କାର୍ତ୍ତିକ ପୂର୍ଣ୍ଣମୀ ଏବେବି ଗ୍ରାମାଞ୍ଚଳରେ ଭରିଦେଇଛି ଆଧ୍ୟାତ୍ମିକ ଭାବ

ଗୁରୁଡିଝାଟିଆ : ମାସ ଯାକରେ ଶ୍ରେଷ୍ଠ କାର୍ତ୍ତିକ। ପୂର୍ଣ୍ଣମୀରେ ପଲ୍ଲୀ ପ୍ରକୃତିରେ ଏବେବି ଭରି ରହିଛି ଆଧ୍ୟାତ୍ମିକତାର ଭାବ । ରାତିଅଧରୁ ଗାଁର କିଶୋରୀ ସ୍ନାନସାରି ଶୁଦ୍ଧପୁତ ଭାବରେ ଧର୍ମଦାଣ୍ଡରେ ପକାଉଛି ମୂରୁଜ। ଏଥିରୁ ବାଦ ପଡିନାହାନ୍ତି ମହିଳା ଓ ବୃଦ୍ଧମାନେ। ସଂକୀର୍ତ୍ତନ ଦଳର ସଦସ୍ୟମାନେ ଗାଁର ପ୍ରତ୍ୟେକ ସାହିରେ ରାମ ଓ କୃଷ୍ଣଙ୍କ ନାମରେ ବୁଲିବୁଲି ଆଧ୍ୟତ୍ମିକତାର ଭାବ ପ୍ରଚାରିତ କରି ପରିବେଶକୁ ସାତ୍ତ୍ୱିକଭାବ ପ୍ରଦାନ କରୁଛନ୍ତି । ଏଭଳି ଦୃଶ୍ୟ ଆଜି କଖଡି ଗାଁରେ ବେଶ ବାରି ହୋଇପଡିଥିଲା । ଆବାଳ,ବୃଦ୍ଧ ବନିତା ଆମ ଗୌରବଜ୍ୱଳ ଐତିହ୍ୟ ଓ ପରମ୍ପରାକୁ ସମ୍ମାନ ଜଣାଇ ନଦୀରେ ସ୍ନାନ କରିବା ପରେ ନୌବାଣିଜ୍ୟର ମୁକସାଖିକୁ ମନେପକାଇ ଡଙ୍ଗା ଭସାଇଥିଲେ ଏବଂ କହିଉଠିଥିଲେ ଆ କା ମା ବୈ, ପାନଗୁଆ ଦେଇ………… । ବାେ’ଶ୍ୱର ମନ୍ଦିର ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଉତ୍ସବ ମୁଖରିତ ହୋଇଥିବା ବେଳେ ଭାଗବତ ସାହିରେ ପ୍ରତ୍ୟେକ ସଦସ୍ୟ ସାତ୍ତ୍ୱିକ ଭାବ ନେଇ ଶୁଦ୍ଧପୂତ ଭାବରେ ଜନନାରାୟଣଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହ ଅନ୍ନ ଓ ବସ୍ତ୍ର ପ୍ରଦାନ କରିଥିଲେ । ସବୁଠାରୁ ସୁନ୍ଦର ଲକ୍ଷଣ ବୟସ୍କଙ୍କ ସୁକର୍ମର ଧାରାକୁ ଯୁବପିଢି ଆପଣାଇନେଇ ଆଧ୍ୟତ୍ମିକ କ୍ଷେତ୍ରରେ ନିଜକୁ ତଲ୍ଲିନ କରିବା ଦେଖିବାକୁ ମିଳିଥିଲା ।

Comments are closed.