କାଶୀପୁରରେ ତୁଷାରପାତ

କାଶୀପୁର : ରାୟଗଡା ଜିଲା କାଶୀପୁରକୁ ପୁଣି ଲେଉଟିଛି ପ୍ରବଳ ଜାଡ। ବ୍ଲକ ସାରା ଲୋକେ ଶୀତରେ ଥରୁଛନ୍ତି। ଗତ ତିନି ଚାରି ଦିନ ଧରି ବ୍ଲକରେ ତାପମାତ୍ରା ହ୍ରାସ ପାଇବା ସହିତ ପ୍ରବଳ ଶୀତ ଲହରି ପ୍ରବାହିତ ହେଉଛି। କୋହଲା ପବନ ଓ ହାଡଥରା ଶୀତରେ ଜାଡେଇ ଯାଉଛନ୍ତି ଲୋକ। କାକରରେ କାଲୁଆ ମାରୁଛି ଶରୀର। ଥଣ୍ଡାର ଲହରିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।କାଶୀପୁରରେ ପାରଦ ୭ଡିଗ୍ର୍ରୀରେ ପହଞ୍ଚିଛି। ସନ୍ଧ୍ୟା ବେଳକୁ ପାରଦ ଖସିଖସି ଚାଲିଛି। ସନ୍ଧ୍ୟା ସମୟରେ ରାସ୍ତାଘାଟ ଶୂନଶାନ ହୋଇଯାଉଛି। ଏହାସହ କାଶୀପୁର ବ୍ଲକରେ ଶୀତର ଅଧିକ ପ୍ରଭାବ ସହ କାଶୀପୁର, ଟିକିରି ଆଦି ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି। ଶୀତରେ ଲୋକେ ସକାଳେ ଓ ସନ୍ଧ୍ୟାରେ ଜରୁରୀ କାମ ନଥିଲେ ଘରୁ ବାହାରକୁ ବାହାରିବାକୁ ପସନ୍ଦ କରୁନାହାନ୍ତି। ସନ୍ଧ୍ୟା ସମୟରେ ପ୍ରବଳ ଥଣ୍ଡା ହେଉଥିବାରୁ ଲୋକମାନେ ଘରେ, ବାହାରେ ଓ ବିଭିନ୍ନ ଛକ ମାନଙ୍କରେ ନିଆଁ ଜାଳି ରହୁଛନ୍ତି। ଆଉ କାଶୀପୁର ବ୍ଲକ ପାହାଡିଆ ଉପରେ ବସବାସ କରୁଥିବା ଲୋକେ ଜାଡରେ ଥରୁଛନ୍ତି। ନିଜର ଡଙ୍ଗର ଚାସର ସୁରକ୍ଷା ପାଇଁ ପାହାଡ ଉପରେ ଘର କରିଥିବା ଲୋକେ ଶୀତରେ କଲବଲ ହେଉଛନ୍ତି। ଶୀତ ବସ୍ତ୍ର ସେମାନଙ୍କ ପାଇଁ ଅପହଞ୍ଚ ହୋଇଥିବାବେଳେ କାଠ ଗଣ୍ଡି ଜାଳି ଦିନ ରାତି କଟାଉଛନ୍ତି। କାଳ ସମୟରେ ଘନ କୁହୁଡି ଯୋଗୁଁ ଦିନ ୮ଟା ପର୍ଯ୍ୟନ୍ତ ରାସ୍ତା ଦେଖାଯାଉନାହିଁ। ରାତି ସମୟରେ ପାରଦ ଖସି ୭ଡିଗ୍ରୀରୁ କମ ହୋଇଯାଉଛି।

Comments are closed.