦ୍ଦେଶକଙ୍କ ସହ ସେ କାର୍ଯ୍ୟ କରି ଓଡିଆ କଳା, ସଂସ୍କୃତି ଓ ପରମ୍ପରାର ବିକାଶ କ୍ଷେତ୍ରରେ ନିଜକୁ ସଦା ସାମିଲ ରଖିଥିଲେ। ଜଣେ ନାଟ୍ୟଗୁରୁ ଭାବେ ସେ ଶତାଧିକ ନାଟକରେ ନିର୍ଦ୍ଦେଶନା ଦେଇଥିବାବେଳେ ତାଙ୍କର ବହୁ ଶିଷ୍ୟ ରାଜ୍ୟରେ ବେଶ୍ ଖ୍ୟାତିଅର୍ଜ୍ଜନ କରିଛନ୍ତି। ପିପିଲି ଅଞ୍ଚଳରେ କଳାର ବିକାଶ ପାଇଁ ସେ ଅନେକ ଅନୁଷ୍ଠାନ ଗଢି ତୋଳିଥିବାବେଳେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ‘ବିଜୟାଶ୍ରୀ’ ଫିଲ୍ମ ପ୍ରେକ୍ଷାଳୟ ଏବେବି’ ଚଳଚଞ୍ଚଳ। ପିପିଲି ମହାବିଦ୍ୟାଳୟ, ଜବାହର ବିଦ୍ୟାପୀଠ ପରି ଅନେକ ଶିକ୍ଷାନୁଷ୍ଠାନର ସେ ଥିଲେ ପ୍ରତିଷ୍ଠାତା ସଦସ୍ୟ। ଅଞ୍ଚଳର ଶତାଧିକ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନର ସେ ପ୍ରତିଷ୍ଠାତା ମଧ୍ୟ। ପରିଣତ ବୟସରେ ମଧ୍ୟ ସେ ସବୁବେଳେ ନିଜକୁ ସମାଜସେବାରେ ବ୍ୟସ୍ତ ରଖୁଥିଲେ। ପିପିଲି ସାଂସ୍କୃତିକ ପରିଷଦ, ଦୟା ମହୋତ୍ସବ କମିଟି, ପିପିଲି ମହୋତ୍ସବ କମିଟି ଭଳି ଅନେକ ଅନୁଷ୍ଠାନର ସେ ଉପଦେଷ୍ଠା ଥିଲେ। ଆଜି ସକାଳେ ସେ ଅସୁ୍ସ୍ଥ ହୋଇ ପଡିଥିଲେ। ଘରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ସଂନ୍ଧ୍ୟାରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ସମଗ୍ର ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସ୍ୱର୍ଗତ ସାହୁଙ୍କ ବିୟୋଗରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଆଡ୍ଭୋକେଟ ନିଶିକାନ୍ତ ମିଶ୍ର ଗଭୀର ଶୋକବ୍ୟକ୍ତ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।