ଘୁଞ୍ଚିଲା କର୍ଣ୍ଣାଟକ ବିଧାନସଭା ଉପନିର୍ବାଚନ

ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଭୋଟିଂ

ନୂଆଦିଲ୍ଲୀ : କର୍ଣ୍ଣାଟକର ୧୫ ବିଧାନସଭା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନକୁ ନିର୍ବାଚନ କମିସନ (ଇସି) ଗୁରୁବାର ସ୍ଥଗିତ ରଖିଛନ୍ତି। ଏହି ନିର୍ବାଚନମଣ୍ଡଳୀଗୁଡିକର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସମ୍ବନ୍ଧୀୟ ଆବେଦନ ଉପରେ ସର୍ବୋଚ୍ଚ ଅଦାଲତରେ ବିଚାରାଧିନ ଥିବାରୁ ଇସି ଏହି ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ଏଠାରେ ଭୋଟିଂ ହେବ। ଏହି ଆସନଗୁଡିକରେ ଅକ୍ଟୋବର ୨୧ରେ ଉପନିର୍ବାଚନ ଅନୁଷ୍ଠିତ ହୋଇ ତିନି ଦିନ ପରେ ଫଳାଫଳ ପ୍ରକାଶ ପାଇବାର ଥିଲା। ସର୍ବୋଚ୍ଚ ଅଦାଲତ ଅକ୍ଟୋବର ୨୨ରେ ଉକ୍ତ ମାମଲାର ଶୁଣାଣି କରିବେ। ସେପର୍ଯ୍ୟନ୍ତ ଉପନିର୍ବାଚନକୁ ଘୁଞ୍ଚାଇବାକୁ ଇସି ସହମତି ପ୍ରକାଶ କରିଛନ୍ତି।

ଉଲ୍ଲେଖ ଯେ କଂଗ୍ରେସ-ଜେଡିୟୁ ମେଣ୍ଟର ଏହି ୧୫ ଜଣ ବିଦ୍ରୋହୀ ବିଧାୟକ ନିଜନିଜ ଦଳରୁ ଇସ୍ତଫା ଦେଇଥିଲେ। ଫଳରେ ସେମାନଙ୍କ ଆସନଗୁଡିକ ଖାଲି ପଡିଥିଲା। ପରେ ତତ୍‌କାଳୀନ ବାଚସ୍ପତି କେ.ଆର ରମେଶ କୁମାର ୧୭ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏମାନଙ୍କ ମଧ୍ୟରେ ୧୩ ଜଣ କଂଗ୍ରେସର ଓ ୩ ଜଣ ଜେଡିଏସର ଓ ଜଣେ ସ୍ବାଧୀନ ବିଧାୟକ ଅନ୍ତର୍ଭୁକ୍ତ। ଏହି ଘଟଣା ପରେ ଜୁଲାଇରେ ଏଚ.ଡି କୁମାରସ୍ବାମୀଙ୍କ ନେତୃତ୍ବାଧୀନ କଂଗ୍ରେସ-ଜେଡିଏସ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲା। ଆସ୍ଥା ଭୋଟରେ ହାରିବା ପରେ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ବି.ଏସ. ୟେଦିୟୁରପ୍ପାଙ୍କ ନେତୃତ୍ବରେ ବିଜେପି ରାଜ୍ୟରେ ସରକାର ଗଠନ କରିଥିଲା।

Comments are closed.